Latest Odisha News

BREAKING NEWS

ଓଡ଼ିଶା : ଧନକୁବେରଙ୍କ ହସ୍ତ ମୁଦିମାହାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’

ଗଞ୍ଜମବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ଗୋପାଳପୁର ଶୀତଳାପଲ୍ଲୀ ଠାରେ ଜମି ୨୦୧୪ରେ ଯୋଗାଇଦେଇଥିଲେ । ଦୀର୍ଘ ୮ ବର୍ଷ ହେଲା ସେ ଜମିରେ ଟାଟା କୋଠାବାଡି, ହସ୍‍ପିଟାଲ ପାଇଁ ଯନ୍ତ୍ରପାତି ସ୍ଥାପନ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ହସ୍‍ପିଟାଲ ଆଦୌ କାର୍ଯ୍ୟକାରୀ ହୋଇନି । ଏବେ ତାକୁ ବିକ୍ରି କରିଦେବା ବିଜ୍ଞାପନ ଓଡ଼ିଶା ବାସୀଙ୍କ ପ୍ରତି ଟାଟାର ବୃଦ୍ଧାଙ୍ଗୁଷ୍ଠ ପ୍ରଦର୍ଶନପୂର୍ବକ ଟିଟ୍‍କାର୍‍ ବୋଲି ଧରିନେବାକୁ ହେବ । ଟାଟାର ଠକେଇ କେବଳ ଗଞ୍ଜାମରେ ନୁହେଁ – ମୟୁରଭଞ୍ଜ – ବାଦାମପାହାଡ, ଗୋରୁମହିଷାଣି, ସୁଲେଇପାଟ ଲୁହାପଥର ଖଣି, ସୁକିନ୍ଦାରୁ କ୍ରୋମାଇଟ୍‍, ବଡବିଲ୍‍-ଯୋଡାରୁ ଲୁହାପଥର, ତାଳଚେର-ଅନୁଗୁଳ-ସମ୍ବଲପୁରରୁ କୋଇଲା ଖଣିଖାଦାନରୁ କଞ୍ଚାମାଲ ହାତେଇ ଲକ୍ଷ ଲକ୍ଷ କୋଟି ଟଙ୍କା ଲାଭର ପାହାଡ ସୃଷ୍ଟିକରି ଜାମସେଦ୍‍ପୁର ଷ୍ଟିଲ୍‍ପ୍ଲାଣ୍ଟ ; ପ୍ରତିଷ୍ଠା କରିଛି । ପ୍ରତିଦାନରେ ଓଡ଼ିଶାବାସୀ ପାଇଛନ୍ତି କ’ଣ ? ଖାଲି ଧୂଳି, ଧୂଆଁ, ପାଉଁଶର ପିଣ୍ଡୁଳା, ବିଷଭସ୍ମର ବିଭୀଷିକା, ଅଙ୍ଗାରକାମ୍ଳର ଆଘ୍ରାଣ, ଶରୀର କ୍ଷୟକାରୀ ମୁର୍ମୁହୁଃ ମାରାତ୍ମକ ରୋଗର ପ୍ରକୋପ, ପ୍ରଦ୍ୟୂଷଣ ସମେତ ମୁନାଫାମୁଖୀ ସର୍ବଗ୍ରାସୀ ଶିଳ୍ପଦାନବଦତ୍ତ ଅପ୍ରତ୍ୟାଶିତ ଛଟେଇ, ଅସ୍ଫୁରଣୀୟ ବେକାରୀ, ବିସ୍ଥାପନ, ବିପର୍ଯ୍ୟୟ ଇତ୍ୟାଦି କେତେ କେତେ ଅମାନୁଷୀକ ମହାସମସ୍ୟା ସଙ୍କଟ ସମ୍ବଳିତ ଜୀବନହାନୀକାରକ ଉତ୍କଟ ଉପହାର । ଏବେ କେବଳ ଗଞ୍ଜାମରେ ନୁହେଁ, ସୁକିନ୍ଦା, କଳିଙ୍ଗନଗର, କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଅଞ୍ଚଳରେ ଟାଟା କମ୍ପାନୀ ଦ୍ୱାରା ନିର୍ଯାତିତ, ଶୋଷିତ, ଅତ୍ୟାଚାରିତ, ବିସ୍ଥାପିତ ମଣିଷ ମନରେ ଅଶାନ୍ତି-ଅସନ୍ତୋଷର ଅଦମ୍ୟ ଅନଳ ପ୍ରଜ୍ୱଳିତ ହେବାରେ ଲାଗିଛି । କେତେବେଳେ ଯେ କରାଳ ଭୂମିକମ୍ପ ଭଳି ବିସ୍ଫୋରଣ ନ ଘଟିପାରେ କିଏ କହିବ !
ଟାଟା କମ୍ପାନୀ ଲୁଣଠୁ ଉଡାଜାହାଜ ବିକ୍ରି କରି ସାରା ବିଶ୍ୱରେ ଜଣାଶୁଣା ଧନୀ । କିନ୍ତୁ ଟାଟା କମ୍ପାନୀ ଯେ – ନିର୍ଦ୍ଧୁମ ଠକୁଛି ଏକଥା ଏବେ ଏବେ ଦିନକୁଦିନ ଧରାପଡିବାରେ ଲାଗିଛି । ଟାଟାର ଟଙ୍କା ପଛରେ ଟିଙ୍କ ଭଳି ଅଧିକାଂଶ ନେତା, ବିଧାୟକ, ମନ୍ତ୍ରୀ, ଅଫିସର, ଗୁଣ୍ଡାବାହିନୀ ସମସ୍ତେ ନୁଙ୍ଗୁପୁଙ୍ଗୁ ।

ଜାତୀୟ ଓ ଆଞ୍ଚଳିକ ରାଜକୋଷକୁ କିଭଳି ଟାଟା ହସ୍ତେ ଟେକିଦିଆଯାଇଛି – ଯାଉଛି, ତାହାର ସଦ୍ୟତମ ଉଦାହରଣ – ଗୋପାଳପୁର ଟାଟା ସୁପର ସ୍ପେଶାଲିଟି ହସ୍‍ପିଟାଲ ବିକ୍ରି ହେବାପାଇଁ ବିଜ୍ଞାପନ – ପ୍ରସ୍ତୁତିପର୍ବ ଆରମ୍ଭ । ଯାହାଜଣାପଡୁଛି ଗୌତମ ଆଦାନୀ ପଛରେ ଟାଟା କମ୍ପାନୀ ଦ୍ରୃତଗତିରେ ଧାଉଁଛି ।

ଟାଟା କମ୍ପାନୀ ଦେଶବିଦେଶରେ ବେପାରବଣିଜ ବଜାୟ ରଖିଆସିଛି, ବିତ୍ତବର୍ଧୀ ବପୁଶାଳୀ ବ୍ୟବସାୟର ବିସ୍ତାରବାଦୀ ଚକ୍ରଚାଳନା ଚାଲୁରହିଛି । ୧୯୦୭ ମସିହାରୁ ଟାଟା ଆଇରନ୍‍ ଏଣ୍ଡ୍‍ ଷ୍ଟିଲ୍‍ କମ୍ପାନୀ ରେଜିଷ୍ଟର୍‍ ହୋଇଥିଲା । ୧୯୨୪ ପର୍ଯ୍ୟନ୍ତ ତା ବ୍ୟବସାୟରେ କେହି ହସ୍ତକ୍ଷେପ କରିନଥିଲେ । ୧୯୧୮ରେ ସୁବାଷ ଚନ୍ଦ୍ର ବୋଷ ଟାଟା ଷ୍ଟିଲକୁ ଭାରତୀୟକରଣ କରିବାପାଇଁ ଦାବି କଲେ । ୧୯୨୫ରେ ନ୍ୟୁୟ ରେଲ୍‍ ମିଲ୍‍, ମାର୍ଚେଣ୍ଡ୍‍ ମିଲ୍‍, ଷ୍ଟିଲ୍‍ ମିଲ୍‍, ଆରମ୍ଭ କରିବାବେଳେ ମହାତ୍ମାଗାନ୍ଧୀ, ଚିତ୍ତରଞ୍ଜନ ଦାସ ଓ ସି.ଏଫ୍‍. ଆଣ୍ଡୁି୍ର‌୍ୟଜ୍‍ ଜାମସେଦପୁର ଯାଇ ଜେଆରଡି ଟାଟା ସହିତ ଶ୍ରମିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

୨୦୦୭ରେ ଭିଏତ୍‍ନାମାରେ ଷ୍ଟିଲ୍‍ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା । ୨୦୧୬ରେ କଳିଙ୍ଗନଗରରେ ଟାଟାଷ୍ଟିଲ୍‍ ବ୍ୟବସାୟୀକ ଉତ୍ପାଦନ କରୁଛି । ସେଇ ୨୦୧୬ରେ ଟାଟାଷ୍ଟିଲ୍‍ ଗୋପାଳପୁରରେ ଫେରୋକ୍ରୋମ୍‍ ପ୍ଲାଣ୍ଟ ଉଦ୍‍ଘାଟନ କରିଥିଲା ।

୨୦୧୭ରେ ଟାଟାଷ୍ଟିଲ୍‍ କଳିଙ୍ଗନଗରରେ ଦେଶର ବୃହତ କୋକ୍‍ ଡ୍ରାଗ୍‍ ଖିଚିଂ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ୨୦୧୮ରେ ଓଡିଶା ସରକାରଙ୍କ ବ୍ରାହ୍ମଣୀପାଲ୍‍ ଫେରୋକ୍ରୋମ୍‍କାରଖାନାକୁ ଶାଗମାଛମୂଲ୍ୟରେ ପୁରା କିଣିନେଇଛି । ଏହି ଅନ୍ୟାୟ ରାଜ୍ୟ ସ୍ୱାର୍ଥ ବିରୋଧୀ କିଣାବିକା ବିରୁଦ୍ଧରେ ଏ ଅଧିନ ଉଚ୍ଚନ୍ୟାୟାଳୟରେ ମକଦ୍ଦମା କରିଥିଲେ । ଟାଟା କମ୍ପାନୀ ମୋ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ମକଦ୍ଦମା କଲେ । ମୁଁ ଟାଟାକୁ ଜଣାଇଦେଲି ମକଦ୍ଦମାରେ ଗୋଟିଏ ଟଙ୍କା ଖର୍ଚ୍ଚ କରିପାରିବିନି । ମତେ ଯଦି ଜେଲ୍‍ ହୋଇଯାଏ ମୁଁ ରାଜି । ଆଉ ଟାଟା ଆଗକୁ ଆଗେଇଲା ନାହିଁ । ପୁଣି ସେଇ ଟାଟା ୨୦୧୮ରେ ଭୂଷଣଷ୍ଟିଲ୍‍ ଲିମିଟେଡକୁ ଅଧା-ଅଧା ଯୁଗ୍ମମାଲିକାନାରେ ଚଳାଇଛି । ଏ ସବୁ ହିସାବ ୨୦୧୮ ମସିହାର ।

୨୦୧୯-୨୦-୨୧-୨୨-୨୩-୨୪ ପାଖାପାଖି ୫ ବର୍ଷର ଟାଟା ସମ୍ପତ୍ତି ହିସାବ ଆମ ପାଖରେ ନାହିଁ । ହୁଏତ ଟାଟାର ସୂର୍ଯ୍ୟାସ୍ତହୀନ ଶିଳ୍ପସାମ୍ରାଜ୍ୟଭୁ୍‍କ୍ତ ସମ୍ପତ୍ତିର ହିମାଳୟପର୍ବତ ଦେଖି ଆପଣମାନଙ୍କର ଆଖିଖୋସି ହୋଇଯାଉଥିବ । ଦେଶବିଦେଶରୁ ବୁଦ୍ଧିଆକର୍ମଚାରୀ, ଅଫିସର, ଇଂଜିନିୟର, କାରିଗରମାନଙ୍କୁ ମୋଟା ଅଙ୍କରେ ଟଙ୍କା ଓ ସୁବିଧାସୁଯୋଗ ଦେଇ ମୁଣ୍ଡ କିଣିନେଇଛି । ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଟାଟା ବିରଳାଙ୍କ ଟଙ୍କାରେ ସ୍ୱାଧୀନତା ଆନ୍ଦୋଳନ ଚଳାଇଥିଲେ । ଓଡ଼ିଶାରୁ ଉତ୍କଳମଣୀ ଗୋପବନ୍ଧୁ ଦାସ ବିରୋଧ କରିଥିଲେ । ଏବେ ଟାଟାର ଏ ଟିଟ୍‍କାର୍‍କୁ ବିରୋଧ କରିବା ଲୋକ ବିଦେଶରେ କି ଦେଶରେ ନାହାଁନ୍ତି ।

ଜାମସେଦପୁରରେ ଶ୍ରମିକନେତା ଅବଦୁଲ୍‍ବାରୀଙ୍କୁ ହତ୍ୟା କରାଗଲା । ଏଇ ଓଡ଼ିଶାରେ ଟିସ୍‍କୋସୁକିନ୍ଦା ଖଣିରେ ଶ୍ରମିକଙ୍କ ନାର୍ଯ୍ୟଦାବିନେଇ ଆନ୍ଦୋଳନ କରୁଥିବାବେଳେ ଆମ ୟୁନିୟନର ଶ୍ରମିକନେତା ଶ୍ୟାମାପଦ ରାଉତଙ୍କୁ ଭଡାଟିଆ ଗୁଣ୍ଡାବାହିନୀ ଦ୍ୱାରା ଦିନଦ୍ୱିପହରରେ ହତ୍ୟା କରିଦିଆଗଲା । ସେ ବିଚାର ୩୦ ବର୍ଷ ହେଲା ସିବିଆଇ କରୁଛି ଯେ କରୁଛି – ଏ ପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିପାରୁନି ।
ଧନ୍ୟରେ ସିବିଆଇ ।

ଆମ ଓଡ଼ିଶା ଓ ସାରା ଭାରତରେ ଏବେ ବିଜୁଳି ଉପରେ ନଜର । ଟାଟା ପାୱାର ଗରିବଗୁରୁବାଙ୍କୁ ଲୁଟୁଛି ? ଟାଟା ଯେଉଁ ଡିଜିଟାଲ୍‍ମିଟରବୋର୍ଡ ଘରେଘରେ ଲଗାଉଛି – ସେଥିରେ ଓଡ଼ିଶା ସରକାରଙ୍କ ବିଲ୍‍
ଅପେକ୍ଷା ବହୁଗୁଣ ଅଧିକ ଆସୁଛି । ଟାଟାମିଟର ବସାଇ ମିଟରପିଛା ୩୦ପଇସା ବଢାଇଦେଇଛି । ଆହୁରି ବଢାଇବ ବୋଲି ଧମକ ଦେଲାଣି । ତା’ହେଲେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଯେଉଁମାନେ ବିଜୁଳି ବ୍ୟବହାର କରୁଛନ୍ତି ସମସ୍ତଙ୍କ ଉପରେ ବୋଝ ଉପରେ ନଳିତା ବିଡା । ଏକୁ ତୁରନ୍ତ ପଇଠ ନ କରିପାରିଲେ ବିଜୁଳିକାଟିଦେବାକୁ କିନ୍ନରପେଶୀ, ଗୁଣ୍ଡାମାନଙ୍କୁ ପଠାଇ ଧମକଚମକ ଦେଉଛି

ଏସବୁ କାର୍ଯ୍ୟରେ ସରକାରୀ ବିଜୁଳି ବିଭାଗ କର୍ମଚାରୀ, ଅଫିସରମାନେ ଯେପରି ଟାଟାର ଆଜ୍ଞାବହ ପାଲଟିଯାଇଛନ୍ତି । ଆମେ ବିଜୁଳି ନ ଜାଳି ପୁଣି ସେଇ ଦୀପ, ଡିବି, ଲଣ୍ଠନ ଯୁଗକୁ ଫେରିଯିବା କି ?
ଯେଉଁଦିନଠୁ ଜାମସେଦ୍‍ଜୀଟାଟାଠୁ ରତନ୍‍ଟାଟା ପର୍ଯ୍ୟନ୍ତ ଆମ ଓଡ଼ିଶାରୁ ଲୁହାପଥର ନେଇ ଜାମସେଦପୁରରେ ଇସ୍ପାତ କାରଖାନା କଲେ – ୧୭ ବର୍ଷତଳେ କଳିଙ୍ଗନଗର ଗୁଳିକାଣ୍ଡ ଘଟାଇ ସଂଖ୍ୟାଗରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ, ଅଫିସରଙ୍କୁ ବକ୍‍ରି ବନାଇ ହାଟବଜାରରେ ବିକ୍ରି କରିଦେଇ ଟାଟାଷ୍ଟିଲ୍‍ପ୍ଲାଌକ୍ଷଗ୍ଧ; କଳିଙ୍ଗନଗର ଆଦିବାସୀଙ୍କ ଭିଟାମାଟି ଉପରେ ଗଢିଉଠିଲା । ଅଧିକାଂଶ ବାସହରା ହୋଇ ଚାକିରୀବାକିରୀ ନପାଇ ଏବେ ଅନ୍ଧଗଳିର ଅନାଥ ପଟୁଆରରେ ସାମିଲ । ଟାଟାକମ୍ପାନୀର ଅନ୍ୟାୟବିରୁଦ୍ଧରେ ନା ସରକାର, ନା ନେତା କେହି ପାଟି ଫିଟାଉନାହାଁନ୍ତି ।

ଅଧିକାଂଶଙ୍କୁ ବୋଦା, ଖାସି, ମାଇଛେଳିମେଣ୍ଢା ବନାଇବା ପ୍ରକ୍ରିୟା ଏବେବି ଆଗଠୁ ଆହୁରି ପ୍ରଖର ଭାବରେ ଚାଲୁ ରହିଛି । ଟାଟା କମ୍ପାନୀର ଅଭାବଅନାଟନ ପାଇଁ ସିନା ଗୋପାଳପୁର ହସପିଟାଲ ବିକିବାକୁ ଯାଉଛନ୍ତି ?

ସୁକିନ୍ଦା, ସାରୁଆବିଲ୍‍, କମର୍ଦ୍ଦା ଖଣି, କଳିଙ୍ଗନଗର ଷ୍ଟିଲପ୍ଲାଣ୍ଟ ବ୍ରାହ୍ମଣୀପାଳ ଚାର୍ଜକ୍ରୋମ୍‍ ପ୍ରମୂଖ ଶ୍ରମିକ, କର୍ମଚାରୀ ଓ ଆଦିବାସୀ, ଦଳିତବର୍ଗ ବିସ୍ଥାପିତମାନଙ୍କ ସରକାରୀ ନିୟମାନୁଯାୟୀ ପ୍ରାପ୍ୟ ପାଉଣା ଏପର୍ଯ୍ୟନ୍ତ ଠକିଚାଲିଥିବା ଲକ୍ଷ ଲକ୍ଷ କୋଟି ଟଙ୍କା ପଇଠ କରିବାପାଇଁ କଳିଙ୍ଗନଗର ଷ୍ଟିଲ୍‍ ପ୍ଲାଣ୍ଟ ବିକିବ ନାହିଁ କି? ଦେଶର ଶ୍ରମଜୀବୀଙ୍କ ବକେୟା ପାଉଣା ଦେବାପାଇଁ ଜାମ୍‍ସେଦପୁର ଷ୍ଟିଲ୍‍ ପ୍ଲାଣ୍ଟ କେବେ ବିକ୍ରି କରିବ ?

ଏବେ ଆଦାନୀ ବିରୁଦ୍ଧରେ ସାରା ବିଶ୍ୱରୁ ଝଡ ଉଠିଛି । ପରେ ପରେ ଟାଟା କ’ଣ କରିବେ ମୋଦି ? କିଂକର୍ତ୍ତବ୍ୟମୂଢ ! ବେଳ ଥାଉଥାଉ – ହେ – ଟିସ୍କୋ – ସୁଧୁରି ଯା – ଶୀଘ୍ର ଗୋପାଳପୁରରେ ବିକ୍ରି ବନ୍ଦ କରି ସୁପର ହସପିଟାଲ୍‍ କାର୍ଯ୍ୟକ୍ଷମ କର । ୨୦୨୩ ମସିହାରେ ବିଶ୍ୱର ଦୁଇନମ୍ବରଧନୀ ଗୌତମଆଦାନୀ କମ୍ପାନୀଙ୍କ ଅବସ୍ଥାକୁ ଟିକେ ନଜର ପକା । ଏ ଅଧମ ତମ ବିରାଟସାମ୍ରାଜ୍ୟ ବେଲୁନ୍‍ରେ ପିନ୍‍ କଣ୍ଟା ଫୋଡିଦେଇଛି । ଆଉ ଅନେକ ଅଧମ ଦେଶ ତଥା ରାଜ୍ୟରେ ଆଜି ତ ଜମିଗଲେଣି, କାଲି ନିଶ୍ଚୟ ଜାଗିଉଠିବେ ଜନତା । ଅନ୍ୟ ପାପୀମାନଙ୍କ ବେଲୁନକୁ ଫଟେଇଦେବେ । ଏବେ ଚିନ୍ତାକର – ନହେଲେ ଟାଟାକମ୍ପାନୀ ତୁମ ଛଇଛାଡିଯିବ ଛକେ ଛକେ – ଛ’ଦିନକେ । ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଦଳମତନିର୍ବିଶେଷରେ ଜନଗଣ ଐକ୍ୟବଦ୍ଧ ହୋଇ ଟାଟା ହଟାଅ ଆନ୍ଦୋଳନ ଗଢିତୋଳନ୍ତୁ । ପରେ ପରେ ସାରା ଓଡ଼ିଶାରେ ବିରାଟଆନ୍ଦୋଳନ ଗଢିଉଠିବ । ‘ସବୁ ଶୋଷକ, ପୁଞ୍ଜିପତି ହଟାଅ – ଓଡ଼ିଶା ବଞ୍ଚାଅ’ ନାରା ପ୍ରକମ୍ପିତ ହେବ । ଦେଶୀବିଦେଶୀ ଧନକୂବେରଙ୍କଙ୍କ ଚକବନ୍ଦୀ ଚରାଭୂଇଁ ଚକ୍‍କରରୁ ଓଡିଶା ମା’କୁ ଉଦ୍ଧାର କର – ହେ ଦେଶପ୍ରେମୀ ! ଦୁର୍ବାର ସନ୍ତାନଦଳ !! ଉଠ କଙ୍କାଳ, ମାତ କାଙ୍ଗାଳ, ଜାଗ ଦୁର୍ବଳ ଆଜି !!!

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.