Latest Odisha News

BREAKING NEWS

୭୧ ବର୍ଷ ବୟସରେ ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ଦେହାନ୍ତ

ଭୁବନେଶ୍ୱର: ସୋମବାର ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ନିର୍ମଳ ଗରାବଡ଼ୁ । ସ୍ତ୍ରୀ ନମିତା, ଝିଅ ସୁନନ୍ଦା ଓ ପୁଅ ଆନନ୍ଦକୁ ଏକାକୀ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତର ଗରାବଡ଼ୁ ।

ପରିବାର ଲୋକଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଡାକ୍ତର ଗରାବଡ଼ୁ ଅସୁସ୍ଥ ଥିଲେ । ନିକଟରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । ତେବେ ଗତ ସପ୍ତାହରେ ହଠାତ୍ ଡାକ୍ତର ଗରାବଡ଼଼ୁଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କଟକ ଏସସିବିରେ ଡାକ୍ତରୀ ପଢ଼ିଥିଲେ ଡାକ୍ତର ଗରାବଡ଼ୁ । କଟକ ମହାତାବ ରୋଡରେ ହେଲଥ କେୟାର ନର୍ସିଂ ହୋମ୍ ପ୍ରତିଷ୍ଠା କରିଥିଲେ । ଯାହାକି କଟକର ସର୍ବ ପୁରାତନ ନର୍ସିଂ ହୋମ ଭାବେ ପରିଗଣିତ । ବିଶିଷ୍ଟ ଇଞ୍ଜିନିୟର ସ୍ୱର୍ଗତଃ ତ୍ରିଲୋଚନ ଗରାବଡ଼ୁ ଓ କୌଶଲ୍ୟା ଗରାବଡ଼ୁଙ୍କ ୫ ସନ୍ତାନଙ୍କ ମଧ୍ୟରେ ବଡ଼ ପୁଅ ଥିଲେ ଡାକ୍ତର ନିର୍ମଳ ଗରାବଡ଼ୁ ।

୧୯୫୧ ମେ ୭ ତାରିଖରେ କଟକରେ ଜନ୍ମ ହୋଇଥିବା ଡାକ୍ତର ଗରାବଡ଼ୁ ୧୯୬୭ରେ ରେଭେନ୍ସ କଲେଜିଏଟ୍ ସ୍କୁଲରୁ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୯ରେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ଉତ୍ତୀର୍ଣ୍ଣ ପରେ ଏସସିବିରେ ଡାକ୍ତରୀ ପଢ଼ି ସେବା ଆରମ୍ଭ କରିଥିଲେ । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି । ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ।

Leave A Reply

Your email address will not be published.