Latest Odisha News

BREAKING NEWS

ନବୀନଙ୍କ ନାଁରେ ଆଉ ଏକ ରେକର୍ଡ଼: ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ । ଏବେ ଲଗାତର ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି ।

ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ। ସେ ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।

ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୨୦୧୮ ରେ ଜ୍ୟୋତି ବସୁଙ୍କ ରେକର୍ଡ କାଟି ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଥିବାର ରେକର୍ଡ଼ ନିଜ ନାଁ ରେ କରିଥିଲେ । ୨୪ ବର୍ଷ ୧୬୬ ଦିନ ଧରି ମୁକ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ଼ କରିଛନ୍ତି ଚାମଲିଙ୍ଗ । ତେବେ ନବୀନଙ୍କ ନେତୃତ୍ଵରେ ବିଜେଡ଼ି ୨୦୦୦,୨୦୦୪,୨୦୦୯,୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀଙ୍କ ଠାରୁ ଅପୂର୍ବ ସମର୍ଥନ ଲାଭ କରି କ୍ରମାଗତ ଶାସନରେ ରହି ଆସିଛନ୍ତି ।

Leave A Reply

Your email address will not be published.