Latest Odisha News

ଖାଲି ଦିନ ନୁହେଁ ପଶ୍ଚିମ ଓଡ଼ିଶାରେ ରାତି ବି ତତଲା

ଭୁବନେଶ୍ୱର: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ରାତି ବି ତାତିରେ ଜଳୁଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ରାତି ଉଷ୍ମ ରହିଛି । ସମ୍ବଲପୁରରେ ରାତ୍ରୀ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ଠାରୁ ୬.୪ ଡ଼ିଗ୍ରୀ ଅଧିକ ।

ସେହିଭଳି ହୀରାକୁଦରେ ରାତି ତାପମାତ୍ରା ସ୍ୱାଭାବିକ ଟାରୁ ୫ ଡିଗ୍ରୀ ଏବଂ ଟିଟଲାଗଡ଼ରେ ୬.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଅନ୍ୟପଟେ ଆଜି ଉପକୂଳ ଜିଲ୍ଲାରେ ପାଗ ସାମାନ୍ୟ ମେଘୁଆ ରହିଛି । ଦିନ ୧୧ ଟା ୩୦  ସୁଦ୍ଧା ଝାରସୁଗୁଡାରା ପାରଦ ୩୯.୪ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୮.୨ ଡିଗ୍ରୀ, ହୀରାକୁଦରେ ୩୭.୨ ଡିଗ୍ରୀ, ଭୁବନେଶ୍ୱରରେ ୩୩.୨ ଡିଗ୍ରୀ ତାପମାତ୍ରା ରହିଛି ।

ଗତକାଲି ରାଜ୍ୟର ୧୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ହୀରାକୁଦରେ ପାରଦ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଥିଲା ।

Leave A Reply

Your email address will not be published.