Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡ଼ିୟମରେ ‘ହକି ବିଶ୍ୱକପ’ ପ୍ରସ୍ତୁତି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଖେଳାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମ ବୁଲି କାର୍ଯ୍ୟ ତଦାରଖ କରିଥିଲେ । ବିଶ୍ୱକପ ହକି ଚଳିତ ବର୍ଷ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ପୂର୍ବରୁ ସ୍ଥିର ହୋଇଛି ।

ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡ଼ିୟମ ଯାଇ ହକି ପଡ଼ିଆ ବୁଲି ଦେଖିଥିଲେ । ଷ୍ଟାଡ଼ିୟମରେ ଚାଲିଥିବା ପ୍ରସ୍ତୁତି ଏବଂ ନିର୍ମାଣାଧିନ କାର୍ଯ୍ୟ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଷ୍ଟାଡ଼ିୟମ ମଧ୍ୟରେ ହେଉଥିବା ପ୍ରସ୍ତୁତି କାର୍ଯ୍ୟ ଦେଖିସାରିବା ପରେ ସନ୍ତୋଷବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । “କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ଠିକ୍ ଚାଲିଛି, ଏହା ଯଥାସମୟରେ ସମ୍ପୂର୍ଣ୍ଣ ହୋଇପାରିବ । କେବଳ ବିଶ୍ୱକପ ପାଇଁ ହିଁ ହକି କଂପ୍ଲେକ୍ସର ଦକ୍ଷତା ୮,୦୦୦ରୁ ୧୫,୦୦୦ ବୃଦ୍ଧି କରାଯାଇଛି ଏବଂ ଷ୍ଟାଡ଼ିୟମରେ ଅଧିକ ଦର୍ଶକ ଖେଳ ଉପଭୋଗ କରିପାରିବେ” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଥିବା ବେଳେ ତାଙ୍କ ସହିତ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ୍ ଦେବ, ଇଡକୋର ସିଏମଡ଼ି ସଞ୍ଜୟ ସିଂହ, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲକ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।

ବିଶ୍ୱକପ ଲାଗି କଳିଙ୍ଗ ଷ୍ଟାଡ଼ିୟମର ନୂଆ ରୂପରେଖ
ଏବେ ହକି ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୮,୦୦୦ ରହିଥିବା ବେଳେ କାର୍ଯ୍ୟ ଶେଷ ହେଲାବେଳକୁ ଷ୍ଟାଡ଼ିୟମରେ ୧୫,୦୦୦ ଦର୍ଶକ ହକି ମ୍ୟାଚ ଉପଭୋଗ କରିପାରିବେ । ବିଶ୍ୱକପ ପରି ଏକ ସମ୍ମାନଜନକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଏଠାରେ ହେଉଥିବାରୁ ଷ୍ଟାଡ଼ିୟମରେ ଥିବା ଭିତର ଏବଂ ବାହାର ରାସ୍ତାକୁ ନବୀକରଣ କରାଯାଉଛି । ଷ୍ଟାଡ଼ିୟମକ ଅଧିକ ସୁନ୍ଦର କରିବା ଲାଗି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପୂର୍ବରୁ ମାତ୍ର ୯୦ ଦିନର ଅବଧି ମଧ୍ୟରେ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରିଥିବା ରାଜ୍ୟର କ୍ରୀଡ଼ା ବିଭାଗ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି ।

ପୂର୍ବରୁ ଏଠାରେ ଏସୀୟ ଆଥଲେଟିକ ମିଟ ପରି ଆନ୍ତର୍ଜାତୀକ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି । ତେଣୁ ଭୁବନେଶ୍ୱର ଏକ ଆନ୍ତର୍ଜାତିକ ମାନର ଖେଳ ସହର ହେବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଜଣାଯାଉଛି । ପୂର୍ବ ନିର୍ଦ୍ଦାରିତ ଅନୁସାରେ ଏଠାରେ ପ୍ରସ୍ତୁତି କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇଚାଲିଛି । ବିଭିନ୍ନ ଦେଶରୁ ବିଦେଶୀ ଦର୍ଶକମାନେ ଏହି ବିଶ୍ୱକପ ଦେଖିବାକୁ ଆସିବେ । ଆୟୋଜକଙ୍କ ପକ୍ଷରୁ ଆନ୍ତର୍ଜାତୀୟ ସ୍ତରରେ ଏହି ବିଶ୍ୱକପର ପ୍ରସାର କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତତ କରାଯାଇଛି । ବିଦେଶୀ ଦର୍ଶକଙ୍କ ସୁବିଧା ଯାତ୍ରା ଲାଗି ସ୍ୱତନ୍ତ୍ର ବସସେବା ଯୋଗାଇ ଦିଆଯିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.