ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ସମ୍ପର୍କିତ ନେଦରଲ୍ୟାଣ୍ଡସର ହେଗ୍ସ୍ଥିତ ‘ଆର୍ବିଟ୍ରେସନ୍ କୋର୍ଟ’ ଦେଇଥିବା ରାୟକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ ଭାବେ ଜଣାଇଛି ଯେ, ଏହି ମାମଲାରେ ଶୁଣାଣି କରିବା କିମ୍ବା କୌଣସି ଆଦେଶ ଦେବାର କୌଣସି ଆଇନଗତ ଅଧିକାର ଏହି ମଧ୍ୟସ୍ଥତା ଅଦାଲତର ନାହିଁ।
ଭାରତ ଦର୍ଶାଇଛି ଯେ, ୧୯୬୦ ମସିହାରେ ସ୍ବାକ୍ଷରିତ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ବିବାଦ ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି। ଭାରତ ନିଜର ଜଳବିଦ୍ୟୁତ୍ ପ୍ରକଳ୍ପ—‘କିଷନ୍ଗଙ୍ଗା’ ଏବଂ ‘ରତଲେ’ ନିର୍ମାଣ କରୁଥିବା ବେଳେ ପାକିସ୍ତାନ ଏହାକୁ ନେଇ ଆପତ୍ତି ଉଠାଇଥିଲା। ପାକିସ୍ତାନର ଅନୁରୋଧ କ୍ରମେ କୋର୍ଟ ଗଠନ କରାଯାଇଥିଲା, ଯାହାକୁ ଭାରତ ଆରମ୍ଭରୁ ହିଁ ଅବୈଧ ବୋଲି କହି ଆସୁଛି।
ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିର ନିୟମାବଳୀକୁ ଉଲ୍ଲଂଘନ କରି ଏହିପରି ଏକତରଫା କୋର୍ଟ ଗଠନ କରାଯାଇଛି। ତେଣୁ ଏହି ଅଦାଲତ ଦ୍ୱାରା ପ୍ରକାଶିତ କୌଣସି ବି ରୁଲିଂ କିମ୍ବା ରାୟ ଭାରତ ଉପରେ ଲାଗୁ ହେବ ନାହିଁ ଏବଂ ଏହାର କୌଣସି ଆଇନଗତ ମାନ୍ୟତା ନାହିଁ ।
ଗତବର୍ଷ ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ପାକିସ୍ତାନ ବିରୋଧରେ କେତେକ କଠୋର ପଦକ୍ଷେପ ନେଇଥିଲା ଏବଂ ସିନ୍ଧୁ ଜଳ ଚୁକ୍ତିର ସଂଶୋଧନ ଓ ପୁନରୀକ୍ଷଣ ପାଇଁ ଦାବି କରିଥିଲା। ଭାରତ ସ୍ପଷ୍ଟ କରିଛି ଯେ, ନିଜର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସ୍ୱାର୍ଥର ସୁରକ୍ଷା ପାଇଁ ଦେଶ ନିଜର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରିବ, ଅନ୍ୟ କୌଣସି ତୃତୀୟ ପକ୍ଷ କିମ୍ବା ଅଧିକାରହୀନ ଅଦାଲତର ନିଷ୍ପତ୍ତିକୁ ଗ୍ରହଣ କରିବ ନାହିଁ।


Comments are closed.