Latest Odisha News

BREAKING NEWS

ଓଡିଆ ଚଳଚ୍ଚିତ୍ର ଲାଗି ସଦା ଚିରସ୍ମରଣୀୟ ଏହି ବ୍ୟକ୍ତିତ୍ୱମାନେ, ଜାଣନ୍ତୁ…

ଭୁବନେଶ୍ୱର : କଥାରେ ଅଛି ‘ମଣିଷ ଦେହ ତ୍ୟାଗ କରିପାରେ କିନ୍ତୁ କଳାକାର କେବେବି ମରେନା’ । ସେହି ମର୍ମରେ ଓଡିଆ ଚଳଚ୍ଚିତ୍ର ଜଗତରେ ଏଭଳି କେତେକ ବ୍ୟକ୍ତିତ୍ୱ ତଥା କଳାକାର ରହିଛନ୍ତି, ଯିଏକି ଆମ ଆମ ଗହଣରେ ନଥିଲେ ମଧ୍ୟ ଦର୍ଶକଙ୍କ ହୃଦୟରେ ସଦା ଚିରସ୍ମରଣୀୟ ହୋଇ ରହିଛନ୍ତି । ଜାଣନ୍ତୁ…

ପାର୍ବତୀ ଘୋଷ- ପାର୍ବତୀ ଘୋଷ ଏକାଧାରାରେ ଥିଲେ ଜଣେ ଅଭିନେତ୍ରୀ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ସେ ୧୯୫୦ ମସିହାରେ ଶିଶୁ କଳାକାର ଭାବେ ‘ଶ୍ରୀ ଜଗନ୍ନାଥ‘ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଫିଲ୍ମଗୁଡିକ ମଧ୍ୟରେ ‘ଆମ ଗାଁ ଝିଅ’, ‘ଭାଇ ଭାଇ’ ଏବଂ ‘ମା’ ଭଳି ଚଳଚ୍ଚିତ୍ର ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିସହିତ ‘ଲକ୍ଷ୍ମୀ’, ‘କା’, ଏବଂ ‘ସ୍ତ୍ରୀ’ ଫିଲ୍ମ ଜାତୀୟ ପୁରସ୍କାର ପାଇ ପାରିଛି । ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ଛଅ ମାଣ ଆଠ ଗୁଣ୍ଠ’କୁ ନେଇ ପାର୍ବତୀ ଏହି ନାମକ ଏକ ଫିଲ୍ମ ନିର୍ମାଣ କରି ନିର୍ଦ୍ଦେଶନା ଭାର ତୁଲାଇଥିଲେ ।

ଅଶୋକ ସ୍ୱାଇଁ- ଇଣ୍ଡୋ-ରସିଆନ୍ ଶିଶୁ ଫିଲ୍ମରୁ ସେ ଆସିଷ୍ଟାଣ୍ଟ୍ କ୍ୟାମେରାମ୍ୟାନ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏଥିସହିତ ଶ୍ରୀ ସ୍ୱାଇଁ ରସିଆନ ନିର୍ଦ୍ଦେଶକମାନଙ୍କ ସହ ମଧ୍ୟ କାର୍ଯ୍ୟ କରିଛନ୍ତି । ଆହୁରିମଧ୍ୟ ‘ଶେଷ ପ୍ରତୀକ୍ଷା’, ‘ସୁବର୍ଣ୍ଣ ସୀତୀ’ ‘ବତାସୀ ଝଡ’ ଅନେକ ଫିଲ୍ମରେ କାମ କରିଛନ୍ତି ।

ଚିତ୍ତ ଜେନା- ଓଡିଆ ଚଳଚ୍ଚିତ୍ର ଜଗତରେ ୧୯୭୪ ରେ ନିର୍ମିତ ଚଳଚ୍ଚିତ୍ର ‘ମନ ଆକାଶ’ରେ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ । ସେ ଗାଇଥିବା ଅନେକ ଗୀତ ଗୁଡିକ ଆଜି ମଧ୍ୟ ଲୋକପ୍ରିୟ ହୋଇରହିଛି । ‘ରୂପ ହୋଇଥିବ ଲବଣ୍ୟବତୀ’, ‘ଉଡିଗଲା ଗେଣ୍ଡାଳିଆ’, ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଭଳି ଗୀତ ଗାଇ ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । ଏଥିସହିତ ‘କି ସୁନ୍ଦର ଆହା କି ଆନନ୍ଦମୟ’ ଏବଂ ‘ଟୋପାଏ ଲୁହ’ ପରି ଅନେକ ହିଟ୍ ଗୀତ ଦେଇଥିଲେ ।

ଅମୀୟ ପଟ୍ଟନାୟକ- ୧୯୮୪ ମସିହାରେ ନିର୍ମିତ ଓଡିଆ ଫିଲ୍ମ ‘ହାକିମ ବାବୁ’ ଓଡିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇପାରିଥିଲା । ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ରାଜା ରାଣୀ’, ‘ଆସୁଛି ମୋ କାଳିଆ ସୁନା’, ‘ମମତା ମାଗେ ମୂଲ’, ‘ପରଦେଶୀ ବାବୁ’, ‘ବାବୁ ଆଇ ଲଭ ୟୁ’ ଓ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ନିର୍ମିତ ଫିଲ୍ମ ‘ତୁଳସୀ ଅପା’ ଅନ୍ୟତମ ।

ଗୁରୁକୃଷ୍ଣ ଗୋସ୍ୱାମୀ- ୧୯୫୮ ମସିହାରେ ‘ମା’ ଚଳଚ୍ଚିତ୍ର ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ପାଖାପାଖି ୩୦ଟି ଓଡିଆ ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି । ସେଥିମଧ୍ୟରେ ‘ବେଦନା ସାଗର ଟିରେ’, ‘ଏଇ ଚୁନା ଚୁନା ତାରା ଫୁଲେ ଆଜି’, ‘ମୁଁ ଯେ ଜାଣେନା କାହାବାଟ’ ଭଳି ଗୀତ ଗୁଡିକ ଆଜି ବି ଓଡିଆ ଦର୍ଶକଙ୍କ ହୃଦୟରେ ଛପି ରହିଛି ।

ନାରାୟଣ ପ୍ରସାଦ ସିଂହ- ସେ ୧୯୬୦ ଓ ୧୯୭୦ ମସିହାରେ ଅନେକ ଲୋକପ୍ରିୟ ଗୀତ ଲେଖିଥିଲେ । ତାଙ୍କର ଲିଖିତ ସେହି ଚଳଚ୍ଚିତ୍ର ଗୀତ ଗୁଡିକ ମଧ୍ୟରେ ରହିଛି ‘ଜୀବନ ଯମୁନାରେ ଜୁଆର ଉଠେରେ’, ‘ଯୋତ୍ସନା ଲୁଚେଁ ଦୂର ନୀଳ ଗଗନେ’, ‘ଉଡି ଉଡି ଉଡି ଜାରେ ଗୁଡି’, ‘ଦିଲ ଦେବି ଦିଲ ଦେବି’ ‘ଦେଲେ ଧରା କଥା ସରେ’ ତଥା ‘କଇଁଚି କାକୁଡି ନଳିତା ପିତା’ ଏବଂ ‘ଶୁଭ କାମନା ଘେନ ‘ ଭଳି ଗୀତ ଲେଖି ଓଡିଆ ଗୀତକୁ ଅଧିକ ସମୃଦ୍ଧିଶୀଳ କରିପାରିଛନ୍ତି ।

ଅନୀତା ଦାସ (ଅଭିନେତ୍ରୀ)- ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କ ‘ଯାଯାବର’ ଫିଲ୍ମ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ‘ତପସ୍ୟା’, ‘ରାମ ବଳରାମ’, ‘କୃଷ୍ଣ ସୁଦାମ’ ଆଦି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ‘ନାଗଫାଶ’, ‘ପୁଅ ମୋର କଳା ଠାକୁର’, ‘କି ହେବ ଶୁଆ ପୋଶିଲେ’, ‘ବାହୁଡିବେ ମୋ ଜଗା ବଳିଆ’, ‘ମା ମମତା’, ‘ଶପଥ‘, ‘ସ୍ୱପ୍ନ ସାଗର’ ଏବଂ ତାଙ୍କର ଶେଷ ଫିଲ୍ମ ଥିଲା ‘ଅଭୟ’ ଓ ‘ସୀତା ରାମଙ୍କ ବାହାଘର କଳି ଯୁଗରେ’ ।

ସୁବାସ ରାଉତ (ପ୍ରଯୋଜକ)- ସେ ଅନେକ ଗୁଡିଏ ଓଡିଆ ଫିଲ୍ମର ପ୍ରଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେଥିମଧ୍ୟରେ ‘ସୁନା ପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତରେ ଡୋରୀ’, ‘ଲକ୍ଷ୍ମଣ ରେଖା’ ଏବଂ ‘ସିଂହ ବାହିନୀ’ ରହିଛି । ଏଥିସହିତ ସେ ଓଡିଆ ଧାରାବାହିକ ‘ବିଧାତାର ଖେଳ’ରେ ମଧ୍ୟ ପ୍ରଯୋଜକ ଭାବେ ରହିଥିଲେ ।

ନଗେନ ରାୟ- ଏହି ନିର୍ଦ୍ଦେଶକ ଜଣଙ୍କ ଓଡିଆ ଫିଲ୍ମ ଜଗତର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ‘ଗପ ହେଲେବି ସତ’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ । ଏହି ରଙ୍ଗୀନ ଚଳଚ୍ଚିତ୍ର ୧୯୭୬ ମସିହାରେ ପରଦାକୁ ଆସିଥିଲା । ୧୯୮୦ ମସିହାରେ ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ‘ତପସ୍ୟା’ ଓଡିଆ ଫିଲ୍ମ ଜଗତକୁ ଅଧିକ ସମୃଦ୍ଧିଶୀଳ କରିପାରିପାରିଥିଲା ।

Leave A Reply

Your email address will not be published.