Latest Odisha News

BREAKING NEWS

ବଢ଼ିଲା ଅବଢ଼ା ଯୋଜନାର ଅଟକଳ, ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ପାଇଁ ୬ ଏକର ଜମି ଦେବେ ସରକାର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ମାଆ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ସରକାର ଜମି ଦେବେ । ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ରାୟଗଡ଼ା ତହସିଲ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଆଣିଥିବା ୬ ଏକର ୩୦ ଡିସିମିଲ୍ ଜମିକୁ ମନ୍ଦିର ପାଇଁ ଦିଆଯିବ ।

ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ଦିଆଯିବାକୁ ଥିବା ଜମି ବିନା ପ୍ରିମିୟମ୍ ଏବଂ ବିନା ଇନସିଡେଣ୍ଟାଲ୍ ଚାର୍ଜରେ ପ୍ରଦାନ କରିବେ ରାଜ୍ୟ ସରକାର । ଜମିକୁ ସରକାର ମା ମଝିଘରିଆଣୀ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଲିଜ୍ ଆକାରରେ ଦେବେ ।

ଏଥିପାଇଁ ଟ୍ରଷ୍ଟକୁ ରିହାତି ଦରରେ ଏକର ପ୍ରତି ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ୱ ଓ ଭୂ ରାଜସ୍ୱର ୭୫ ଶତକଡ଼ା ହିସାବରେ ବାର୍ଷିକ ସେସ୍ ଦେବାକୁ ପଡ଼ିବ । ଏହା ଛଡ଼ା ରାଜ୍ୟ କ୍ୟାବିନେଟରେ ଅବଢ଼ା ଯୋଜନାର ଅକଟଳ ବୃଦ୍ଧିକୁ ମଞ୍ଜୁରୀ ମିଳିଛି ।

ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ ଓ ଐତିହ୍ୟ ସଂରକ୍ଷଣ ଏବଂ ପୁନଃଜୀବିତ କରିବା ପାଇଁ ଏହି ଅବଢ଼ା ଯୋଜନା ଆରମ୍ଭ ହୋଇଥିଲା । ଏଥିପାଇଁ ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ସାମିଲ୍ ହୋଇଥିବାରୁ ଯୋଜନାର ଅଟକଳ ୪୨୨୪.୨୨ କୋଟିକୁ ବୃଦ୍ଧି ପାଇଛି ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ଏହି ଅବଢ଼ା ଯୋଜନାର ପୁନଃ ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ଅନୁମୋଦନ କରିବା ସହ ଏହାର କାର୍ଯ୍ୟକାରୀ ସମୟ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ସ୍ଥିର କରାଯାଇଛି ।

Leave A Reply

Your email address will not be published.