Latest Odisha News

BREAKING NEWS

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି। ବରଗଡ ସାଂସଦ ସୁରେଶ ପୂଜାରୀ ଏ ନେଇ ଲୋକସଭାର ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ରାଜ୍ୟ ସରକାରଙ୍କଠୁ କୌଣସି ପ୍ରସ୍ତାବ ଆସିନାହିଁ।

ମଙ୍ଗଳବାର ଲୋକସଭାରେ ଶୂନ୍ୟକାଳରେ ସାଂସଦ ସୁରେଶ ପୂଜାରୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଦାବି କରିଥିଲେ। କିନ୍ତୁ ଏୟାବତ ରାଜ୍ୟ ସରକାରଙ୍କଠୁ କୌଣସି ସବିଶେଷ ପ୍ରସ୍ତାବ ଆସିନାହିଁ।

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ସହ ଆଲୋଚନା କରି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ କହିଥିଲେ ବୋଲି ଦର୍ଶାଇ ଆଇନ୍ ମନ୍ତ୍ରୀ କହିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ସେ ନିଜେ ଏ ନେଇ ଚିଠି ଲେଖିଥିଲେ। କିନ୍ତୁ ଏଯାଏଁ କୌଣସି ପ୍ରତିକ୍ରିୟା ରାଜ୍ୟ ସରକାରଙ୍କଠୁ ଆସିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଯଦି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ତାହେଲେ ରାଜ୍ୟ ସରକାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବେ। ଆଉ ବଜେଟ୍ ଏବଂ ଭିତ୍ତିଭୂମି ସୁବିଧାକୁ ନେଇ ଏକ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବେ। ପରେ ଏହି ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର କାମ କରିବେ ବୋଲି ଆଇନ୍ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବରରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସଂସଦରେ ପ୍ରଶ୍ନ କରିଥିଲେ। ସେତେବେଳେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଯଶବନ୍ତ ସିଂହ କମିସନଙ୍କ ସୁପାରିସ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ହାଇକୋର୍ଟ ବେଞ୍ଚ ଗଠନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ରାଜ୍ୟ ସରକାର ରିପୋର୍ଟ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ କରି ପଶ୍ଚିମ ଓଡ଼ିଶାର ଓକିଲ ସଂଘ ଆନ୍ଦୋଳନ କରିଥିଲେ। ଏହି ସମୟରେ ଆନ୍ଦୋଳନକୁ ସମର୍ଥନ କରି କୋର୍ଟ କାର୍ଯ୍ୟ ବନ୍ଦ କରୁଥିଲେ। ପରେ କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ। ଏହାପରେ ଅନେକ ଓକିଲ ଏବେ ଜେଲରେ ରହିଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଏହାପରେ ସୁପ୍ରିମକୋର୍ଟ ବେଞ୍ଚ ପ୍ରତିଷ୍ଠା କରିହେବ ନାହିଁ ବୋଲି କହିଥିଲେ।

 

 

Leave A Reply

Your email address will not be published.