Latest Odisha News

BREAKING NEWS

ବିରୋଧୀ ଦଳ ନେତାଙ୍କୁ ସାର୍ଟିଫିକେଟ ଦେବେ ଓଡ଼ିଶାବାସୀ, ବିଜେଡି ନୁହେଁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ନେଇ ବିରୋଧୀଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ତ ପୁଞ୍ଜିନିବେଶ କେମିତି ଆସୁଛି ? ନବୀନଙ୍କ କାଉଣ୍ଟର ପରେ ବିଜେପି ପୁଣି ଥରେ ଟାର୍ଗେଟ୍ କରିଛି । ଦଳର ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି, ଓଡ଼ିଶାବାସୀଙ୍କୁ କ୍ରମାଗତ ଭାବେ ମିଛ କହି ଭୁଆଁ ବୁଲାଉଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ଆଜିକାଲି ସତ ଶୁଣିଲେ ଚମକି ପଡ଼ିବା ସହିତ ପ୍ରତିକ୍ରିୟାଶୀଳ ହୋଇ ପଡ଼ୁଛନ୍ତି । ଏପରିକି ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉନାହାନ୍ତି ।

ନିଜେ ରାଜ୍ୟ ସରକାର ଦେଇଥିବା ତଥ୍ୟକୁ ସ୍ୱୀକାର କରୁନାହାନ୍ତି ଶାସକ ବିଜେଡିର ନେତା । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାରେ ଆଣି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଛନ୍ତି । ସେଥିରେ ବିଜୁ ଜନତା ଦଳ ବିଚଳିତ ହୋଇଯାଇ ତାଙ୍କ ପ୍ରଶ୍ନର ଜବାବ୍ ନଦେଇ ପାରି ଏକ ସାମ୍ବିଧାନିକ ପଦରେ ଥିବା ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତି ଶସ୍ତା ରାଜନୀତି କରୁଛି ବୋଲି କହିଛନ୍ତି ଠାକୁର ରଣଜିତ୍ ଦାସ ।

ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଜୟ ନାରାୟଣ ମିଶ୍ର ଉଠାଇଥିବା ସମସ୍ତ ପ୍ରଶ୍ନରୁ କୌଣସି ଗୋଟିଏ ବି ପ୍ରଶ୍ନର ଉତ୍ତର ବିଜୁ ଜନତା ଦଳ ଦେଇପାରି ନାହିଁ । ବଂର ବିଜୁ ଜନତା ଦଳର କୁହାଳିଆ ମୁଖପାତ୍ରମାନେ ବାଉଳା ଚାଉଳା ହୋଇ ନିଜର ମାନସିକ ଦେବାଳିଆକୁ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି ।
ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେଇଥିବା ବିଜେଡି ନେତାମାନେ ଓଡ଼ିଶାର ଅସ୍ମିତା ପ୍ରସଙ୍ଗରେ କିଛି କହିବାର ଅଧିକାର ହରାଇଛନ୍ତି । ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଆଜି ସମସ୍ତ ଓଡିଆଙ୍କ ପାଇଁ ଆଶାର ଆଲୋକ ସାଜିଥିବା ଶ୍ରୀ ମିଶ୍ରଙ୍କୁ ସାର୍ଟିଫିକେଟ ଦେବାର ଅଧିକାର କେବଳ ଓଡ଼ିଶାବାସୀଙ୍କର ରହିଛି । ସାଢେ ଚାରି କୋଟି ଓଡ଼ିଆଙ୍କୁ ନିଜର ଜାଗିର ବୋଲି ବିଜେଡି ଭାବିବା ଉଚିତ୍ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି ।

ରାଜ୍ୟ ଶାସନ କିଏ ଚଲାଉଛି ? ୨୦୨୧ ତୁଳନାରେ ୨୦୨୨ରେ ୧୪.୬୫ ପ୍ରତିଶତ ଧର୍ତ୍ତବ୍ୟ ଅପରାଧ ବୃଦ୍ଧି ପାଇଛି । ଗତ ୧୦ ବର୍ଷରେ କ୍ରାଇମବ୍ରାଞ୍ଚ ଦ୍ୱାରା ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫୩ ଦିନ ପରେ ମଧ୍ୟ କାରଣ ସଂପର୍କରେ ପୋଲିସ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବାର କାରଣ କଣ ? ଓଡ଼ିଶାରେ ଲଲେସନେସ୍ ସ୍ଥିତି ଉପୁଜି ନାହିଁକି ? ୨୦୧୯-୨୨ ଭିତରେ ବିଦେଶୀ ପୁଂଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ମାତ୍ର ୦.୮ ପ୍ରତିଶତ ପୁଂଜି ଓଡ଼ିଶାକୁ ଆସିଛି । ଏହା କଣ ମେକ୍ ଇନ୍ ଓଡ଼ିଶାର ବିଫଳତା ନୁହେଁ କି ? ଏଭଳି ପ୍ରଶ୍ନର ଜବାବ୍ ମାଗୁଥିବା ବିରୋଧୀ ଦଳ ନେତାଙ୍କୁ ଓଡ଼ିଶା ବିରୋଧୀ ବୋଲି କହିବା ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ଦାସ କହିଛନ୍ତି ।

Leave A Reply

Your email address will not be published.