Latest Odisha News

ବ୍ୟଙ୍ଗ : ନକଲରେ ଅକଲ

ଓଁ ଅଭିଜ୍ଞାନ ସାହୁ 

ବହୁତ ଦିନ ହେଲା ମୋତେ ଲାଗୁଛି ଏ ରମ୍ୟ ରଚନା ପ୍ରତି ଲୋକଙ୍କ ଆଦର ନାହିଁ । ଯେତିକି ଛଳ ଛଳ ଗପ ସବୁକୁ ପାଠକେ ପସନ୍ଦ କରୁଛନ୍ତି ସେତିକି ଏ ବ୍ୟଙ୍ଗ ସାହିତ୍ୟକୁ ନୁହେଁ । ଯେଉଁ ଲେଖକ ଯେତିକି ଅନୁରାଗ ମିଶା ବିଷାଦରେ ପାଠକଙ୍କୁ ଡୁବେଇ ପାରିବ ସେ ଲେଖକ ସେତେ ଶୀଘ୍ର ପ୍ରସିଦ୍ଧି ପାଇବ ବୋଲି ମୋର ଏକ ଧାରଣା ଦୃଢ଼ ହେଲାଣି । କିନ୍ତୁ କଣ କରିବା ବହୁ ଚେଷ୍ଟା ସତ୍ତ୍ୱେ ନିଜର ସ୍ଵଭାବ ହେତୁ ହେଉ କି ଜ୍ଞାନର ଅଭାବ ହେଉ କିଛି ସିରିୟସ ଗପ ଲେଖୁ ଲେଖୁ ତାହା ସରିଲା ବେଳକୁ ବେଙ୍ଗା ଭାବରେ ବଢି ବ୍ୟଙ୍ଗ ଗଳ୍ପ ହେଇଯାଉଛି । ପାଠକଙ୍କୁ ଭାବସିକ୍ତ ଲୁହରେ ଭିଜେଇ ଦେବାର ଅଭିଳାଷଟି ସେମିତି ଅମୋକ୍ଷ ରହିଗଲା । କଥାକଣ କି ପ୍ରେମ ଗଳ୍ପ ଲେଖିବା ପାଇଁ ଗୋଟେ ପ୍ରେମିକାର ସତ୍ତା ପାଖରେ ଥିବା ଦରକାର । ସଶରୀରରେ ହେଉ କି ଭାବନାରେ ହେଉ ପ୍ରେମିକ ପଣଟି ପାଖରେ ଥିବା ନିହାତି ଆବଶ୍ୟକ । କିନ୍ତୁ ମୁଁ ପାରେନି । ପୋଡା ଭାଗ୍ୟକୁ ଆଜି ଯାଏଁ ସେ ପ୍ରେମିକା ପଦବାଚ୍ୟ ନାରୀର ସାନିଧ୍ୟ ପାଇଲି ନାହିଁ । ଏମିତିରେ କଲେଜ ସମୟରୁ ମୁଁ ଝିଅ ମାନଙ୍କୁ କରଛଡା ଦେଉଥିଲି ।

କଲେଜ ବେଳୁ ନୁଙ୍ଗୁଡା ମାନଙ୍କ ପ୍ରତି ଆମ ସାଙ୍ଗସାଥୀରେ ଥିଲା ଭୀଷଣ ଆଲର୍ଜି । କଲେଜର କୌଣସି ଏକ ନିରୋଳା ଜାଗା ମାନଙ୍କରେ ପ୍ରେମୀ ଯୁଗଳଙ୍କ ଘଣ୍ଟା ଘଣ୍ଟା ଧରି ଗପସପ ଦେଖି ମୁଁ ଆଶ୍ଚର୍ଯ୍ୟ ହୁଏ । ପୃଥିବୀର ଏପରି କେଉଁ ସମସ୍ୟା ଅଛି ଯାହା ଉପରେ ଦିନ ପ୍ରତିଦିନ,ମାସ ପରେ ମାସ ଓ ବର୍ଷ ବର୍ଷ ଧରି ଆଲୋଚନା ହେଲେ ବି ତାହା ସରେନି । ମୁଁ ତ ମାତ୍ର ଦଶ ଦିନ ଭିତରେ ପୃଥିବୀରୁ ଚନ୍ଦ୍ର ବାଟଦେଇ ପ୍ଲୁଟୋ ପର୍ଯ୍ୟନ୍ତ ପହଂଚି ଯିବି । ଆଗକୁ ବି ଯାଇପାରିବି ଯଦି ପ୍ଲୁଟୋ ବାଦେ ଆଉ କିଛି ଗ୍ରହ ଥା’ନ୍ତା ତ । ମୁଁ ଭାବେ କେମିତି ସେମାନେ ବିରକ୍ତ କି ହାଲିଆ ହୁଅନ୍ତି ନାହିଁ ! ଏମିତି ବି ଦେଖିଛି ଯଦି କିଛି ମାସ ପରେ ମନାନ୍ତର ଘଟି ନୂଆ ସାଥୀଟିଏ ଆସେ ତେବେ ପୁଣି ଦାସେ ଆଇଲେ ମୂଳରୁ ଗା’ ଭଳି ସବୁ କଥା ମୂଳରୁ ଆରମ୍ଭ ହୁଏ । ନୂଆ ସ୍ୱପ୍ନ, ନୂଆ ସ୍ପର୍ଶ ନୂଆ ଗପ । ଘୋଷା କଥାକୁ ଆଉଥରେ ଗପିବାକୁ ପଡେ । ପୁଣି ଚନ୍ଦ୍ର ରାଇଜ ଭ୍ରମଣ, ପାହାଡ଼ ପର୍ବତ ଝରଣା ଫୁଲ ବଗିଚା ଠାରୁ ନେଇ ମହାକାଶରେ ଘର ତୋଳିବା ଯାଏଁ ଆଉ ଥରେ ମୂଳରୁ ସବୁ ସ୍ୱପ୍ନ ଦେଖେଇବାକୁ ପଡେ । ଓଃ କି ବିରକ୍ତିକର ଏ ପ୍ରେମ କିହୋ । ମୋର ଏହି ଭାବନା ହିଁ ମୋତେ ମୂଳରୁ ଏ ପ୍ରେମ ଫ୍ରେମ ଝାମେଲାରୁ ଦୂରେଇ ରଖୁଥିଲା ।

ମୋଟ ଉପରେ କହିବାକୁ ଗଲେ ଆମିଷ ସିନା ଖାଉଥିଲି ହେଲେ ନିରାମିଷ ଜୀବନ ଜୀଉଁଥିଲି । ବୟସ ବଢ଼ିବା ପରେ ସାମାଜିକ ସ୍ୱୀକୃତି ସହ ପ୍ରଥମ ଓ ଶେଷ ପ୍ରେମିକା ଭାବେ ଯାହାଙ୍କୁ ପତ୍ନୀ ରୂପେ ଗ୍ରହଣ କଲି ତାଙ୍କ ସହ ଆଜିଯାଏଁ ଯାବତୀୟ ଦାମ୍ପତ୍ୟ ଅସୁବିଧା ଓ ମନସ୍ତାତ୍ତ୍ଵିକ ଗୋଳମାଳ କଥା କେବଳ ମୁଁ ହିଁ ଜାଣେ । ସେ କଥାର ବିସ୍ତୃତ ବିବରଣୀ ଆପଣମାନଙ୍କୁ ଦେଇ କିଛି ଲାଭ ନାହିଁ । ମୁଁ ନିଶ୍ଚିତ ଯେ ଆପଣମାନେ ଉପରେ ସମବେଦନା ଜଣେଇ ଭିତରେ ଭିତରେ କୁରୁଳିଯିବେ । ଛାଡ଼ ସେ ସବୁ ।

ମୋଟ ଉପରେ କଥା ହେଲା ସେଇ ପ୍ରେମିକା ନାମ୍ନୀ ନାରୀର ଅଭାବ ଯୋଗୁଁ ମୁଁ ଆଜି ଯାଏଁ ଗୋଟିଏ ବି ପ୍ରେମ ଗପ ଲେଖିପାରିଲି ନାହିଁ ।ବହୁତ ଚେଷ୍ଟା କରିଛି । ଭାନୁଜି ରାଓ ଯଦି ଅଶି ବର୍ଷରେ ପ୍ରଣୟ କବିତା ଲେଖି ପାରିଲେ ତେବେ ମୁଁ ଏ ବୟସରେ କାହିଁକି ଲେଖି ପାରିବି ନାହିଁ ! ପ୍ରତକ୍ଷ ଅନୁଭବ ଯଦି ନାହିଁ ଅନୁଭୂତି ତ ଅଛି । ହେଉ ପଛେ ତାହା ବାଧ୍ୟତାମୂଳକ କିମ୍ବା ସୁଖୀ ଦାମ୍ପତ୍ୟର ଅଭିନୟ ପାଇଁ । ଏତେ ବର୍ଷ ବିବାହ ପରେ ଯେଉଁ ଅନୁଭୂତି ଅଛି ତାକୁ ଆଳ ଆଉ ଆଦର କରି ଚେଷ୍ଟା କଲି ଲେଖିବା ପାଇଁ ।

ଫେସବୁକ ବହୁ ଅଣ୍ଡାଳିଲି । ସବୁ ପଢିବା ସମ୍ଭବ ନହେବାରୁ ଯେଉଁ ଲେଖା କମେଣ୍ଟରେ ଆବେଗ, ଅନୁରାଗ, ଅନ୍ତରଙ୍ଗ, ଛୁଇଁଲା,ଭିଜିଲି, ଓଦାହେଲି, ଗାଧେଇଲି, ଚେନାଏ ଆକାଶ, ମୁଠାଏ ପବନ, ଶୀତଳ ସିଗ୍ଧ ଇତ୍ୟାଦି ଭଳି ଶବ୍ଦ ଥାଇ କମେଣ୍ଟ ଥାଏ ସେ ସବୁ ଲେଖା ପଢ଼ିଲି । କପି କଟ ପେଷ୍ଟ କରି ବହୁ ଚେଷ୍ଟା କଲି । କିନ୍ତୁ ହାଏ ! ନିର୍ଘାତ ଫେଲ । ଫେଁ କିନା ହସିଦେଲେ ଘରମଣି ଯେଉଁଠି ଲୁହ ଟୋପାଏ ଦେଖିବା ଆଶାରେ ଲମ୍ବେଇଥିଲି ଦରଦଭରା କାହାଣୀ । ଶେଷରେ ଏହି ସିଦ୍ଧାନ୍ତରେ ଉପନୀତରେ ହେଲି ଯେ ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ ଯାହା ଆଜି କାଲି ବହୁ ଲୋକ ସେଥିରେ ଡକ୍ଟରେଟ କରି ଅନେକ ପୁରସ୍କାର ହାତେଇଲେଣି । ପ୍ରାଥମିକ ସ୍କୁଲରେ ଆଣ୍ଠୁଆ ଶାସ୍ତି ପାଉଥିବା ଆମ ଭଳି ବୃଦ୍ଧ ବାଳୁତ କେବଳ ଟିପା ଟିପି କରିଦେଲେ ଗପଟିଏ କୁଆଁ ରାବ ଦେଇ ଡେଇଁ ପଡିବ ଭାବିବା ବାଚାଳାମୀ ନହେଲେ ମୂର୍ଖାମୀ ।

ଆତ୍ମଦୟାରେ ଆସୁଥିବା ଶବ୍ଦ ଏବଂ ଭାବ ଗୁଡିକ କେତେ ଯେ ଲୁହ ବୁହାଉଛି ମୋ ଆଖିରୁ ନଦେଖିବା ଲୋକ ପରତେ ଯିବନି !!

ବନମାଳି ଭବନ , ଖାନ୍ ନଗର
କଟକ

Comments are closed.