Latest Odisha News

BREAKING NEWS

ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ୍ ନେଇ ପାରିବେନି ସେବାୟତ ଓ ଅଧିକାରୀ

ପୁରୀ: ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା । ଅଧିକାରୀ ହୁଅନ୍ତୁ କି ସେବାୟତ ଶ୍ରୀମନ୍ଦିରକୁ ନେବେ ନାହିଁ ସ୍ମାର୍ଟଫୋନ୍ । ବାରମ୍ବାର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଫଟୋ, ଭିଡିଓ ଭାଇରାଲ୍ ପରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନିଷ୍ପତ୍ତି ହୋଇଛି ।

ସେବାୟତ ଓ ଅଧିକାରୀ ମୋବାଇଲ୍ ରଖିବା ଲାଗି ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଷ୍ଟାଣ୍ଡ କରାଯିବ । ତେବେ ସେବାୟତ ଓ ଅଧିକାରୀ ଚାହିଁଲେ ମନ୍ଦିର ଭିତରକୁ କି-ପ୍ୟାଡ୍ ଫୋନ୍ ନେଇ ପାରିବେ । ନୀତି ସମ୍ବନ୍ଧୀୟ ସୂଚନା ପାଇଁ ଶାଖା କାର୍ଯ୍ୟାଳୟ ଓ ଗାରଦରେ ରହିବ ଗୋଟିଏ ମୋବାଇଲ୍ ।

ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋବାଇଲ୍ ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ପୂର୍ବରୁ ବି ନିୟମ କରିଥିଲେ କେହି ମାନିଲେନି । ଏବେ କରିଥିବା ନିୟମର କାର୍ଯ୍ୟକାରୀତାର ତଦାରଖ ସହ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେଉ । ଆଜି ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ବିମ୍ ମରାମତି କାର୍ଯ୍ୟ ୨୦୨୩ ଏପ୍ରିଲ୍ ସୁଦ୍ଧା ସରିବ ।

ପରିଚାଳନା କମିଟି ବୈଠକରେ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନାମରେ ଥିବା ଖଣିରେ ବେଆଇନ୍ ଖନନକୁ ନେଇ ଏନଜିଟି କରିଥିବା ୧୨ କୋଟିର କ୍ଷତିପୂରଣ ନିର୍ଦ୍ଦେଶର ପୁନଃ ବିଚାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅପିଲ୍ କରିବ ।

ସେବାୟତଙ୍କ ଗୁରୁକୂଳ ପାଇଁ ବିର୍ଲା ଫାଉଣ୍ଡେସନ ସହ ବୁଝାମଣା ଅନୁସାରେ ୩୨ଏକର ଜମି ସୋସାଇଟିକୁ  ଦିଆଯିବ । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି । ୨ ଜଣ ପରିଚାଳନା କମିଟି ସଦସ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିସମ ଜମିରେ ରଥ କାଠ ପାଇଁ ବୃକ୍ଷରୋପଣ କରାଯିବ ।

Leave A Reply

Your email address will not be published.