Latest Odisha News

BREAKING NEWS

ପ୍ରତ୍ୟକ୍ଷ ସାକ୍ଷାତର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ ଫୋନରେ କାର୍ଯ୍ୟ କରୁଛନ୍ତି: ବିଜେଡି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିକୁ ନେଇ ଥରେ କି ଦୁଇଥର ନୁହେଁ, ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ବିରୋଧୀ ଦଳ । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ।

ପ୍ରତାପ ଦେବଙ୍କ ଅନୁଯାୟୀ, ପ୍ରତ୍ୟକ୍ଷ ଭାବେ କାହାକୁ ଭେଟିବା କିମ୍ବା କେଉଁଠି ଉପସ୍ଥିତ ରହିବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତ୍ୱ ବହନ କରେ । ଖାସ କରି କୋଭିଡ୍ ମହାମାରୀ ସମୟରେ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଦୌ ଜରୁରୀ ନୁହେଁ ।

ଓଡିଶା ସମ୍ବାଦକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ସମୟରେ ପ୍ରତାପ ଦେବ କହିଥିଲେ, “ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗ ଭଳି ନେତା କିମ୍ବା ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରୁନାହାନ୍ତି । ତେବେ କୋଭିଡ୍ ମହାମାରୀ ପୂର୍ବରୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିଲୁ । ହେଲେ ବର୍ତ୍ତମାନ ସମୟରେ ଫୋନ୍ କଲ ମାଧ୍ୟମରେ ହିଁ ସମସ୍ତ କାମ ସୁଚାରୁ ରୂପେ ପରିଚାଳିତ ହୋଇପାରୁଛି ।”

ପଂଚାୟତ ନିର୍ବାଚନ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉଦ୍‌ଘାଟନ କରିବା ଲାଗି ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଥିଲେ । ସେହିଭଳି ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱର ସ୍ଥିତ ଏକ ରେଷ୍ଟୁରାଣ୍ଟର ଉଦ୍‌ଘାଟନ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଅଭିଯୋଗ କରିଥିଲେ, ଯଦି ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଓ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କରିପାରୁଛନ୍ତି, ତେବେ ଶୀତକାଳୀନ ଅଧିବେଶନ ସମୟରେ ସେ କାହିଁକି ଅନୁପସ୍ଥିତ ରହିଥିଲେ । ଏପରିକି ନିଜ ଅଫିସକୁ ମଧ୍ୟ ସେ ଆସୁନଥିବା କହି ବିରୋଧୀ ଦଳ ପ୍ରଶ୍ନ କରିଥିଲେ ।

ପରେପରେ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପରେଡରେ ସେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସାମିଲ ହୋଇଥିଲେ । ଲୋକସେବା ଭବନର ବଗିଚାରେ ମଧ୍ୟ ବୁଲିଥିଲେ ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ, “ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ବିଧାନସଭା ଅଧିବେଶନ ଓ ଅନ୍ୟାନ୍ୟ ଜରୁରୀ ବୈଠକରେ ଯୋଗ ଦେଇଥାନ୍ତି । ବର୍ତ୍ତମାନ ସମୟରେ ଟେକ୍ନୋଲଜି ମାଧ୍ୟମରେ ସବୁ କିଛି ସମ୍ଭବ । ତେବେ ଭର୍ଚୁଆଲ୍ ମାଧ୍ୟମରେ ଜରୁରୀକାଳୀନ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେବାରେ ଅସୁବିଧା କେଉଁଠି ରହିଛି ?”

୨୦୧୯ ନିର୍ବାଚନ ପରେ ନରେନ୍ଦ୍ର ମୋଦିଙ୍କ ସରକାରର ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାର ସମର୍ଥନ ଦେଇଆସିଛି । ସାକ୍ଷାତକାର ଅବସରରେ ବିଜେଡିର ବିଜେପି ସହ ବୁଝାମଣା ରହିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରି କହିଥିଲେ, “ଓଡିଶାରେ ବିଜେପି ଆମର ବିରୋଧୀ, ହେଲେ ତା ମାନେ ନୁହେଁ ଆମେ ତାଙ୍କୁ ଦିଲ୍ଲୀରେ ବିରୋଧ କରିବୁ । ଓଡିଶାର ସ୍ୱାର୍ଥକୁ ରକ୍ଷା କରିବା ଆମର ପ୍ରଥମ ଲକ୍ଷ । ଏଥିପାଇଁ ଆମକୁ ଯାହା ସୁହାଇବ ଆମେ ସେଇୟା କରିବୁ । ଏହା ହିଁ ବାସ୍ତବିକ୍ ରାଜନୀତି ।”

Comments are closed, but trackbacks and pingbacks are open.