ପୁନେ: ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ ଜିବିଏସ୍ । ଏହି ଘଟଣାରେ ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍ ରୋଗର କାରଣ ଜାଣିପାରୁନାହାଁନ୍ତି ଡାକ୍ତର।
ଏହାକୁ ରୋକିବାକୁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ବାହାରି ନାହିଁ। କେବଳ ଲକ୍ଷଣ ବନ୍ଦ ପାଇଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ବୁଧବାର (ଜାନୁଆରୀ ୨୨) ଦିନ ମହାରାଷ୍ଟ୍ରର ପୁନେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (ଜିବିଏସ)ର ୩୫ଟି ନୂତନ ମାମଲା ରିପୋର୍ଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ୨୪ ଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହେବା ପରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ରୋଗର କାରଣ ଖୋଜିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ ।
ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ରୋଗୀ କେବେ ସୁସ୍ଥ ହେବେ ତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଜଣେ ରୋଗୀ ୭ଦିନରେ ମଧ୍ୟ ସୁସ୍ଥ ହୋଇପାରେ। ନଚେତ୍ ସୁସ୍ଥ ହେବାକୁ ବର୍ଷ ବର୍ଷ ଲାଗିପାରେ। ୬୭ ଜଣ ଲୋକ ଏହି ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଡାକ୍ତରମାନଙ୍କ କହିବା କଥା ଜୀବାଣୁ କିମ୍ବା ଭୂତାଣୁ ଜନିତ ସଂକ୍ରମଣ ପରେ ଜିବିଏସ୍ର ରୂପ ନେଇଥାଏ। ଏହା ରୋଗୀର ରୋଗପ୍ରତିରୋଧକ ଶକ୍ତିକୁ ସଂପୂର୍ଣ୍ଣ ଭାବେ ଦୁର୍ବଳ କରି ସ୍ନାୟୁକୁ ଆଟାକ କରିଥାଏ। ଏହି ରୋଗୀରେ ପୀଡିତ ରୋଗୀ ଦୁର୍ବଳ ଅନୁଭବ କରିବା, ବଧିରା ଅନୁଭବ କରିବା ଏପରିକି ପକ୍ଷାଘାତର ଶିକାର ହୋଇପାରନ୍ତି। ଏହି ରୋଗ ଉଭୟ ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିପାରେ। ଜିବିଏସ ରୋଗ ସୃଷ୍ଟି ହେବାର କାରଣ ଜଣାପଡିନଥିବାରୁ ତାର ନିରାକରଣକୁ ନେଇ ଚିନ୍ତା ବଢିଛି।
Comments are closed.