Latest Odisha News

BREAKING NEWS

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।

ଚଳିତ ବଜେଟରେ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ବଜେଟରେ ମାନବ ସମ୍ବଳର ବିକାଶ, ଭୌତିକ ଓ ସାମାଜିକ ଭିତ୍ତିଭୂମିରେ ନିବେଶ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତ ଏବଂ ଅବହେଳିତ ବର୍ଗଙ୍କ ପାଇଁ ସାମାଜିକ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି ।

ବଜେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ଖର୍ଚ୍ଚ ଲାଗି ୩ ହଜାର ୭୨୫ କୋଟି ଏବଂ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଦିଆଯାଇଛି । ଆମ ହସ୍ପିଟାଲ୍ ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୭୫୦ କୋଟି ବ୍ୟୟବରାଦ କରାଯାଇଛି ।

ବିଏସକେୱାଇ ଲାଗି ନିରାମୟ ଅଧିନରେ ୫୧୩ କୋଟି ଏବଂ ନିଦାନ ଅଧିନରେ ୧୪୦ କୋଟି ଏବଂ ରାଜ୍ୟ ସୋସାଇଟି ଅଧିନରେ ୨ ହଜାର ୩୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩ ହଜାର ୩ କୋଟି ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଆମ୍ବୁଲାନ୍ସ ସେବା ଲାଗି ୨୫୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି ବଜେଟରେ ।

ଓଡ଼ିଶାରେ ବ୍ୟାପକ କର୍କଟ ଚିକିତ୍ସା ଲାଗି ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ଲାଗି ୧ ହଜାର ୪୬ କୋଟି ବ୍ୟୟ ଅଟକଳ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ ଶହ ୧୧ କୋଟିର ବ୍ୟୟବରାଦ ପ୍ରସ୍ତାବ ରହିଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନରେ ମୋଟ ୨ ହଜାର ୨ ଶହ ୮୯ କୋଟି ବ୍ୟୟବରାଦ କରାଯାଇଛି । ହରିଶ୍ଚନ୍ଦ୍ର ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳରେ ସହାୟତା ରାଶି ୨ରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ସହରାଞ୍ଚଳରେ ରାଶି ୩ରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.