Latest Odisha News

BREAKING NEWS

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନଗ୍ନ ଉଦାହରଣ ।

ମାତ୍ର ଜଣେ ଚତୁର୍ଥ ଶ୍ରେଣୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭରସାରେ ଚାଲିଛି ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଅଛନ୍ତି ଡାକ୍ତର ନା ଅଛି ଆନୁସାଙ୍ଗିକ ବ୍ୟବସ୍ଥା । ଜାଣି ଚକିତ ହେବେ ଅବହେଳିତ ଅବସ୍ଥାରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଜଗଦଲପୁର ଓ ଶରଧାପୁର ପଂଚାୟତର ୭୦ଟି ଗାଁର ୧୨ ହଜାର ଲୋକେ ନିର୍ଭରଶୀଳ ।

ମୁନିଗୁଡା ବ୍ଲକଠାରୁ ୧୫ କି.ମି ଦୂରରେ ଥିବା ଖମ୍ବେଶ ଓ ସାହାଡା ପଂଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ ହୋଇଛନ୍ତି । କିନ୍ତୁ ମୁନିଗୁଡା ବ୍ଲକର ଅମ୍ବାଦଲା, କୁମୁଡୁବାଲି, ଜଗଦଲପୁର ଓ ଶରଧାପୁର ପଂଚାୟରେ କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇପାରିନି । ବର୍ତ୍ତମାନ ରାଜ୍ୟରେ ବର୍ଷା ଲାଗି ରହିଛି । ଏପରି ସ୍ଥିତିରେ ଗ୍ରାମାଂଚଳରେ ନାନା ରୋଗରେ ଲୋକେ ପୀଡିତ ହେବାର ନଜିର ରହିଛି । ବେଳ ଥାଉଥାଉ ଯଦି ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତ କରାନଯାଏ ତେବେ ଆଗକୁ ଗମ୍ଭୀର ସ୍ଥିତି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.