Latest Odisha News

BREAKING NEWS

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ ଏନେଇ ଫ୍ଲିପକାର୍ଟ ଓ ଆମାଜନକୁ ନୋଟିସ୍ ଜାରି କରିଛନ୍ତି ।

ପୂର୍ବରୁ ଅନଲାଇନରେ ଏବଂ ଦୋକାନରେ ଏସିଡ୍ ବିକ୍ରି ସୁପ୍ରିମକୋର୍ଟ ବାରଣ କରିଥିଲେ । ତଥାପି ଇ-କମର୍ସ ସଂସ୍ଥା ଅନଲାଇନରେ ଏସିଡ୍ ବିକ୍ରି କରୁଛନ୍ତି । ଯାହାକୁ ନେଇ ଦିଲ୍ଲୀ ମହିଳା କମିଶନ ଆମାଜନ ଓ ଫ୍ଲିପକାର୍ଟକୁ ନୋଟିସ୍ କରିଛନ୍ତି ।

ବୁଧବାର ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ୧୭ ବର୍ଷର ସ୍କୁଲ ଛାତ୍ରୀ ବିଦ୍ୟାଳୟକୁ ଗଲା ବେଳେ ୨ ଜଣ ବାଇକରେ ଅତିକ୍ରମ କରିଥିଲେ । ବାଇକ୍ ପଛରେ ବସିଥିବା ଯୁବକ ଜଣଙ୍କ ଛାତ୍ରୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା । ଯାହାପରେ ଅସହ୍ୟ ଯନ୍ତ୍ରଣାରେ ରାସ୍ତା ଉପରେ ଛଟପଟ ହେଉଥିଲେ ଛାତ୍ରୀ ଜଣଙ୍କ ।

ଏସିଡ୍ ଫିଙ୍ଗିବା ପଛର ମାଷ୍ଟର ମାଇଣ୍ଡ ଥିଲା ୨୦ ବର୍ଷୀୟ ସଚିନ ଅରୋରା । ସଚିନକୁ ହର୍ସିତ ଅଗ୍ରୱାଲ ଓ ବୀରେନ୍ଦର ସିଂହ ସହଯୋଗ କରିଥିଲେ । ପୋଲିସ ସମସ୍ତଙ୍କୁ ଘଟଣାର ୧୨ ଘଣ୍ଟା ମଧ୍ୟରେ ଗିରଫ କରିଥିଲା । ଅଭିଯୋଗ ଅନୁସାରେ, ସଚିନ ଏସିଡକୁ ଅନଲାଇନରେ ଫ୍ଲିପକାର୍ଟରୁ କିଣିଥିବା ବେଳେ ୱାଲେଟରୁ ପେମେଣ୍ଟ କରିଥିଲା । ତେବେ ଏନେଇ, ଏଯାବତ୍ ଫ୍ଲିପକାର୍ଟ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

୨୦୧୩ ମସିହାରେ ସୁପ୍ରିମକୋର୍ଟ ଏସିଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଥିଲେ । କେବଳ ଅନୁମତିପ୍ରାପ୍ତ ଦୋକାନୀଙ୍କୁ ଏସିଡ୍ ବିକ୍ରି ପାଇଁ ଅନୁମତି ଦେବା ସହ ଯିଏ କିଣିବ ତାର ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କାହିଁକି ଏସିଡ୍ କିଣୁଛନ୍ତି ତାର କାରଣ ସହ ପରିଚୟପତ୍ର ଦେବା ବାଧ୍ୟତାମୂଳକ କରାଯାଇଥିଲା ।

Leave A Reply

Your email address will not be published.