Latest Odisha News

BREAKING NEWS

ରିଲିଜ ହେଲା ଦୁଇ ବାଲ୍ୟବନ୍ଧୁଙ୍କ ପ୍ରେମ କାହାଣୀ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର: ଦୁଇ ବାଲ୍ୟ ବନ୍ଧୁ ପତି ( ଜଣେ ସିନେମାଟୋଗ୍ରାଫର) ଏବଂ ମଣି(ପତିଙ୍କ ପିଲାବେଳର ବନ୍ଧୁ)ଙ୍କ କାହାଣୀ । ପତି ଏକ ଘର କିଣିଛନ୍ତି ଯାହାକୁ ସେ ଏକ ମ୍ୟୁଜିୟମ କରିଛନ୍ତି । ଏହି ମ୍ୟୁଜିୟମରେ ସେ ମଣିଙ୍କ ସ୍ମୃତିକୁ ସାଇତିଛନ୍ତି ।

ପିଲାବେଳରୁ ପତି ଲୁଚି ଲୁଚି ମଣି ବ୍ୟବହାର କରୁଥିବା ଜିନିଷ ଯେମିତି କ୍ଲିପ, ପୁରୁଣା ପେନସିଲ, ସ୍କେଲ, ପେନ ଇତ୍ୟାଦି ସାଇତି ରଖନ୍ତି । ସମୟକ୍ରମେ ମଣି ଓ ପତିଙ୍କ ମଧ୍ୟରେ ପ୍ରେମ ହୋଇଯାଏ । ଏପଟେ ମଣି ବି ପତିଙ୍କୁ ଦେଖା କରିବା ପାଇଁ ବାହନା ଖୋଜୁଥାନ୍ତି । ହେଲେ ସମୟ ବଦଳିଯାଏ । ଭାଗ୍ୟ ଧୋକାଦିଏ । ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଆନ୍ତି । ପୁଣି ଦୀର୍ଘ ୨୦ ବର୍ଷ ପରେ ସେମାନେ ଏକାଠି ହୁଅନ୍ତି । ଏମିତି କାହାଣୀକୁ ନେଇ ଆଗେଇ ଚାଲେ ମନ ମ୍ୟୁଜିୟମ । କିନ୍ତୁ ଫିଲ୍ମର ଶେଷ ଏକ ନିଆରା ଢଙ୍ଗରେ ହୋଇଛି ।

ଶୁକ୍ରବାର ରିଲିଜ ହୋଇଛି ‘ମନ ମ୍ୟୁଜିୟମ’ ।  ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ମନ ମ୍ୟୁଜିୟମର ପ୍ରିମିୟର ସୋ ଦେଖିବାକୁ ମିଳିଛି ।  ସଙ୍ଗୀତା ମୋସନ ବ୍ୟାନରରେ ସଙ୍ଗୀତା ମହାନ୍ତିଙ୍କର ଫିଲ୍ମ ମନ ମ୍ୟୁଜିୟମରେ ମୁଖ୍ୟ ଭୂମିକାରେ ଅଛନ୍ତି  ନିହାର ନାୟକ ଓ ଉପାସନା ।

ଜଣେ ସିନେମାଟୋଗ୍ରାଫରଙ୍କ କାହାଣୀକୁ ନେଇ ସଙ୍ଗୀତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଓଲିଉଡ ଫିଲ୍କ ‘ମନ ମ୍ୟୁଜିୟମ’ର  ନିର୍ଦ୍ଦେଶନା ଦେଇଛନ୍ତି  ଧ୍ରୁବାନନ୍ଦ ପଣ୍ଡା ।  ଓଲିଉଡ଼ରେ ସଙ୍ଗୀତାଙ୍କର  ଏହା  ପ୍ରଥମ ଉଦ୍ୟମ ।  ତଥାପି ଲୋକମାନେ ଏହାକୁ ଗ୍ରହଣ କରିବେ ବୋଲି ସେ  ଆଶା ରଖିଛନ୍ତି ।

ନିହାର ଜଣେ ବୃତ୍ତିଗତ ତାଲିମପ୍ରାପ୍ତ ଅଭିନେତା । ସେ ଯୁକ୍ତରାଷ୍ଟ୍ର ଆମେରିକାର “ହୁଡ଼୍ ସ୍କୁଲ୍ ଅଫ୍ ଆକ୍ଟିଂ” ରେ ବୃତ୍ତିଗତ ଅଭିନୟ ଅଧ୍ୟୟନ କରିଥିଲେ । ସେ  ହଲିଉଡରେ କାମ ମଧ୍ୟ କରିସାରିଛନ୍ତି । ୨୦୧୭ ରେ ପାଟ୍ରିକ୍ ମାନୱେଙ୍କ ଦ୍ୱାରା “ସ୍ଲେଭ୍ ଟୁ ଦ ରିଦିମ୍” ନାମକ ଏକ ହଲିଉଡ ଚଳଚ୍ଚିତ୍ରରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଛନ୍ତି ।

ସେହିପରି “ଚୁମ୍‌କି ସେତ ପାଣିରେ ବୁଡି଼ବ ନାହିଁକି” ର ସଫଳତା ପରେ ଉପାସନା ଏହି ସିନେମାରେ ନଜର ଆସିବେ ।  ଶରତ ନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ହୋଇଥିବାବେଳେ ବିଜୟ ମଲ୍ଲ ହେଉଛନ୍ତି ଗୀତିକାର । ଚଳଚ୍ଚିତ୍ରର ସ୍କ୍ରିନ୍ ସ୍କ୍ରିପ୍ ଏବଂ ଡାଏଲଗ୍ ଭରଦ୍ୱାଜ ପଣ୍ଡା ଲେଖିଛନ୍ତି । ସୁକୁମାର ମଣି ଏହି ଚଳଚ୍ଚିତ୍ରର ସଂପାଦକ ହୋଇଥିବାବେଳେ ଗିରିଶ ମହାନ୍ତି ଏହି ଚଳଚ୍ଚିତ୍ରର କୋରିଓଗ୍ରାଫର ଅଟନ୍ତି । ଏହି ଚଳଚ୍ଚିତ୍ରରେ ୭ ଟି ସୁନ୍ଦର ଗୀତ ଅଛି ଯାହା ନିଶ୍ଚିତ ଭାବରେ ଦର୍ଶକଙ୍କ ଆତ୍ମାକୁ ସ୍ପର୍ଶ କରିବ ବୋଲି ପୁରା ମନ ମ୍ୟୁଜିୟମ ଟିମ ଆଶା ରଖିଛନ୍ତି ।

 

 

Leave A Reply

Your email address will not be published.