ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱରରେ ୮୦ ତମ ସ୍ୱାଧୀନତା ଦିବସ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି ହେଉଛି ଆଜିର ଯୁବପିଢ଼ି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଏବଂ ସରକାର ଆଧୁନିକ ଏବଂ ଭବିଷ୍ୟତର ନିଯୁକ୍ତି ଆବଶ୍ୟକତା ସହିତ ସାମଞ୍ଜସ୍ୟ ରଖି ଦକ୍ଷତା ତାଲିମ ଉପରେ ଧ୍ୟାନ ଦେଉଛନ୍ତି।
ଅତ୍ୟାଧୁନିକ ଓ ଆଗାମୀ ଦିନର ନିଯୁକ୍ତିକୁ ପ୍ରଭାବିତ କରୁଥିବା ସ୍କିଲ୍ ଟ୍ରେନିଙ୍ଗ୍ ଉପରେ ଗୁରୁତ୍ୱ ଆରୋପ କରୁଛୁ। ସିଙ୍ଗାପୁର ସହ ପାର୍ଟନରସିପ୍ରେ ଆମେ ୱାର୍ଲଡ୍ ସ୍କିଲ୍ ସେଣ୍ଟର’ରେ ଆମର ଯୁବବର୍ଗଙ୍କୁ ଦକ୍ଷତା ପ୍ରଦାନ କରୁଛୁ । ୱାର୍ଲଡ୍ ସ୍କିଲ୍ ସେଣ୍ଟର୍’ର ଆଉ ୩ଟି ନୂତନ କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ।ଆଜି ଓଡ଼ିଶାର ଦକ୍ଷତା ମଡେଲ ବେଷ୍ଟ ପ୍ରାକ୍ଟିସେସ୍ ସର୍ଭେରେ ଦେଶର ଅନ୍ୟତମ ଶ୍ରେଷ୍ଠ ମଡେଲ ଭାବରେ ପରିଗଣିତ। ITI ଗୁଡ଼ିକର ଆଧୁନିକୀକରଣ ପାଇଁ ଉତ୍କର୍ଷ ITI ଯୋଜନା ଆରମ୍ଭ ହୋଇଥିବା ବେଳେ, ରାଜ୍ୟର ୨୫ଟି ITIରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯାଉଛି। ୧୩ଟି ITIରେ AI Lab ସ୍ଥାପନ କରାଯାଉଛି।
ଦକ୍ଷତା କ୍ଷେତ୍ରରେ ଆମର ଉନ୍ନତ ପ୍ରଶିକ୍ଷଣ ଯୋଗୁ ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬ ରେ ଓଡ଼ିଶା ଜାତୀୟ ଦକ୍ଷତା ଚମ୍ପିଆନ୍ ହେବା ସହିତ ବିଭିନ୍ନ ବର୍ଗରେ ଓଡ଼ିଶାର ଯୁବକମାନେ ୫୭ଟି ପଦକ ହାସଲ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ରାଜ୍ୟରେ ଅମାପ ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ରହିଛି। କେବଳ ଖଣି ଏବଂ ଖଣିଜ ଦ୍ରବ୍ଯ ଆଧାରିତ ଶିଳ୍ପରୁ ଆଗକୁ ଯାଇ ସରକାର ଟେକ୍ସଟାଇଲ, ଫାର୍ମାସିଉଟିକାଲ, ଖାଦ୍ଯ ପ୍ରକ୍ରିୟାକରଣ, ସେମି-କଣ୍ଡକ୍ଟର, Artificial Intelligence, ଟୁରିଜିମ, ଆଇଟି ଇତ୍ୟାଦି କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ଗତ ଦୁଇ ବର୍ଷରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ ୧୦ ଲକ୍ଷ କୋଟି ଟଙ୍କାର ୪୫୩ ଗୋଟି ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେଇଛୁ। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସାଢେ ତିନି ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦ୍ଘାଟନ ତଥା ଶିଳାନ୍ୟାସ ହୋଇଛି। ଏହା ଦ୍ୱାରା ୨ ଲକ୍ଷ ୫୦ ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।
ଦେଶର ପ୍ରମୁଖ ଟେକ୍ସଟାଇଲ ସେଣ୍ଟର ଯେପରିକି ସୁରଟ, ତିରୁପୁର, ବନାରସ, ଅହମଦାବାଦରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଓଡିଆ କାରିଗର କାର୍ଯ୍ୟକରୁଛନ୍ତି। ଏବେ ଆମେ ଓଡିଶାରେ ଅନେକ ବୃହତ ଟେକ୍ସଟାଇଲ ଓ ଆପାରେଲ ୟୁନିଟ ନିର୍ମାଣ କରୁଛୁ, ଯାହା ଫଳରେ ଓଡିଶାର ପ୍ରତିଭାବାନ କାରିଗର, ବିଶେଷ ଭାବେ ମହିଳାମାନେ ନିଜ ରାଜ୍ୟରେ ରୋଜଗାର ପାଇବେ। ଏହି ମଡେଲ ଅନ୍ୟ ସବୁ କ୍ଷେତ୍ର ପାଇଁ ମଧ୍ୟ ପ୍ରଯୁଜ୍ୟ। ବର୍ତ୍ତମାନ ଶିଳ୍ପକ୍ଷେତ୍ରରେ ଯେଉଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ତାହା ଦ୍ୱାରା ରାଜ୍ୟରେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି।
ନୀତି ଆୟୋଗର ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬ରେ ଆମେ ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛୁ। ଯେ କୌଣସି ରାଜ୍ୟ କିମ୍ବା ଦେଶର ବିକାଶ ପାଇଁ ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ।
