Latest Odisha News

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି।

ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା ହେଉଛି। କିନ୍ତୁ ଏ ଭିତରେ ଆଉ ଏକ ପ୍ରସଙ୍ଗକୁ ନେଇ କଥା ଉଠିଛି।

ପାଟନା ବୈଠକରେ ନୂଆ ମେଣ୍ଟର ନାଁ ଦେଶଭକ୍ତ ଲୋକତାନ୍ତ୍ରିକ ମେଣ୍ଟ ବା ପିଡ଼ିଏ ରଖିବା ନେଇ ଆଲୋଚନା ହେଉଥିଲା। କିନ୍ତୁ ବିରୋଧୀଙ୍କ ମେଣ୍ଟର ନାଁ ପିଡ଼ିଏ ରହିଲେ ୟୁପିଏ କଣ ଅସ୍ତିତ୍ୱ କଣ ଶେଷ ହୋଇଯିବ କି ବୋଲି ପ୍ରଶ୍ନ ଉଠିଛି। କଂଗ୍ରେସ କଣ ଏଥିରେ ରାଜି ହେବ କି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଏଭଳି ପ୍ରସ୍ତାବ ଚୂଡାନ୍ତ ପର୍ଯ୍ୟାୟକୁ ଆସିଲେ ୟୁପିଏରେ ଥିବା ଅନ୍ୟ ଦଳର ଆଭିମୁଖ୍ୟ କଣ ହେବ ତାକୁ ନେଇ ମଧ୍ୟ ଆଲୋଚନା ହେଉଛି। ବିରୋଧୀ ଦଳର ନୂଆ ମେଣ୍ଟ ସହ ଦେଶଭକ୍ତି ଶବ୍ଦକୁ ଯୋଡିବାକୁ ଯୋଜନା ହୋଇଥିବା କୁହାଯାଉଛି।

ପାଟନା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ପ୍ରସ୍ତାବ ଦେଇଥିଲେ। ବାମପନ୍ଥୀ ଦଳର ନେତାମାନେ ମଧ୍ୟ ଏଭଳି କିଛି ନାଁ ଉପରେ ଗୁରୁତ୍ୱ ଦେଇଛନ୍ତି।

ସେପଟେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସଂଯୋଜକ କରାଯିବା ପ୍ରସଙ୍ଗରେ ମଧ୍ୟ କିଛି ନିଷ୍ପତ୍ତି ହୋଇପାରି ନ ଥିଲା। ଯାହା ଉପରେ ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇପାରେ।

କିନ୍ତୁ ଏସବୁ ମଧ୍ୟରେ ବିରୋଧୀ କିନ୍ତୁ ସବୁ ସ୍ୱାର୍ଥକୁ ପଛରେ ପକାଇ ବିରୋଧୀ ଏକତା ଦିଗରେ ଫୋକସ କରୁଛନ୍ତି। ସେଥିପାଇଁ କଂଗ୍ରେସ ପକ୍ଷରୁ ବୈଠକ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ ସମର୍ଥନ ଦିଆଯାଇଛି।

ତେଣୁ ପିଡ଼ିଏ ବ୍ୟାନର ତଳେ କଂଗ୍ରେସ ସମେତ ସବୁ ବିରୋଧୀ ଏକାଠି ହେବେ ନା ୟୁପିଏ ବ୍ୟାନର ରହିବ ତାକୁ ନେଇ ଏବେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଆଉ ଏକ ବଡ଼ କଥା ହେଉଛି ଖୋଦ ୟୁପିଏ ଅଧ୍ୟକ୍ଷ ଦ୍ଵିତୀୟ ବିରୋଧୀ ଏକତା ବୈଠକରେ ସାମିଲ ହେଉଛନ୍ତି।

ତେଣୁ ତାଙ୍କ ସମ୍ମୁଖରେ ୟୁପିଏକୁ ଶେଷ କରି ପିଡ଼ିଏ ଗଠନ କେତେଦୂର ସଫଳ ହେବ ତାକୁ ନେଇ ରାଜନୈତିକ ଚର୍ଚା ଜୋର ଧରିଛି। ତେଣୁ ଏସବୁକୁ ନେଇ ବିରୋଧୀ ଏକତା ବୈଠକର ରୂପରେଖ କଣ ହେବ। ବୈଠକର ନିଷ୍କର୍ଷ କଣ ବାହାରିବ ତାକୁ ସାରା ଦେଶର ରାଜନୈତିକ ମହଲ ଅପେକ୍ଷା ରଖିଛି।

ସେପଟେ ସବୁ ବିରୋଧୀ ଗୋଟିଏ ସମୂହ ସ୍ୱାର୍ଥ ପାଇଁ ଏକାଠି ହୋଇଥିବା କଂଗ୍ରେସ କହିଛି। ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବାକୁ ବିରୋଧୀ ଏକାଠି ହୋଇଛନ୍ତି। ଗଣତନ୍ତ୍ର ଓ ସମ୍ବିଧାନ ଶାସକ ବିଜେପି ଦ୍ୱାରା ଆକ୍ରମଣର ଶିକାର ହୋଇଥିବାରୁ ଏହାକୁ ବଞ୍ଚାଇବା ଏକମାତ୍ର ଲକ୍ଷ ବୋଲି କୁହାଯାଇଛି।

ବିରୋଧୀଙ୍କୁ ଚୁପ କରିଦେବାକୁ ବିଜେପି ଚାହୁଁଛି। ସେଥିପାଇଁ ବିଭିନ୍ନ ଏଜେନ୍ସିକୁ ବ୍ୟବହାର କରାଯାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ଏହାର ଉଦାହରଣ ବୋଲି କହିଛି କଂଗ୍ରେସ।

ଏପରିକି ମହାରାଷ୍ଟ୍ରରେ ଯେଭଳି ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି ତାହା ମଧ୍ୟ ଏକ ବଡ଼ ଉଦାହରଣ ବୋଲି କୁହାଯାଇଛି। ତେଣୁ ଏହି ବିରୋଧୀ ଏକତା ବୈଠକ ଏସବୁ ପାଇଁ ଏକ ଗେମ ଚେଞ୍ଜର ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.