Latest Odisha News

BREAKING NEWS

ବିଜେଡିର ୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଦିଅନ୍ତୁ ଉତ୍ତର

ଭୁବନେଶ୍ବର: ବିଜେଡି ଛାଡିଥିବା ୪ ବିଧାୟକଙ୍କୁ ଜବାବ ତଲବ ନୋଟିସ। ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ ଏବଂ ପର୍ଶୁରାମ ଧଡାଙ୍କୁ ଜବାବ ତଲବ ଜାରି କରିଛନ୍ତି ବିଧାନସଭା ସଚିବ । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଆଧାରରେ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ୨୭ ତାରିଖ ସୁଦ୍ଧା କାହିଁକି ବିଧାୟକ ପଦ ରଦ୍ଦ ନ କରାଯିବ ସେନେଇ ନିଜର ପକ୍ଷ ରଖନ୍ତୁ ବୋଲି ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ ଜାରି କରିଛନ୍ତି ବିଧାନସଭା ସଚିବ । ପୂର୍ବରୁ ମଧ୍ୟ ଏଭଳି ନୋଟିସ୍ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାଏକଙ୍କୁ ଜାରି କରାଯାଇଥିଲା । ଉତ୍ତର ନ ରଖିବାରୁ ସେମାନଙ୍କ ସଭ୍ୟ ପଦ ରଦ୍ଦ ହୋଇଛି ।

ସୂଚନେଯୋଗ୍ୟ, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଟିକେଟ ନମିଳିବାରୁ ନିକଟ ଅତୀତରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ନିମାପଡାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି ଦଳ । ସେହିପରି ସୋର ବିଧାୟକ ପର୍ଶୁରାମ ଧଡା ବିଜେଡିରୁ ଟିକେଟ ନ ପାଇବାରୁ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ ସୋର ବିଧାୟକ ପ୍ରାର୍ଥୀ କରିଛି । ଅନ୍ୟପଟେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାକୁ ନେଇ ଦଳ ବିରୋଧୀ ନିରୋଧ ଆଇନ ଅନୁଯାୟୀ ଏହି ୪ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ପିଟିସନ ଦାଖଲ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହାକୁ ଗ୍ରହଣ କରିଛନ୍ତି ବାଚସ୍ପତି । ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି ।

Leave A Reply

Your email address will not be published.