Latest Odisha News

BREAKING NEWS

Heavy Rain Alert: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ! ଆହୁରି ୫ ଦିନ ବର୍ଷା ତାଣ୍ଡବ, ୩ ଜିଲ୍ଲାକୁ ଅରେଞ୍ଜ ଓ ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ବର୍ଷାର ପ୍ରକୋପ ଏବେ ଥମିବାର ନାଁ ନେଉନାହିଁ। ଆସନ୍ତା ୨୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବା ସହ ଆଗାମୀ ୫ ଦିନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନର ଆଶଙ୍କା ରହିଛି। ଏହା ମଧ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଣିପାଗ ସ୍ଥିତି ଆହୁରି ସକ୍ରିୟ ହେବା ନେଇ ଆକଳନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ଷା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ। ଏହା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଡ଼ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଆଜି ସକାଳ ସାଢ଼େ ୮ଟା ପରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ତିନି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ଝଡ଼ପବନର ଆଶଙ୍କା ଥିବାରୁ ୨୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ସକାଳ ସାଢ଼େ ୮ଟା ପୂର୍ବରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ସତର୍କତା ଜାରି ହୋଇଥିଲା। ଆସନ୍ତାକାଲି, ଅଗଷ୍ଟ ୧୭ରେ ମୟୂରଭଞ୍ଜ ଓ ବାଲେଶ୍ୱର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।

ଅଗଷ୍ଟ ୧୮ରେ ବର୍ଷାର ପ୍ରଭାବ ପଶ୍ଚିମ ଓଡ଼ିଶା ଆଡ଼କୁ ବଢ଼ିବାର ସମ୍ଭାବନା ରହିଛି। ସେଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ଓ ବଜ୍ରପାତ ହୋଇପାରେ। ଏଥିପାଇଁ ସେହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଏବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ପାଣିପାଗ ପ୍ରଣାଳୀ ସକ୍ରିୟ ହେଉଥିବାରୁ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆକଳନ ଥିବାରୁ ଆଗାମୀ ଦିନରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଏହି କାରଣରୁ ଜିଲ୍ଲାଭିତ୍ତିକ ଆଲର୍ଟ ଉପରେ ନଜର ରଖିବା ସହ ବଜ୍ରପାତ ଓ ଝଡ଼ପବନ ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.