Latest Odisha News

BREAKING NEWS

ପୁଣି ଓଡ଼ିଶା ଆସୁଛନ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହା !

ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଦଳୀୟ କାର୍ଯରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଜଣାପଡ଼ିଛି । ତେବେ ଜୁଲାଇ ମାସ ପ୍ରଥମ ସପ୍ତାହରେ ମୋଦି ଓ ଅମିତ ଶାହ ଓଡ଼ିଶା ଗସ୍ତ କରିବାର ସୂଚନା ମିଳିଛି ।

ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ସାଙ୍ଗଠନିକ ସ୍ଥିତିକୁ ପର୍ଯ୍ୟାଲୋଚନା କରିବେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ଜୁଲାଇ ମାସ ୫ ତାରିଖରେ ମୋଦି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିପାରିଛି । ତେବେ ମୋଦି ଏଥର କିନ୍ତୁ ପଶ୍ଚିମ ଓଡ଼ିଶା ଗସ୍ତ କରିବେ । ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ାରେ ନୂତନ ଭାବେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ଉଦଘାଟନ କରିବେ । ମାସକ ପୂର୍ବରୁ କଟକରେ ଏକ ବିଶାଳ ଜନସଭାରେ ଯୋଗଦେଇଥିଲେ ମୋଦି । ଏବେ ଓଡ଼ିଶା ବିଜେପି ସମେତ ପଶ୍ଚିମ ଓଡ଼ିଶା ବିଜେପି କର୍ମକର୍ତ୍ତାମାନେ ଚଳଚଞ୍ଚଳ ହୋଇପଡ଼ିଛନ୍ତି ।

ତେବେ ମୋଦି ପଶ୍ଚିମ ଓଡ଼ିଶା ଗସ୍ତ କରୁଥିବା ବେଳେ ଅମିତ ଶାହା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଗସ୍ତ କରିବେ । ଓଡ଼ିଶାରେ ବିଜେପିର ‘ମିଶନ ୧୨୦’କୁ ସଫଳ କରିବାର ଯୋଜନାକୁ ତଦାରଖ କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା । ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ସହିତ କେତେକ ଜନସମାବେଶରେ ଯୋଗଦେବେ ଶାହା । ମିଳିଥିବା ସୂଚନାରୁ ଜଣାପଡ଼ିଛି ରେ, ଅମିତ ଶାହା ଉପକୂଳବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଜଣାପଡ଼ିବା ପରେ ରାଜ୍ୟ ରାଜନୀତିରେ ଚଞ୍ଚଳତା ଦେଖାଦେଇଛି । ଓଡ଼ିଶା ରାଜନୀତରେ ଏବେ ନୂଆ ସମୀକରଣ ସାଙ୍ଗକୁ ସବୁ ଦଳରେ ବିଭିନ୍ନ ସାଙ୍ଗଠନିକ ପରିବର୍ତ୍ତନ ମଧ୍ୟ ଚାଲିଛି । କିଛିଦିନ ପୂର୍ବରୁ କଂଗ୍ରେସର ମୂଖିଆ ପରିବର୍ତ୍ତନ ହୋଇଥିବା ବେଳେ ବିଜେଡ଼ିରେ ମିଶ୍ରଣ ପର୍ବ ବିଭିନ୍ନ ଜିଲ୍ଲାରେ ଜାରି ରହିଛି । ବିଜେପି ସେହିପରି ତୃଣମୂଳସ୍ତରରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଲାଗିଛି । ରାଜ୍ୟର ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସବୁଦଳ ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ହୋଇପଡିବା ସ୍ୱାଭାବିକ ।

Leave A Reply

Your email address will not be published.