ସମୁଦ୍ରରୁ ଆସୁଛି ସାଂଘାତିକ ସଙ୍କେତ! ଭାଙ୍ଗିଲା ସବୁ ପୁରୁଣା ରେକର୍ଡ, ପୃଥିବୀ ଉପରେ ମାଡ଼ି ଆସୁଛି କି ଅଜଣା ବିପତ୍ତି?
ନୂଆଦିଲ୍ଲୀ: ମନୁଷ୍ୟକୃତ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସିଛି। ଯେଉଁ ସମୁଦ୍ର ପୃଥିବୀକୁ ଶୀତଳ ଓ ଜୀବନ୍ତ କରି ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ, ସେହି ସମୁଦ୍ର ଏବେ ଅସ୍ବାଭାବିକ ଭାବେ ତାତିବାରେ ଲାଗିଛି।
ସାରା ବିଶ୍ୱର ମହାସାଗରଗୁଡ଼ିକର ତାପମାତ୍ରା ଜୁନ୍ ମାସରେ ସବୁ ପୁରୁଣା ରେକର୍ଡକୁ ଚୁରମାର୍ କରିଦେଇଛି। ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ସର୍ବୋଚ୍ଚ ୨୦.୮୯ ଡିଗ୍ରୀ ଛୁଇଁଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ପ୍ରକୃତିର ଏହି ବିକୃତ ରୂପ ଆଗକୁ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ବିପତ୍ତିର ଆଲାରାମ ବୋଲି କୁହାଯାଉଛି।
ବିଜ୍ଞାନୀମାନଙ୍କ ମତରେ, ସମୁଦ୍ରର ଏହି ଅସ୍ବାଭାବିକ ଗରମ ପଛରେ ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ପ୍ରାକୃତିକ ପାଣିପାଗ ପ୍ରକ୍ରିୟା ‘ଏଲ୍ ନିନୋ’ ମୁଖ୍ୟତଃ ଦାୟୀ। କିନ୍ତୁ କେବଳ ‘ଏଲ୍ ନିନୋ’ ନୁହେଁ, ଗ୍ଲୋବାଲ ୱାର୍ମିଂ ବା ବିଶ୍ୱତାପନ ଯୋଗୁଁ ବାୟୁମଣ୍ଡଳରେ ଜମୁଥିବା ପ୍ରବଳ ଗରମକୁ ମହାସାଗରଗୁଡ଼ିକ ନିଜ ଭିତରେ ଶୋଷି ନେଉଛନ୍ତି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଆଗାମୀ ଦିନରେ ଏହି ତାପମାତ୍ରା ହ୍ରାସ ପାଇବା ବଦଳରେ ଆହୁରି ବଢ଼ିବା ସମ୍ଭାବନା ରହିଛି।
ପ୍ରକୃତି ଉପରେ ପଡ଼ିବ ୫ଟି ମାରାତ୍ମକ ପ୍ରଭାବ ମହାସାଗରର ଏହି ଜ୍ୱଳନ୍ତ ସ୍ଥିତି କେବଳ ପାଣି ଭିତରେ ସୀମିତ ରହିବ ନାହିଁ। ଏହାର ସିଧାସଳଖ ପ୍ରଭାବ ମାନବ ସମାଜ ଏବଂ ସାମୁଦ୍ରିକ ଜୀବନ ଉପରେ ପଡ଼ିବାକୁ ଯାଉଛି:ଶକ୍ତିଶାଳୀ ଓ ରାକ୍ଷସୀ ହେବ ବାତ୍ୟା: ଗରମ ସମୁଦ୍ର ପାଣି ବାତ୍ୟା ପାଇଁ ଇନ୍ଧନ ସଦୃଶ କାମ କରେ। ତାପମାତ୍ରା ବୃଦ୍ଧି ପାଇବା ଦ୍ୱାରା ବାତ୍ୟାଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ିଆସିବେ।
ସମୁଦ୍ର ଗରମ ହେଲେ ବାଷ୍ପୀଭବନ ପ୍ରକ୍ରିୟା ତୀବ୍ର ହୁଏ। ବାୟୁମଣ୍ଡଳରେ ଅଧିକ ଆଦ୍ରତା ଜମିବା ଫଳରେ ବିଭିନ୍ନ ଦେଶରେ ଅପ୍ରତ୍ୟାଶିତ ମେଘଭଙ୍ଗା ବର୍ଷା ଏବଂ ପ୍ରଳୟଙ୍କରୀ ବନ୍ୟା ଦେଖାଯିବ।
ପାଣିର ତାତି ସହ ନିଜକୁ ଖାପଖୁଆଇ ନପାରି ପ୍ରବାଳ ପ୍ରାଚୀର ନଷ୍ଟ ହେବାରେ ଲାଗିଛି। ଏହାସହ ଅମ୍ଳଜାନ ଅଭାବରୁ ଲକ୍ଷ ଲକ୍ଷ ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ଜଳ ସମାଧି ହେବା ଆଶଙ୍କା ପ୍ରକାଶ ପାଇଛି। ଗରମ ହେଲେ ଜଳର ଆୟତନ ବଢ଼ିଥାଏ । ଏହା ସହିତ ଗ୍ଲେସିୟର ତରଳିବା ଯୋଗୁଁ ସମୁଦ୍ର ପତନ ଆଶାତୀତ ଭାବେ ବୃଦ୍ଧି ପାଉଛି। ଫଳରେ ବିଶ୍ୱର ପ୍ରମୁଖ ଉପକୂଳବର୍ତ୍ତୀ ସହର ଓ ଜନବସତିଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହେବାର ଭୟ ଘନେଇବାରେ ଲାଗିଛି।
ପ୍ରକୃତିର ଏହି ନିରବ ସଙ୍କେତକୁ ଯଦି ଏବେ ବି ହେୟଜ୍ଞାନ କରାଯାଏ, ତେବେ ମାନବ ସମାଜକୁ ଏଭଳି କିଛି ଅଜଣା ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାର ମୁକାବିଲା କରିବା କୌଣସି ଆଧୁନିକ ପ୍ରଯୁକ୍ତିବିଦ୍ୟା ପକ୍ଷେ ସମ୍ଭବ ହେବନାହିଁ।ଉପକୂଳବର୍ତ୍ତୀ ଓଡ଼ିଶା ଭଳି ରାଜ୍ୟ ପାଇଁ ଏହି ରିପୋର୍ଟ ନିଶ୍ଚିତ ଭାବେ ଏକ ବଡ଼ ଚିନ୍ତାର ବିଷୟ, କାରଣ ସାମୁଦ୍ରିକ ଅଶାନ୍ତିର ସିଧାସଳଖ ପ୍ରଭାବ ଆମ ପାଣିପାଗ ଉପରେ ହିଁ ପଡ଼ିଥାଏ।