Latest Odisha News

BREAKING NEWS

ଏଥର ଜିଏସଟି ଗଣିବେ କିରାନା ଷ୍ଟୋର

ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍‌ଟି ଅଧୀନରେ ପଞ୍ଜୀକରଣ କରିବାକୁ କୁହାଯାଇଛି।

କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ବିବେକ ଜୋହରି କହିଛନ୍ତି ଯେ, କିଛି କ୍ଷେତ୍ରରେ ବଜାର ବହୁତ ବଡ ଥିବା ବେଳେ ଟିକସଦାତାଙ୍କ ସଂଖ୍ୟା କମ୍ ରହିଛି । ସେଭଳି କ୍ଷେତ୍ରରେ ଟିକସଦାତାଙ୍କ ସଂଖ୍ୟା ବଢାଇବା ଲାଗି ଏକ ରଣନୀତି ପ୍ରସ୍ତୁତ କରାଯିବ। ସେ ବିଷୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରାଯିବ ।

ଜିଏସ୍‌ଟିକୁ ୨୦୧୭ ଜୁଲାଇରେ ଲାଗୁ କରାଯାଇଥିଲା । ସେହି ସମୟରେ ଟିକସଦାତାଙ୍କ ସଂଖ୍ୟା ୬୦ ଲକ୍ଷ ଥିଲା । ପରେ ୨୦୨୩ ଜାନୁଆରି ସୁଦ୍ଧା ସେମାନଙ୍କ ସଂଖ୍ୟା ୧.୪ କୋଟିକୁ ବୃଦ୍ଧି ପାଇଛି। ଟିକସଦାତାଙ୍କ ସଂଖ୍ୟା ଆହୁରି ବଢ଼ାଇବା ଲାଗି ସୁଯୋଗ ରହିଛି। ସେଭଳି ଏକ କ୍ଷେତ୍ର ହେଉଛି ଗ୍ରାହକଙ୍କ ସହ କିଣାବିକା କାରବାର। ଏହି କ୍ଷେତ୍ରର ସଂସ୍ଥାଗୁଡ଼ିକ ଉପରେ ବଳପୂର୍ବକ ଟିକସ ଲାଗୁ କରାଯାଇ ପାରିବ ନାହିଁ । ପ୍ରଥମେ ଘରୋଇ କ୍ଷେତ୍ର ଏବଂ ସରକାରୀ ଏଜେନ୍ସିଗୁଡ଼ିକ ପାଖରେ ଥିବା ତଥ୍ୟର ଅନୁଶୀଳନ କରାଯିବ। କେଉଁମାନଙ୍କ ଉପରେ ଟିକସ ଲଗାଯାଇପାରିବ ତାହା ଜଣାପଡ଼ିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ଆୟକରଦାତା, ସମ୍ପତ୍ତି ଟିକସଦାତା, କମର୍ସିଆଲ ଡାଇରେକ୍ଟୋରି, ବିଦ୍ୟୁତ ବିତରଣ କଂପାନି ଆଦିରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ଜୋହରି କହିଛନ୍ତି।

Leave A Reply

Your email address will not be published.