Latest Odisha News

BREAKING NEWS

ଓଡ଼ିଆ ସାହିତ୍ୟ, କଳା, ସିନେମା ଓ ହସ୍ତଶିଳ୍ପ ଲାଗି ୨୦୧୮ ମସିହା ସମୃଦ୍ଧିର ବର୍ଷ

ଭୁବନେଶ୍ୱର: ଉତ୍କୃଷ୍ଟ ଭାସ୍କର୍ଯ୍ୟ ଓ କଳାର ରାଜ୍ୟ ଉତ୍କଳ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶାସ୍ତ୍ରୀୟ ଭାଷା ଓଡ଼ିଆ ଭାଷା ଯେଉଁ ରାଜ୍ୟରେ ସୃଷ୍ଟି ସେହି ରାଜ୍ୟ ଓଡ଼ିଶା । ସଂସ୍କୃତି ଓ ପରମ୍ପରାର ଏକ ସୁଦୀର୍ଘ ସ୍ୱର୍ଣ୍ଣିମ ଇତିହାସ ବହନ କରୁଥିବା ରାଜ୍ୟ ଓଡ଼ିଶା ଲାଗି କଳା, ସାହିତ୍ୟ, ସମାଜସେବା କିମ୍ବା ହସ୍ତଶିଳ୍ପରେ ପ୍ରଶଂସା ହାସଲ କରିବା ଏକ ନୂଆ କଥା ନୁହେଁ । ଦେଶର ସର୍ବୋଚ୍ଚ ପ୍ରଶାସନର ନେତୃତ୍ୱ ହେଉ କି ଦକ୍ଷ ରାଜନେତା ଓଡ଼ିଶାର ବ୍ୟକ୍ତିତ୍ୱ ସବୁବେଳେ ଶେଷ୍ଠତ୍ୱ ପ୍ରତିପାଦନ କରିଆସିଛି । ଏହାବ୍ୟତୀତ, ଓଡ଼ିଆ କବି, ଲେଖକ, ସ୍ଥପତି, କଳାକାର, ନୃତ୍ୟଶିଳ୍ପୀ, ଫିଲ୍ମନିର୍ମାତା, ହସ୍ତଶିଳ୍ପୀ ତଥା ଓଡିଶାର ଉଦୀୟମାନ କ୍ରୀଡ଼ା ପ୍ରତିଭାମାନେ ନିଜ ନିଜର କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

୨୦୧୮ ମସିହା ଓଡ଼ିଶା ଲାଗି ଥିଲା ସ୍ୱତନ୍ତ୍ର । ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଓଡ଼ିଆ ପ୍ରତିଭାଧରଗଣ ସ୍ୱନାମ ଅର୍ଜନ କରିବା ସହିତ ଦେଶ ତଥା ବିଦେଶରେ ଆମ ଓଡ଼ିଶା ରାଜ୍ୟର ସମ୍ମାନ ବୃଦ୍ଧି କରିପାରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଓଡ଼ିଆ ପ୍ରତିଭାଧରଙ୍କ ସମ୍ପର୍କରେ ‘ଓଡ଼ିଶା ସମ୍ବାଦ’ର ଅବତାରଣା ।

୧ – ଲେଖକ ବିରେନ୍ଦ୍ର ମହାନ୍ତି ତାଙ୍କର ପୁସ୍ତକ ‘ରୁମୁକୁ ଝୁମା’ ଲାଗି ସାହିତ୍ୟ ଏକାଡ଼େମୀର ବାଲ ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହୋଇପାରିଛନ୍ତି ।

୨ – କଳାହାଣ୍ଡିର ଯୁବକବି ଯୟଦ୍ରଥ ସୁନା ତାଙ୍କର ୨୦୧୭ ମସିହାରେ ପ୍ରକାଶିତ କବିତା ପୁସ୍ତକ ‘ଶୋଷ’ ଲାଗି ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ହାସଲ କରିପାରିଛନ୍ତି ।

୩ – ଜଣାଶୁଣା ଲେଖକ ଡଃ ଦାସରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି ୨୦୧୮ ମସିହାର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

୪ – ୨୦୧୮ ମସିହାର ସାହିତ୍ୟ ଏକାଡ଼େମୀ ଭାଷା ପୁରସ୍କାର ପାଇବେ ପ୍ରସିଦ୍ଧ ଓଡ଼ିଆ-ଇଂରାଜୀ ଭାଷାର ଗ୍ରନ୍ଥକାର ଗଗନେନ୍ଦ୍ର ନାଥ ଦାସ ।

୫ – ସେହିପରି ହଳଧର ନାଗ ଏବଂ ପ୍ରଫୁଲ୍ଲ ତ୍ରିପାଠୀ ମଧ୍ୟ କୋଶଳୀ ସମ୍ବଲପୁରୀ ଭାଷା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

୬ – ଫିଲ୍ମ ନିର୍ମାଣ ଲାଗି ଶିଶିର ପୁରୁଷୋତ୍ତମ ମିଶ୍ର ଦେଶର ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି । ଏହି ଓଡ଼ିଆ ଫିଲ୍ମ ନିର୍ମାତା କଳା/ସାହିତ୍ୟ/ସିନେମା କ୍ୟାଟେଗୋରୀରେ ମହାରାଷ୍ଟ୍ରରୁ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ଓଡ଼ିଆ ସିନେମାର ଦ୍ରୋଣାଚାର୍ଯ୍ୟ ଭାବେ ବେଶ୍ ଜଣାଶୁଣା । ସେ ବର୍ତ୍ତମାନ ମୁମ୍ବାଇରେ ଅବସ୍ଥାପନ କରୁଛନ୍ତି ।

୭ – ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ସମାଜସେବା ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେ ଭାରତଛାଡ଼ ଆନ୍ଦୋଳନରେ କୃଷକ ମାନଙ୍କର ନେତୃତ୍ୱ ଗ୍ରହଣ କରିଥିଲେ । ସେ ପୂର୍ବରୁ ୩ ଥର ଲାଗି ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇପାରିଥିଲେ ।

୮ – ପ୍ରସିଦ୍ଧ ଲେଖକ ପ୍ରଫେସର ଚନ୍ଦ୍ରଶେଖର ରଥ ଶିକ୍ଷା ଓ ସାହିତ୍ୟ ଲାଗି ଭାରତର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ମରୋଣତ୍ତର ଭାବେ ଲାଭ କରିଛନ୍ତି । ବିଗତ ପାଞ୍ଚଟି ଶତାବ୍ଦୀ ଲାଗି ପ୍ରଫେସର ରଥ ଅନେକ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ତଥା କବିତା ପୁସ୍ତକ ରଚନା କରିଯାଇଛନ୍ତି ।

୯ – କୋରାପୁଟରେ କଳା ଓ ହସ୍ତତନ୍ତ ଲାଗି ପ୍ରସିଦ୍ଧି ଲାଭ କରିଥିବା ଗୋବର୍ଦ୍ଧନ ପଣିକା ଯିଏକି ଜଣେ ବୁଣାକାର ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପାରମ୍ପରିକ ଓଡ଼ିଆ ହସ୍ତତନ୍ତ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ସ୍ଥାନୀୟ ଜନଜାତିର ବୁଣାକାରଙ୍କୁ ନେଇ ହସ୍ତତନ୍ତ ଶିଳ୍ପରେ କୋରାପୁଟ ଅଞ୍ଚଳରେ ଏକ ବିପ୍ଳବ ସୃଷ୍ଟି କରିପାରିଛନ୍ତି ଶ୍ରୀଯୁକ୍ତ ପଣିକା । ଏହି ପ୍ରସିଦ୍ଧ ବୁଣାକାରଙ୍କ ଲାଗି ରାଜ୍ୟର ପାରମ୍ପରିକ କୋଟପାଡ଼ ହସ୍ତତନ୍ତ୍ର ଶିଳ୍ପ ବରିଷ୍ଠ ତଥା ଯୁବବର୍ଗରେ ବେଶ୍ ଆଦୃତି ଲାଭ କରିପାରିଛି ।

୧୦ – ପଥରରେ ଭାସ୍କର୍ଯ୍ୟ ଶିଳ୍ପ ତଥା ସ୍ଥାପତ୍ୟ କଳାରେ ସିଦ୍ଧହସ୍ତ ଶିଳ୍ପୀ ପ୍ରଭାକର ମୋହନା ୨୦୧୮ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି ।

୧୧ – ପ୍ରସିଦ୍ଧ ଓଡ଼ିଆ କବି ରମାକାନ୍ତ ରଥ ରାଜ୍ୟର ୨୦୧୮ ମସିହାରେ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ‘ଅତିବଡ଼ୀ ଜଗନ୍ନାଥ ଦାସ’ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି ।

୧୨ – ପ୍ରସିଦ୍ଧ ଓଡ଼ିଆ କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ପୁସ୍ତକ ‘ମିଶ୍ର ଧ୍ରୁପଦ’ ଲାଗି ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ହାସଲ କରିପାରିଛନ୍ତି ।

Leave A Reply

Your email address will not be published.