Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ପ୍ରତାପୀ କଂସଙ୍କ ଅତ୍ୟାଚାର ସହିବେ ନୂଆ କଳାକାର !

ବରଗଡ଼: ଗୋପପୁରରେ ଏବର୍ଷ କଂସ ରାଜୁତିକୁ ସାମ୍ନା କରିବେ କିଛି ନୂଆ କଳାକାର । ରାଜଦରବାର ଅଭିନୟ କରିଥିବା ଯେଉଁ କଳାକାରମାନେ କଂସଙ୍କର ବିକଟାଳ ଅଟ୍ଟହାସ୍ୟକୁ ସାମ୍ନା କରିଥିଲେ ସେମାନଙ୍କୁ ଏଥର ଦିଆଯାଇପାରେ ଅବ୍ୟାହତି । ତେଣୁ ଚଳିତ ବର୍ଷ ନୂଆ କମ୍ପମାନରେ କମ୍ପିବ ଗୋପପୁର ରାଜଦରବାରର ରାଜୁତି । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଏଥର ମହାରାଜା କଂସଙ୍କ ଦରବାରରେ କିଛି ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ବିଶ୍ୱର ସର୍ବବୃହତ ଖୋଲାମଞ୍ଚ ଅର୍ଥାତ ବରଗଡ଼ କଂସଙ୍କ ଦରବାରରେ ନୂଆ ଅଭିନେତା ଅଭିନେତ୍ରୀ କଂସଙ୍କ ଅତ୍ୟାଚାର ସହି ତାଙ୍କ ଆଦେଶ ପାଳନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବରଗଡ଼ର ସମନ୍ୱୟ କମିଟି ସୂତ୍ରରୁ ଜଣାପଡ଼ିଛି ।

ରାଜଦରବାର ତଥା ଏହି ଉତ୍ସବରେ ବିଭିନ୍ନ ଭୁମିକାରେ ଅବତୀର୍ଣ୍ଣ ହେବାକୁ ଅଭିନେତା/ଅଭିନେତ୍ରୀ ଚୟନ ଲାଗି ଯଥାଶିଘ୍ର ଅଡ଼ିସନ ଟେଷ୍ଟ ଆରମ୍ଭ ହୋଇଯିବ ।

ଦୀର୍ଘ ୫ କିଲୋମିଟର ବ୍ୟାପୀ ଏହି ସର୍ବବୃହତ ଖୋଲାମଞ୍ଚ ଧନୁଯାତ୍ରା ଉତ୍ସବ ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଗତବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଭୁବନେଶ୍ୱର ପ୍ରଧାନ । ଏଥର ମଧ୍ୟ ସେ ଏହି ମୁଖ୍ୟ ଭୂମିକାରେ ଅଭିନୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ପ୍ରାୟ ସମସ୍ତ କଳାକାର ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଚୟନ ପ୍ରକ୍ରିୟା ତଥା ଅଡ଼ିସନ ସମ୍ପର୍କୀତ କେତେକ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ସୋମବାର ଦିନ ଅନୁଷ୍ଠିତ ହେଉଛି ବୋଲି ‘ଧନୁଯାତ୍ରା ମହୋତ୍ସବ ସମିତି’ର ଆବାହକ ସୁରେଶ୍ୱର ଶତପଥୀ ସୂଚନା ପ୍ରଦାନ କରିଛନ୍ତି ।

ଏଥର ମଧ୍ୟ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ତାଙ୍କୁ ବଦଳ କରାଯିବାର ସମ୍ଭାବନା କମ୍ ବୋଲି ‘ଓଡ଼ିଶା ସମ୍ବାଦ’କୁ ସୂଚନା ହସ୍ତଗତ ହୋଇଛି ।

“ଯେଉଁ ଅଭିନେତା କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି ସେ ସାଧାରଣତଃ ୩ ବର୍ଷ ଲାଗି ଅଭିନୟ କରିଥାଆନ୍ତି । ଶ୍ରୀ ପ୍ରଧାନ ବିଗତ ୨ ବର୍ଷ ଧରି ଏହି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ୨୦୧୭ ମସିହା ଅଡ଼ିସନ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ଏଯାଏଁ ସଫଳତାର ସହିତ ଅଭିନୟ କରୁଛନ୍ତି । ତେବେ ଏଥର କଂସ ବଦଳିବେ କି ନାହିଁ ତାହା ସମନ୍ୱୟ କମିଟିର ନିଷ୍ପତ୍ତିକ୍ରମେ ସ୍ପଷ୍ଟ ହୋଇଯିବ,” ବୋଲି କହିଛନ୍ତି ଶ୍ରୀ ଶତପଥୀ ।

ମହାରାଜା କଂସଙ୍କ ବ୍ୟତୀତ ଅନ୍ୟକଳାକାର ମାନଙ୍କୁ ୫ ବର୍ଷ ପୂର୍ବରୁ ଅଡ଼ିସନ ଟେଷ୍ଟରେ ଚୟନ କରାଯାଇଥିଲା । ଏଥର ଏହି ଅଡ଼ିସନ ପ୍ରକ୍ରିୟାରେ କଂସଙ୍କ ମନ୍ତ୍ରୀ ପାରିଷଦ, ରାଜାଙ୍କ ମୁଖ୍ୟ କଟୁଆଳ, ଦେବକୀ, ବସୁଦେବ ଏବଂ ଉଗ୍ରସେନ ଭୂମିକାରେ ଯେଉଁ ଅଭିନେତା/ ଅଭିନେତ୍ରୀ ଅଭିନୟ କରିବେ ସେମାନଙ୍କର ଚୟନ ପ୍ରକ୍ରିୟା ହେବ ବୋଲି ଶ୍ରୀ ଶତପଥୀ ସୂଚନା ପ୍ରଦାନ କରିଛନ୍ତି ।

ବ୍ରିଟିଶ୍ ଶାସନ ଅନ୍ତ ହେବାପରେ ଅର୍ଥାତ୍ ଭାରତ ସ୍ୱାଧୀନତା ହାସଲ କରିବାର ଖୁସି ମନାଇବା ନିମନ୍ତେ ଏହି ଉତ୍ସବ ଆରମ୍ଭ ହୋଇଛି ବୋଲି ବିଶ୍ୱାସ କରାଯାଏ । ଅସତ୍ୟ ବିପକ୍ଷରେ ସତ୍ୟର ବିଜୟ ହୋଇଥିବା ଯୋଗୁଁ ଏହାକୁ ଅଭିନୟ ମାଧ୍ୟମରେ ଉତ୍ସବ ପାଳନ କରାଯାଇଥାଏ ବରଗଡ଼ର ଏହି ଖୋଲାମଞ୍ଚରେ ।

କଂସ ମହାରାଜାଙ୍କ ଭଉଣୀ ଦେବକୀଙ୍କ ସହିତ ବସୁଦେବଙ୍କ ବିବାହ ଉତ୍ସବରୁ ଆରମ୍ଭ ହୋଇଥାଏ ଏହି ଧନୁଯାତ୍ରା । କଂସ ମହାରାଜ ତାଙ୍କ ଦରବାରରେ ରାଜକାର୍ଯ୍ୟ କରିବାର ଅଭିନୟ ସାଙ୍ଗକୁ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ଅଭିନୟ ଏହି ଖୋଲାମଞ୍ଚରେ ଅଭିନୀତ ହୋଇଥାଏ । ଗୋପପୁର ଓ ମଥୁରା ନଗରୀ ଦୁଇଟି ଗ୍ରାମକୁ କିଛିଦିନ ଲାଗି ବିବେଚିତ କରାଯିବା ସହିିତ କଂସ ତାଙ୍କ ରାଜ ଦରବାରରେ ପ୍ରତାପ ଦେଖାଇଥାଆନ୍ତି ।

ପରିଶେଷରେ ଭଣଜା ଶ୍ରୀକୃଷ୍ଣଙ୍କ ଦ୍ୱାରା କଂସଙ୍କର ଲଢେଇ ହୋଇଥାଏ । ରାଜ ଦରବାରରୁ ଖସିପଡ଼ି କଂସ ମହରାଜାଙ୍କର ଯେତେବେଳେ ଶେଷ ନିଃଶ୍ୱାସ ତ୍ୟାଗ ହୋଇଥାଏ ସେଇଠି ଏହି ଖୋଲାମଞ୍ଚର ସମସ୍ତ ଅଭିନୟ ଶେଷ ହୋଇଥାଏ ।

ସବୁଥର ପରି ଏଥର ମଧ୍ୟ ବରଗଡ଼ ସହର ମଥୁରା ନଗରୀ ରୂପେ ଏବଂ ଜୀରା ନଦୀ ନିକଟବର୍ତ୍ତୀ ଅମ୍ବାପଲ୍ଲୀକୁ ଗୋପପୁର ଭାବେ ବିବେଚିତ କରାଯାଇଥାଏ । ସବୁଠାରୁ ବଡ଼କଥାହେଲା ଯେ, ବରଗଡ଼ ଓ ଅମ୍ବାପଲ୍ଲୀକୁ ବିଭାଜିତ କରୁଥିବା ଜୀରା ନଦୀ କିଛିଦିନ ଲାଗି ଯମୁନା ନଦୀରେ ପରିଣତ ହୋଇଯାଇଥାଏ ।

Leave A Reply

Your email address will not be published.