Latest Odisha News

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ ଅବତରଣ କରାଯାଇଛି।

ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆର ବିମାନ Boeing 777-300ER ଉଡ଼ାଣ ଭରିବା ପରେ ମଝି ଆକାଶରେ ଇଞ୍ଜିନରୁ ତେଲ ଲିକ୍ ହେଉଥିବା ଜଣାପଡ଼ିଥିଲା। ଏହାପରେ ପାଇଲଟ ତୁରନ୍ତ ସାବଧାନତା ଅବଲମ୍ବନ କରି ବିମାନକୁ ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ତେଲ ଲିକ୍ ହେବା ପରେ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଏହାପରେ ବିମାନକୁ  ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିମାନଟି ଲ୍ୟାଣ୍ଡିଂ କରିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଦ୍ୱିତୀୟ ଇଞ୍ଜିନର ଡ୍ରେନ୍ ମାଷ୍ଟରୁ ତେଲ ଲିକ୍ ହେଉଥିବା ଜଣାପଡ଼ିଥିଲା ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସୋମବାର ମଧ୍ୟ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ବିମାନକୁ ଅବତରଣ କରାଯାଇଥିଲା।

Leave A Reply

Your email address will not be published.