Latest Odisha News

BREAKING NEWS

ଜମୁଛି ରଜ ପର୍ବର ଆସର: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତ ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇ ଲେଖିଛନ୍ତି “କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଅଛି ।”

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ କୃଷି ଭିତ୍ତିକ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସେ ରଜରେ ଦୋଳି ଖେଳୁଥିବା ଦୁଇ ଜଣଙ୍କ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟରରେ ରଜ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। ”

Leave A Reply

Your email address will not be published.