Latest Odisha News

BREAKING NEWS

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ।

ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ ଓ ତାପରେ ବେସରକାରୀ। ଏହାବାଦ୍ ଆଉ ଗୋଟିଏ ବେସରକାରୀ ଡାକ୍ତରଖାନା ମଧ୍ୟ ରହିଛି। ସରକାରୀ ଡାକ୍ତରଖାନାଗୁଡ଼ିକ ଜନମଙ୍ଗଳ ପାଇଁ ପ୍ରତିଷ୍ଠା ହୋଇଛି। ଏଥିରେ ରୋଗୀଙ୍କର ଖର୍ଚ୍ଚ କମ। ଆଉ ଅଧିକାଂଶ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବାରୁ ଏଗୁଡ଼ିକ ଉପରେ ବୋଝ କିନ୍ତୁ ଅଧିକ। ରୋଗୀସେବା କ୍ଷେତ୍ରରେ ପ୍ରାଇଭେଟ୍ ଡାକ୍ତରଖାନାଗୁଡ଼ିକ ଲାଭକାରୀ ହୋଇଥିବାରୁ ରୋଗୀ ଏଠାରେ ଅଧିକ ଖର୍ଚ୍ଚାନ୍ତ ହୁଅନ୍ତି। ତେବେ ଦେଶରେ ଏମିତି କିଛି ଘରୋଇ ଡାକ୍ତରଖାନା ବି ଅଛନ୍ତି ଯେଉଁମାନେ ଅଣଲାଭକାରୀ। ଏ ପ୍ରକାର ଡାକ୍ତରଖାନାର ପରିଚାଳନା ଓ ସେବା ସମ୍ପର୍କରେ ନିତି ଆୟୋଗ ଅନୁସନ୍ଧାନ କରିବା ସହ ଏଭଳି ଡାକ୍ତରଖାନାର ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି।

ନିତି ଆୟୋଗ ତାଙ୍କ ରିପୋର୍ଟରେ ଅଣଲାଭକାରୀ ଘରୋଇ ଡାକ୍ତରଖାନା ଓ ଲାଭକାରୀ ଘରୋଇ ଡାକ୍ତରଖାନାଗୁଡ଼ିକରେ ଖର୍ଚ୍ଚଠାରୁ ଆରମ୍ଭ କରି ଅନ୍ୟ ସବୁ ଦିଗ ଉପରେ ତଥ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ଘରୋଇ ଡାକ୍ତରଖାନାଗୁଡ଼ିକ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି ହେଲେ ଅଣଲାଭକାରୀ ଡାକ୍ତରଖାନାଗୁଡ଼ିକ ସମ୍ପର୍କରେ ବିଶେଷ କିଛି ତଥ୍ୟ ନାହିଁ। ସେମାନେ କିପରି ବର୍ଷ ବର୍ଷ ଧରି କମ ଖର୍ଚ୍ଚରେ ରୋଗୀଙ୍କୁ ସେବା ଯୋଗାଇଦେଇ ଆସୁଛନ୍ତି ସେ ସମ୍ପର୍କରେ ନିତି ଆୟୋଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଭଳି ଡାକ୍ତରଖାନାଗୁଡ଼ିକ କେବଳ ସ୍ଵାସ୍ଥ୍ୟସେବା ଯୋଗାଉଛନ୍ତି ତାହା ନୁହେଁ ସାମାଜିକ ସଂସ୍କାର କ୍ଷେତ୍ରରେ ମଧ୍ୟ ଏମାନଙ୍କର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସରକାରୀ ଅନୁଦାନର ଏମାନେ ସଦୁପୋଯୋଗ କରିବା ସହ ରୋଗୀଙ୍କୁ କମଖର୍ଚ୍ଚରେ ସେବାଯୋଗାଇ ଆସୁଥିଲେ ମଧ୍ୟ ଏହି ଡାକ୍ତରଖାନାଗୁଡ଼ିକ ସେତିକି ଗୁରୁତ୍ଵ ପାଇନାହାନ୍ତି। ନିତି ଆୟୋଗ ତାଙ୍କ ରିପୋର୍ଟରେ ଏଭଳି ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରିବା ସହ ପ୍ରଦର୍ଶନ ଦୃଷ୍ଟିରୁ ସେଗୁଡ଼ିକର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାସହିତ ଭଲ ପ୍ରଦର୍ଶନ କରୁଥିବା ଡାକ୍ତରଖାନାଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ସୀମିତ ସମ୍ବଳରେ କିପରି ଦୁର୍ଗମ ଓ ଅଗମ୍ୟ ଅଞ୍ଚଳରେ ଡାକ୍ତରଖାନା ପରିଚାଳନା କରିହେଉଛି; ଏହାକୁ ନେଇ ସେମାନଙ୍କ ଅଭିଜ୍ଞତାକୁ ସରକାର ବ୍ୟବହାର କରିବା ଦରକାର ବୋଲି ନିତି ଆୟୋଗ ପରାମର୍ଶ ଦେଇଛନ୍ତି।

ନିତି ଆୟୋଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଘରୋଇ ଡାକ୍ତରଖାନାଗୁଡ଼ିକରେ ହେଉଥିବା ଖର୍ଚ୍ଚ ତୁଳନାରେ ଅଣଲାଭକାରୀ ଡାକ୍ତରଖାନାଗୁଡ଼ିକରେ ୨୦ରୁ ୩୦ ପ୍ରତିଶତ ଯାଏ କମ ଖର୍ଚ୍ଚ ହେଉଛି। ତେଣୁ ଏହି ସବୁଡାକ୍ତରଖାନାର ବିକାଶ ପାଇଁ ନୀତିଗତ ନିଷ୍ପତ୍ତି ନେବା ପାଇଁ ସୁପାରିସ ହୋଇଛି।

 

Leave A Reply

Your email address will not be published.