Latest Odisha News

BREAKING NEWS

ପୁରୀ ଶ୍ରୀକ୍ଷେତକୁ ତୁଳସୀ ଯାତ୍ରା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କଲା ‘ତୁଳସୀ ଯାତ୍ରା’ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରୁ ଶହଶହ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି (ଶୁକ୍ରବାର) ସକାଳ ୯ ଟାରେ ପହଞ୍ଚିଥିଲେ । ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା ।

 

ମହାପ୍ରଭୁ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇଥିଲା । ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତ୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା । ସାରା ପରିବେଶର ଏକ ଭିନ୍ନ ଭାବାବେଗ ସୃଷ୍ଟି ହୋଇଥିଲା ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଆଜି ଏକ ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ଓଡ଼ିଶାର ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ତାରାବାହିନପତିଙ୍କ ସମେତ ଶହ ଶହ କଂଗ୍ରେସ ନେତୃବର୍ଗ ରାଜମହଲ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୫ ଶହ ରୁ ଅଧିକ ଗାଡ଼ିରେ ଏକ ପଟୁଆରରେ ପୁରୀ ଯାତ୍ରା କରିଥିଲେ । ରାସ୍ତାରେ ପିପିଲି, ସାକ୍ଷିଗୋପାଳ, ବାଟମଙ୍ଗଳା ଏବଂ ଅଠରନଳା ପାଖରେ କଂଗ୍ରେସ ନେତୃବର୍ଗ ସଭାପତି ଶରତ ପଟ୍ଟନାୟକ ତଥା ଚେଲ୍ଲା କୁମାର ଓ ଅନ୍ୟ ନେତୃବର୍ଗଙ୍କୁ ସମ୍ଭର୍ଦ୍ଧିତ କରିବା ସହିତ ତୁଳସୀ ଅର୍ପଣ କରିଥିଲେ ।

 

ଶରଧାବାଲି ନାଟମଣ୍ଡପରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାପର୍ଣ ଓ ପ୍ରଦ୍ୱୀପ ପ୍ରଜ୍ଜୋଳନ କରି କଂଗ୍ରେସ କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଏ ଅଂହକାରୀ ସରକାରଙ୍କର ଶେଷ ସମୟ ଆସିଲାଣି । ପୁରୀ ଶ୍ରୀ ମନ୍ଦିର ହେଉଛି ଚାରିଧାମ ଭିତରୁ ଶ୍ରେଷ୍ଠ ଧାମ । ସବୁଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଛନ୍ତି କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଫେରି ଯାଉଛନ୍ତି । ଏହାଦ୍ୱାରା ରାଜ୍ୟର ମାନ ସମ୍ମାନ କ୍ଷୁର୍ଣ୍ଣ ହେଉଛି । କୌଣସି କାରଣ ନଥାଇ କାହିଁକି ଚାରି ଦ୍ୱାରା ବନ୍ଦ କରି ରଖାଯାଇଛି । କାହିଁକି ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଗଣତି ମଣୋତି ଓ ମରାମତି ହେଉନାହିଁ । ଓଡ଼ିଶା ପ୍ରଭାରୀ ଡଃ ଏ. ଚେଲ୍ଲାକୁମାର ସମ୍ବୋଦିତ କରି କହିଥିଲେ ଯେ, ଏ ହେଉଛି ଶ୍ରୀକ୍ଷେତ୍ର, ଏ ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ଏ ବାଲି ହେଉଛି ଶରଧାବାଲି କିନ୍ତୁ ମୁଁ ବୁଝିପାରୁନାହିଁ, କାହିଁକି ବିଜେଡ଼ି ସରକାର ଏତେ ଗର୍ବୀ ଓ ଅହଂକାରୀ । ଜଗନ୍ନାଥ ନିଶ୍ଚୟ ଏହାର ଜବାବ ଦେବେ । ଓଡ଼ିଶାର ଜନସାଧାରଣ ତଥା ଜଗନ୍ନାଥ ପ୍ରେମୀ ଏହାର କଡ଼ଗଣ୍ଡା ହିସାବ ନେବେ । ପୂର୍ବତନ ପ୍ରଦେଶ କଂଗ୍ରେସ ସାଭାପତି ଶ୍ରୀ ଜୟଦେବ ଜେନା ରାଜ୍ୟ ସରକାରଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ସରକାରଙ୍କର ଏତାଦୃଶ କାର୍ଯ୍ୟକୁ ଦୃଢ଼ନିନ୍ଦା କରିଥିଲେ ।
ସାରା ଓଡ଼ିଶାରୁ ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃବର୍ଗ, କର୍ମୀ ଶୁଭେଚ୍ଛୁ ମାନଙ୍କ ଦ୍ୱାରା ସଂଗୃହିତ ତୁଳସୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଆଜି ଲାଗି କରାଗଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟବାସୀ ତଥା ସମସ୍ତ କଂଗ୍ରେସ ନେତୃବର୍ଗ, ଜିଲ୍ଲା ସଭାପତି, ଛାତ୍ର, ଯୁବ, ମହିଳା ତଥା ସମସ୍ତ ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଏବଂ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ସମେତ ଅନ୍ୟାନ୍ୟ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୧୬ ରେ ପୁରୀ ଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ରା କରାଯାଇ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । କିନ୍ତୁ କିଛି ସୁଫଳ ମିଳିନଥିବାରୁ ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଆଜି ତୁଳସୀ ଯାତ୍ରା କରାଯାଇଛି ।

Leave A Reply

Your email address will not be published.