Latest Odisha News

ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

କେନ୍ଦୁଝର: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି।   କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍‌ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲ୍ଲାର ସବୁ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲ୍ଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ  ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି ବୋଲି ନବୀନ ସୂଚନା ଦେଇଥିଲେ । ବୈତରଣୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ ସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟ ଗ୍ରୀଡ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ। ଏହାଦ୍ବାରା ଆନନ୍ଦପୁର ଅଞ୍ଚଳର ଲୋକମାନେ ଉନ୍ନତମାନର ବିଜୁଳି ସୁବିଧା ପାଇପାରିବେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଏହି ପ୍ରକଳ୍ପ ଦ୍ବାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟର କ୍ଷମତା ବଢିଛି। ଏହାଦ୍ବାରା କେନ୍ଦୁଝର ଓ ସାରା ଓଡିଶାବାସୀ ଉପକୃତ ହେବେ ।

Leave A Reply

Your email address will not be published.