ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ସୀମା ପାର୍ କରିଛି। ଦଳରୁ ନିଲମ୍ବିତ ହୋଇଥିବା ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ସିଧାସଳଖ ଯୁଦ୍ଧ ଦେହୀ ଡାକରା ଦେଇଛନ୍ତି।
ପ୍ରତାପ ଜେନାଙ୍କୁ ଦଳର ‘ମୁଖ୍ୟ ଖଳନାୟକ’ ଆଖ୍ୟା ଦେଇ ରମାକାନ୍ତ ଯେଭଳି ଭାବେ ବିଷ ଓଗାଳିଛନ୍ତି, ତାହା ଶଙ୍ଖ ଶିବିରର ହଟଚମଟକୁ ପଦାରେ ପକାଇ ଦେଇଛି। ବିଶେଷ କରି ମାହାଙ୍ଗା ରାଜନୀତିର ଚର୍ଚ୍ଚିତ ଚେହେରା ସାରଦା ଜେନାଙ୍କ ଓପନ ଚାଲେଞ୍ଜକୁ ପ୍ରସଙ୍ଗ କରି ପ୍ରତାପଙ୍କ ସାହସ ଉପରେ ରମାକାନ୍ତ ପ୍ରଶ୍ନ ଉଠାଇବା ପରେ କଟକ ଓ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଉଠିଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରମାକାନ୍ତ ଭୋଇ କହିଛନ୍ତି ଯେ, ପ୍ରତାପ ଜେନା ହେଉଛନ୍ତି ସବୁଠି ବିଶୃଙ୍ଖଳା ସୃଷ୍ଟି କରିବାର ମୂଳ ଲୋକ । ନିଜ ନିର୍ବାଚନ ମଣ୍ଡଳୀ ଛାଡ଼ି ସେ ଅନ୍ୟ ନେତାଙ୍କ ଅଞ୍ଚଳରେ ଅନଧିକାର ପ୍ରବେଶ କରୁଛନ୍ତି।
“ଯଦି ପ୍ରତାପ ବାବୁଙ୍କର ଏତେ ସାହସ ଅଛି, ତେବେ ସେ ସାରଦା ଜେନାଙ୍କ ଓପନ୍ ଚାଲେଞ୍ଜକୁ ଗ୍ରହଣ କରନ୍ତୁ ଏବଂ ମାହାଙ୍ଗା ମାଟିରେ ଲଢ଼ନ୍ତୁ। ସେ ନିଜ ଜାଗା ଛାଡ଼ି କଟକ ସଦର ଆଉ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କାହିଁକି ମୁଣ୍ଡ ପୂରାଉଛନ୍ତି? ଏମିତି ସହଜିଆ ଜାଗା ଖୋଜି ପଶିଲେ ଲୋକେ ଗ୍ରହଣ କରିବେନି।” ବୋଲି ରମାକାନ୍ତ ଭୋଇ, କହିଛନ୍ତି ଲ
“ମୋତେ ନଜଣାଇ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିଲେ”
ରମାକାନ୍ତ ଅଭିଯୋଗ କରିଛନ୍ତି ଯେ, ସେ ବିଧାୟକ ଥିବା ସମୟରେ ପ୍ରତାପ ଜେନା ତାଙ୍କୁ କୌଣସି ସୂଚନା ନଦେଇ ତିର୍ତ୍ତୋଲ ଗସ୍ତ କରୁଥିଲେ ଏବଂ ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିଲେ। ଏ ସମ୍ପର୍କରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଗୁହାରି କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଶେଷରେ ବାଧ୍ୟ ହୋଇ ସେ ଦଳୀୟ କର୍ମୀଙ୍କ ସହ ସ୍ୱାଗତ କରିବାକୁ ବାଧ୍ୟ ହୋଇଥିଲେ। କେବଳ ତିର୍ତ୍ତୋଲ ନୁହେଁ, କଟକ ସଦରର ବିଧାୟକ ପ୍ରାର୍ଥୀଙ୍କୁ ପଚାରିଲେ ମଧ୍ୟ ସେ ପ୍ରତାପଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ବାବଦରେ ସମାନ କଥା କହିବେ ବୋଲି ରମାକାନ୍ତ ପ୍ରକାଶ କରିଛନ୍ତି।
ନିଜର ନିଲମ୍ବନ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ରମାକାନ୍ତ କହିଛନ୍ତି, “ମୁଁ ଏବେ ବି ବିଜେଡିରେ ଅଛି ଏବଂ ନବୀନ ପଟ୍ଟନାୟକ ହିଁ ଆମ ନେତା। ବିଗତ ଦିନରେ ବିଷ୍ଣୁ ଦାସ ଓ ପ୍ରତାପ ଜେନା ମଧ୍ୟ ଦଳରୁ ନିଲମ୍ବିତ ହୋଇ ପରବର୍ତ୍ତୀ ସମୟରେ ମନ୍ତ୍ରୀ ହୋଇଛନ୍ତି। ନିଲମ୍ବନ ଏକ ଦଳୀୟ ପ୍ରକ୍ରିୟା, ଯାହା ଆଗାମୀ ଦିନରେ ପ୍ରତ୍ୟାହାର ହୋଇପାରେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ନେଇ ବିଜେଡି ନେତୃତ୍ୱ ଭିତରେ ଅନୁତାପ ଆରମ୍ଭ ହେଲାଣି। କେତେକ ନେତା ବାଚସ୍ପତି ଓ କୋର୍ଟକୁ ଯିବାକୁ ଧମକ ଦେଉଛନ୍ତି, କିନ୍ତୁ ସେଥିରୁ କିଛି ଫଳ ମିଳିବ ନାହିଁ ବୋଲି ସେ ଜାଣିଛନ୍ତି।
Comments are closed.