Latest Odisha News

ନ୍ୟାୟପାଳିକାକୁ ଏନକାଉଣ୍ଟର୍ !

ବିଚିତ୍ର ବିଶ୍ୱାଳଙ୍କ ପ୍ରତି ମଙ୍ଗଳବାର ନିୟମିତ ସ୍ତମ୍ଭ ‘ସମୟର ସ୍ୱର’…

ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସ୍ ଏନକାଉଂଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସ୍ର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା ସମୟରେ ସେମାନେ ପୋଲିସକୁ ଆକ୍ରମଣ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆତ୍ମରକ୍ଷା ପାଇଁ ପୋଲିସ୍ ଗୁଳି ଚଳଇବାକୁ ବାଧ୍ୟ ହୋଇଥିଲେ ଓ ଘଟଣା ସ୍ଥଳରେ ଚାରି ଅଭିଯୁକ୍ତଙ୍କ ମୃତ୍ୟୁ ହେଲା ।

ହାଇଦ୍ରାବାଦର ଭେଟେନାରୀ ଡାକ୍ତର ପ୍ରିୟଙ୍କା ରେଡୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ଯେପରି ଦୁଃଖୀତ ଓ କ୍ରୋଧିତ ହୋଇଥିଲା, ଠିକ୍ ସେହିପରି ଅଭିଯୁକ୍ତ ମାନଙ୍କର ଏନକାଉଣ୍ଟର୍ ପରେ ସାରା ଦେଶ ଖୁସିରେ ଉତ୍ସବ ମୂଖର ହୋଇଛି । ସାଇବରାବାଦ୍ ପୋଲିସ୍ କମିଶନର ଭି.ସି. ସଜ୍ଜନାର, ଯିଏକି ଏହି ଦୁଷ୍କର୍ମ ଅପରାଧର ତଦନ୍ତ ଦାୟି୍ତ୍ୱରେ ଥିଲେ ଓ ଘଟଣା ସ୍ଥଳରେ ଏନକାଉଂଟର କରିଥିଲେ, ତାଙ୍କୁ ଲୋକମାନେ କାନ୍ଧରେ ବସି ବୁଲାଉଥିବାର ଓ ତାଙ୍କ ଉପରେ ଫୁଲ ବର୍ଷା ଯାଉଥିବାର ଦୃଶ୍ୟ ଟିଭି ପରଦାରେ ଦେଖିବାକୁ ମିଳିଲା । ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଅସନ୍ତୋଷ ଥିଲା, ପୋଲିସ୍ର ଏନ୍କାଉଂଟର ପରେ ତାହା ଅନେକାଂଶରେ ଶାନ୍ତ ହୋଇଥିବାର ଦେଖିବାକୁ ମିଳୁଛି ଓ ସାରା ଦେଶର ଲୋକମାନେ ଖୁସି ପ୍ରକାଶ କରୁଥିବାର ଦେଖାଯାଉଛି । କିନ୍ତୁ ‘ଖୁସି ଲାଗିବା’ ଓ ‘ଉଚିତ୍ ଲାଗିବା’ ଦି’ଟା ଯାକ ଏକା କଥା ନୁହେଁ ।

ବହୁତ କଥା ଆମକୁ ଖୁସି ଲାଗିପାରେ କିନ୍ତୁ ତାହା ସବୁବେଳେ ଠିକ୍ ହୋଇନଥାଏ । ଆମ ଭାବପ୍ରବଣ ମନକୁ ଅନେକ କଥା ଶାନ୍ତି ଦେଇପାରେ କିନ୍ତୁ ତାହା ଉଚିତ୍ କି ଅନୁଚିତ୍, ତାହା ମଧ୍ୟ ବିଚାରଯୋଗ୍ୟ ବିଷୟ । ଅବଶ୍ୟ ହାଇଦ୍ରାବାଦ୍ ଏନକାଉଂଟର ଘଟଣାର ପରିଣାମରେ ସମସ୍ତେ ଖୁସି । ପରିଣାମକୁ ନେଇ କାହାରି ମନରେ ପ୍ରଶ୍ନ ନାହିଁ । ସେହି ଅଭିଯୁକ୍ତ ମାନେ ଯେପରି ଭାବେ ନାରକୀୟ କାଣ୍ଡ ଘଟାଇଥିଲେ, ସେଥିରେ ତାଙ୍କ ପାଇଁ ମୃତ୍ୟ ବି କମ୍ ହୋଇଥାନ୍ତା । କିନ୍ତୁ ପ୍ରଶ୍ନ ଉଠୁଛି, ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇବ କିଏ, ନ୍ୟାୟପାଳିକା ନା ପୋଲିସ୍ ନିଜେ! ଆମେ ପ୍ରତ୍ୟେକ ଘଟଣାର ବିଚାରକୁ ପୋଲିସ୍ ହାତକୁ ଦେଇଦେବା କି!

ଯେଉଁମାନେ ଏପରି ନାରକୀୟ କାଣ୍ଡ ଘଟାଇଥିଲେ ଓ ସମାଜକୁ କଳୁଷିତ କରୁଥିଲେ ସେମାନ୍ତେ ମରନ୍ତୁ । କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡ ଦେବ କିଏ! ଏହା ନିଶ୍ଚୟ ଯେ, ପୋଲିସ୍ କଦାପି ନୁହେଁ । କାରଣ ପୋଲିସ୍କୁ ଯଦି ଆମେ ଏହି କ୍ଷମତା ଦେଇଦେବା, ତେବେ ଏହା ଭବିଷ୍ୟତର ପରିସ୍ଥିତିକୁ ଅତ୍ୟନ୍ତ ଜଟିଳ କରିପକେଇବ । ଯାହାର ପରିଣାମ ସମସ୍ତ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିବ ।

ଯଦି ପୋଲିସ୍ କଥା ସତ ହୋଇଥାଏ, ଯେ ଅଭିଯୁକ୍ତ ମାନେ ଖସି ପଳାଉଥିବା ବେଳେ ପୋଲିସ୍ ବାଧ୍ୟ ହୋଇ ଏନ୍କାଉଂଟର କରିଛି, ତେବେ ଏଥିରେ କିଛି ଅସୁବିଧା ନାହିଁ । କିନ୍ତୁ କିନ୍ତୁ ଅସଲ ପ୍ରଶ୍ନ ହେଉଛି, ଏନ୍କାଉଂଟର ପରେ ସାରା ଦେଶର ଲୋକମାନେ ଯେପରି ଖୁସି ପ୍ରକାଶ କରିଛନ୍ତି ଓ ସମଗ୍ର ଘଟଣାକୁ ଯେପରି ସେଲିବ୍ରେଟ୍ କରିଛନ୍ତି, ତାହା ଏକ ବଡ଼ ସଂକଟକୁ ଆମ ସମ୍ମୁଖରେ ତୋଳି ଧରୁଛି । ଲୋକମାନଙ୍କର ଏହି ସେଲିବ୍ରେସନ୍ ଘଟଣାରୁ ଅନ୍ତତଃ ଗୋଟିଏ କଥା ବୁଝାପଡ଼ୁଛି ଯେ, ସାଧାରଣ ଲୋକମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ମାମଲାରେ ଲୋକମାନଙ୍କର ନ୍ୟାୟପାଳିକା ଉପରେ ଆଉ ବିଶ୍ୱାସ ନାହିଁ । ଯଦି ଥାଆନ୍ତା, ତେବେ ଗୋଟିଏ ଗଣତାନ୍ତ୍ରିକ ଦେଶର ଲୋକମାନେ ଗୋଟେ ଏନ୍କାଉଂଟର ପରେ ଏତେ ଖୁସି ମନେଇନଥାନ୍ତେ । ଲୋକମାନେ ଏଇଥିପାଇଁ ଖୁସି ମନେଇଲେ ଯେ, ଘଟଣା ଯଦି ନ୍ୟାୟପାଳିକାକୁ ଯାଇ ମାମଲା ଆଗକୁ ବଢ଼ିଥାଆନ୍ତା, ତେବେ ଅପରାଧୀ ମାନଙ୍କୁ ଉଚିତ୍ ଦଣ୍ଡ ମିଳିନଥାନ୍ତା । ଯଦି ବି ମିଳିଥାଆନ୍ତା, ତେବେ ତାହା ଏତେ ବିଳମ୍ବ ହୋଇଥାଆନ୍ତା ଯେ, ସେ ଦଣ୍ଡ ମିଳିବା ଓ ନମିଳିବା ସମାନ୍ ହୋଇଥାଆନ୍ତା । ଏଇଥିପାଇଁ ତ ଅପରାଧୀ ମାନଙ୍କ ମନରେ ନ୍ୟାୟପାଳିକା ପ୍ରତି ଭୟ ରହୁନାହିଁ । ଅନେକ ଲୋକ ତ କହୁଛନ୍ତି, ଅଭିଯୁକ୍ତ ମାନଙ୍କୁ ଅଯଥାରେ ବସେଇ ସୁରକ୍ଷା ପ୍ରଦାନ କରି ଖାଇବା ପିଇବାକୁ ଦେବା ଅପେକ୍ଷା ପୋଲିସ୍ ଏନ୍କାଉଂଟର କରି ଭଲ କରିଛି । ଏମିତି ଜଘନ୍ୟ ଅପରାଧ ଘଟେଇଥିବା ଅପରାଧୀ ମାନଙ୍କ ପାଇଁ କାହିଁକି ଅଯଥାରେ ସରକାର ପଇସା ଖର୍ଚ୍ଚ କରିଥାନ୍ତେ । ତେଣୁ ସାଇବରାବାଦ୍ ପୋଲିସ୍ ଭଲ କରିଛି । ସାରା ଦେଶ ଆଜି ତାଙ୍କୁ ହିରୋ କହୁଛି । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ନ୍ୟାୟପାଳିକାର ଅସମର୍ଥତା ଯୋଗୁ ପୋଲିସ୍କୁ ଦଣ୍ଡ ଦେବାର କ୍ଷମତା ଦେଇଦେବା ଉଚିତ୍ କି? ଯଦି ଏମିତି କାମକୁ ଆମେ ଆମ ଭାବପ୍ରବଣତା ଆଧାରରେ ବିଚାର କରି ପୋଲିସ୍କୁ ଗୌରବାନ୍ୱିତ କରିବା ତେବେ କାଲି ଯଦି ପୋଲିସ୍ କୌଣସି ନିରପରାଧକୁ ଘରୁ ଉଠେଇ ନେଇ ହତ୍ୟା କରି ତାକୁ ଏନ୍କାଉଂଟରର ରୁପ ଦିଏ, ତେବେ ସେତେବେଳେ ଆମେ କ’ଣ କହିବା! କାରଣ ପୋଲିସ୍ର ନିୟମ ଅନୁସାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ ନକରିବା ଯାଏ, ପ୍ରେତ୍ୟେକ ଲୋକ ଦୋଷୀ ଓ ନ୍ୟାୟପାଳିକାର ନିୟମ ଅନୁସାରେ ଦୋଷୀ ପ୍ରମାଣ ନହେବା ଯାଏ ପ୍ରତ୍ୟେକ ଲୋକ ନିର୍ଦ୍ଦୋଷ । ତେଣୁ ଯଦି ପୋଲିସ୍ ହାତକୁ ଦଣ୍ଡ ଦେବାର କ୍ଷମତା ଦେଇଦେବା, ତେବେ ଭବିଷ୍ୟତରେ ଅନେକ ନୀରିହ ଲୋକ ଏହାର ଶିକାର ହେବେ, ଏଥିରେ ସନ୍ଦେହ ନାହିଁ ।

ନ୍ୟାୟପାଳିକାର ଅସହାୟତାକୁ ପୋଲିସ୍ ଏନ୍କାଉଂଟର ମାଧ୍ୟମରେ ପୁରଣ କରାଯାଇପାରିବ ନାହିିଁ । ଏନ୍କାଉଂଟର ପରେ ଲୋକମାନଙ୍କ ଉତ୍ସବ ପାଳନରୁ ଗୋଟିଏ କଥା ବୁଝାପଡ଼ୁଛି, ଲୋକମାନଙ୍କର ଏପରି ଘଟଣାରେ ନ୍ୟାୟପାଳିକା ଉପରେ ବିଶ୍ୱାସ ନାହିଁ । ଏମିତି କ୍ଷେତ୍ରରେ ଆମର ତର୍କ ହେବା କଥା ଯେ, ନ୍ୟାୟପାଳିକା କାହିଁକି ସମର୍ଥ ହେଉନାହିଁ? ଯଦି ଏତେବଡ଼ ନାରକୀୟ ଘଟଣା ଘଟିଲା ଓ ଅପରାଧୀମାନେ ତାଙ୍କ ଅପରାଧ ମାନି ସାରିଲେଣି, ତାହେଲେ ପୁଣି ତାଙ୍କୁ ହାଜତରେ ବା ଜେଲ୍ରେ ରଖି ତାଙ୍କୁ ଜ୍ୱଇଁ ଭଳି ଚର୍ଚ୍ଚା କରାଯିବ କାହଁକି? ଏଭଳି କ୍ଷେତ୍ରରେ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ମିଳିବନି କାହିଁକି? ନ୍ୟାୟପାଳିକା ଯଦି କୌଣସି ରାଜନୈତିକ ଘଟଣାକୁ ତୁରନ୍ତ ଏପରିକି ରାତି ତିନିଟାରେ ଗୋଟିଏ ଦିନ ଭିତରେ ଶୁଣାଣୀ କରି ରାୟ ପ୍ରଦାନ କରୁଛନ୍ତି, ତେବେ ସାଧାରଣ ଲୋକମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧକୁ ବା ଅନ୍ତତଃ ପକ୍ଷେ ଦୁଷ୍କର୍ମ ପରି ମର୍ମନ୍ତୁଦ ଅପରାଧକୁ ସେମିତି ତୁରନ୍ତ ଭିତିରେ ବିଚାର କରାଯିବ ନାହିଁ କାହିଁକି? କାହିଁକି ଦିନ ଦିନ ଧରି ଅଭିଯୁକ୍ତଙ୍କୁ ବସେଇ ରଖାଯିବ ଓ ବିଳମ୍ବିତ ନ୍ୟାୟ ତଥା ବିଡ଼ମ୍ବିତ ନ୍ୟାୟ କରି ନ୍ୟାୟ ପ୍ରତି ପରିହାସ କରାଯିବ? ଜଗତ୍ସିଂହପୁର ଜିଲ୍ଲାର ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ଆମେ ଦେଖିଲେ ନ୍ୟାୟ ମିଳିବା ବେଳକୁ ଅଭିଯୁକ୍ତ ମାନେ ବୁଢ଼ା ହୋଇଯାଇଥିଲେ ଓ ଜଣେ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଥିଲା । ତେବେ ଏ ନ୍ୟାୟ କେଉଁ କାମକୁ! ଆଜି ଯେତେବେଳେ ଗୋଟେ ଗଣତନ୍ତ୍ର ଦେଶରେ ପୋଲିସ୍ର ଏନକାଉଂଟର ଘଟଣାରେ ଉତ୍ସବ ପାଳନ କରାଯାଉଛି, ସେତେବେଳେ ଅନ୍ତତଃପକ୍ଷେ ଆମ ନ୍ୟାୟବ୍ୟବସ୍ଥା ନିଜର ବିଶ୍ଲେଷଣ କରିବା ଉଚିତ୍, ଯେ ଲୋକମାନେ କାହିଁକି ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକଟ କରିପାରୁନାହାନ୍ତି ଓ ପ୍ରକାରାନ୍ତରେ ପୋଲିସ୍ର ବନ୍ଧୁକ ମୁନର ବିଚାରକୁ ନ୍ୟାୟପାଳିକା ଠାରୁ ଉଚ୍ଚ ଆସନ ଦେଉଛନ୍ତି ।

ଏହା ସତ ଯେ, ପୋଲିସ୍ର ଏନକାଉଂଟର ଏକ ସମାଧାନ ନୁହେଁ । ଦୁଷ୍କର୍ମ ପରି ଅପରାଧ ଘଟଣାରେ ତ୍ୱରିତ ନ୍ୟାୟ ମିଳିବା ହିଁ ଅସଲ ସମାଧାନର ପନ୍ଥା । ହାଇଦ୍ରାବାଦ୍ ଘଟଣାରେ ଅଭିଯୁକ୍ତ ମାନଙ୍କର ଶେଷ ପରିଣତିରେ ଆମେ ସମସ୍ତେ ଖୁସି, ଏଥିରେ ଟିକେ ବି ସନ୍ଦେହ ନାହିଁ । କିନ୍ତୁ ଏହି ପରିଣାମ ପୋଲିସ୍ ତରଫରୁ ନହୋଇ ନ୍ୟାୟପାଳିକା ତରଫରୁ ହୋଇଥିଲେ ଆମ ଗଣତନ୍ତ୍ର ଆହୁରି ପରିପକ୍ୱ ହୋଇଥାନ୍ତା ଓ ଲୋକମାନଙ୍କର ଆସ୍ଥା ମଜବୁତ୍ ହୋଇଥାନ୍ତା । ଦୁଷ୍କର୍ମ ଘଟଣା ଯେପରି ଆମ ଦୁର୍ବଳ ସାମାଜିକ ଜୀବନର ପରିଚୟ ଦେଉଛି, ସେହିପରି ନ୍ୟାୟପାଳିକା ଉପରୁ ବିଶ୍ୱାସ ତୁଟି ପୋଲିସ୍ ଏନକାଉଂଟର ଉପରେ ବିଶ୍ୱାସ ବଢ଼ିବା ବି ଆମ ଦୁର୍ବଳ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେଉଛି । ଏହି ଏନକାଉଂଟର ଘଟଣା ପରେ ଲୋକମାନେ ଯେପରି ପ୍ରତିକ୍ରିୟା ଦେଇଛନ୍ତି ଓ ସେଲିବ୍ରେସନ୍ କରିଛନ୍ତି, ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଏହି ଏନକାଉଂଟରରେ ସଂପୃକ୍ତ ଅଭିଯୁକ୍ତଙ୍କ ସହିତ ଦୁର୍ବଳ ନ୍ୟାୟପାଳିକାକୁ ବି ଏନକାଉଂଟର କରାଯାଇଛି ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮

Leave A Reply

Your email address will not be published.