Latest Odisha News

BREAKING NEWS

ପତାକା ଉତ୍ତୋଳନ କରି ଆଖି ବୁଜିଲେ ପ୍ରଧାନଶିକ୍ଷକ, ଆମ୍ବୁଲାନ୍ସ ନ ଦେବାରୁ ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଲେ

ପୁରୀ: ସେ ସ୍କୁଲରେ ପାଳନ କରୁଥିଲେ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରୁଥିଲେ । ପରେ ପରେ ଟଳି ପଡିଥିଲେ । ଡାକ୍ତରଖାନା ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏମିତି ଏକ ଘଟଣା ଗତକାଲି ଆସିଥିଲା  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ  ।  ପ୍ରଧାନ ଶିକ୍ଷକଙ୍କ ଏପରି ଅକାଳ ମୃତ୍ୟୁ ଗତକାଲି ଖବରର ଶିରୋମାନା ପାଲଟିଥିଲା । ହେଲେ ତାଙ୍କ ମୃତ୍ୟୁକୁ ନେଇ ଆସିଛି ଆହୁରି ଦୁଃଖଦ ଖବର । ମୃତ୍ୟୁପରେ ପ୍ରଧାନଶିକ୍ଷକଙ୍କ ଶବକୁ ମିଳିଲାନି ସମ୍ମାନ ।

ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରନ୍ତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ଗତକାଲି ସ୍କୁଲରେ ସ୍ୱାଧୀନତା ଦିବସ ପାଇଁ  ସକାଳୁ ସକାଳୁ  ସ୍କୁଲ ଆସିଥିଲେ ।    ପିଲାଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ ।   ସମସ୍ତ କାମ ସରିବା ପରେ ସେ ଘରକୁ ଯିବାକୁ ବାହାରିଥିଲେ । ହେଲେ ହଠାତ୍ ତଳେ  ପଡ଼ିଯାଇଥିଲେ। ଅନ୍ୟଶିକ୍ଷକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣା ଏତିକିରେ ଶେଷ ହୋଇ ନ ଥିଲା । ଅଞ୍ଚଳର ଜଣେ ଲୋକପ୍ରିୟ ପ୍ରଧାନଶିକ୍ଷକଙ୍କ ଶବକୁ ଶେଷସମ୍ମାନ ଟିକିଏ ବି ମିଳି ନ ଥିଲା । ଶବକୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସଟିଏ ମିଳି ନ ଥିଲା । ଶେଷରେ  ଡାଲା ଅଟୋରେ ବୁହା ହେଲା ପ୍ରଧାନ ଶିକ୍ଷକଙ୍କ ମୃତଦେହ । ୩ କିମି ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଥିଲା ଶବ ।

ସବୁଠାରୁ ଦୁଃଖର କଥା ହେଉଛି, ଡାକ୍ତରଙ୍କ ଉପସ୍ଥିତିରେ ଏସବୁ ହେଉଥିଲେ ହେଁ ଆମ୍ବୁଲାନ୍ସଟିଏ ଯୋଗାଇ ଦେବାକୁ କେହି ତତ୍ପରତା ଦେଖାଇ ନ ଥିଲେ ।  ସ୍ୱାଧୀନତା ଦିବସ ଅବସରରେ ଜଣେ ଶିକ୍ଷକଙ୍କ ମରଶରୀରକୁ ଏପରି ଅସମ୍ମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.