Latest Odisha News

ଏମିତି ଜାଗା ଯେଉଁଠି ବରଫର ରଙ୍ଗ ଲାଲ

ଆଣ୍ଟାର୍କଟିକା: ଦୁନିଆରେ ଅନେକ ଅଜବ ଜିନିଷ ଦେଖିବାକୁ ମିଳିଥାଏ, ଯାହା ଆମକୁ ଅଦ୍ଭୁତ ଲାଗେ । କହିବାକୁ ଗଲେ ସ୍ଥଳବିଶେଷରେ ଏସବୁ ପାଖରୁ ଦେଖିବା ଓ ଅନୁଭବ କରିବା ସମ୍ଭବ ହୋଇଥାଏ । ମୋଟ ଉପରେ ପ୍ରତ୍ୟେକ ଦେଶରେ ବହୁତ ଅନନ୍ୟ ସମାଗ୍ରୀ ଅଛି, ଯାହା ଉପରେ ବାରମ୍ବାର ଚର୍ଚ୍ଚା ହୋଇଥାଏ । ଯେମିତି କି କୌଣସି ସ୍ଥାନରେ ‘ସ୍ୱର୍ଗର ଦ୍ୱାର’ ଥିବା ବେଳେ ଆଉ କେଉଁଠି ‘ପାତାଳକୁ ଯିବା ବାଟ’ ଅଛି । ତେବେ ଆମେ ଆପଣଙ୍କୁ ଆଣ୍ଟାର୍କଟିକା ଅଞ୍ଚଳର ଏକ ଅଦ୍ଭୁତ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ବରଫର ରଙ୍ଗ ଧଳା ନୁହେଁ ଲାଲ୍ ।

ଆଣ୍ଟାର୍କଟିକାରେ ବହୁମାତ୍ରାରେ ବରଫ ଦେଖିବାକୁ ମିଳେ । ଏଠାରେ ଧଳା ବରଫ ବଦଳରେ ଦେଖିବାକୁ ମିଳେ ‘ଲାଲ୍ ବରଫ’ । ଯେଉଁଥିରୁ ପାଣି ବଦଳରେ ‘ରକ୍ତ’ ବାହାରିଥାଏ ବୋଲି ଅନେକ ମତ ରଖନ୍ତି । ଏହାକୁ ନେଇ ବୈଜ୍ଞାନିକମାନଙ୍କ ପରୀକ୍ଷାନିରୀକ୍ଷା ପରେ ମଧ୍ୟ ଏହାର ରହସ୍ୟ ବର୍ଷ ବର୍ଷ ଧରି ଅନାଲୋଚିତ ରହିଆସୁଥିଲା । ଏବେ କିନ୍ତୁ ଏହାର ବାସ୍ତବତା ସାମ୍ନାକୁ ଆସିଛି । ପ୍ରକୃତରେ ଏହା ନାଲି ବରଫ, ରକ୍ତ ନୁହେଁ । ଟେଲର ଗ୍ଲେସିୟର ନାମରେ ପ୍ରସିଦ୍ଧ ଆଣ୍ଟାର୍କଟିକାରେ ଏକ ସ୍ଥାନ ଅଛି ଯେଉଁଠାରୁ ଲାଲ ରଙ୍ଗ ବାହାରୁଥିବା ଦେଖିବାକୁ ମିଳେ । ଏହା ମ୍ୟାକ୍ ମର୍ଡୋ ନାମକ ଏକ ଉପତ୍ୟକାରେ ରହିଛି । ଏହା ୧୯୧୧ ମସିହାରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଦଶନ୍ଧି ଧରି ବୈଜ୍ଞାନିକମାନେ ଏହାର ରହସ୍ୟ ଖୋଜିବାରେ ଲାଗିପଡ଼ିଥିଲେ ।

ନିକଟରେ, ଆଲାସ୍କା ଫେୟାରବ୍ୟାକ୍ସ୍ ବିଶ୍ୱବିଦ୍ୟାଳୟର କିଛି ଅନିସନ୍ଧିତ୍ସୁ ଏହି ରହସ୍ୟ ଖୋଜି ପାଇବାରେ ସମର୍ଥ ହୋଇଛନ୍ତିିି । ଅନୁସନ୍ଧାନ ଅନୁଯାୟୀ, ଲାଲ୍ ଗ୍ଲେସିୟର ବା ବରଫ ଏବେକାର ନୁହେଁ, ଏହା ବହୁ ବର୍ଷ ତଳର । ବାସ୍ତବରେ, ଏହି ଉପତ୍ୟକାରେ ବହୁ ପରିମାଣ ଲୁଣିଆ ପାଣି ଅଛି । ତେଣୁ ଏଠାରେ ଲୌହ ଅଂଶ ବି ଅଧିକ ଅଛି । ଯେଉଁଠାରେ ସୂର୍ଯ୍ୟ କିରଣ କିମ୍ବା ଅମ୍ଳଜାନ ସଠିକ୍ ଭାବରେ ପହଞ୍ଚେ ନାହିଁ । ଯେତେବେଳେ ଜଳର ପ୍ରବାହ ବାୟୁରେ ଥିବା ଅମ୍ଳଜାନ ସହିତ ସଂସ୍ପର୍ଶରେ ଆସେ, ଏଥିରେ ଥିବା ଲୁହା କଳଙ୍କିତ ହୋଇଯାଏ, ଏହା ଜଳର ରଙ୍ଗକୁ ଲାଲ କରିଦିଏ । ଲୋକମାନେ ଏହି ଅଞ୍ଚଳରେ ରୁହନ୍ତି ନାହିଁ । କାରଣ ଏଠାରେ ପାଗ ଅତ୍ୟଧିକ ଥଣ୍ଡା । ଏଠାକୁ ଯିବା ପାଇଁ ହେଲିକପ୍ଟର ହେଉଛି ଏକମାତ୍ର ବିକଳ୍ପ । ଯାହା ଆମେରିକାର ମ୍ୟାକମର୍ଡୋ ଷ୍ଟେସନରୁ କିମ୍ବା ନ୍ୟୁଜିଲ୍ୟାଣ୍ଡର ସ୍କଟ ବେସରୁ ମିଳିପାରିବ ।

Leave A Reply

Your email address will not be published.