Latest Odisha News

BREAKING NEWS

ପିଚୁରାସ୍ତାରେ ଖାଲିହାତରେ ଚାଲୁଛନ୍ତି ଏହି ଯୁବକ; ଲକ୍ଷ୍ୟ ରହିଛି ‘ଲିମକା ବୁକ୍’ ରେକର୍ଡ଼ !

ଭୁବନେଶ୍ୱର: ଦୋକାନକୁ ପାନଟିଏ କିଣିବାକୁ ଗଲେ ବାଇକ୍ ନହେଲେ ଗୋଡ଼ ଚାଲୁନି । ଆଜିକାଲିକା ଯୁଗରେ ବାଇକ୍, କାର୍ କିମ୍ବା ସ୍କୁଟି ବିନା କେହି ପଦାକୁ ବାହାରିବାକୁ ଚାହୁଁନାହାନ୍ତି । ଆମେ ଆଜିକାଲି କଷ୍ଟକରିବାକୁ କିମ୍ବା ଟିକେ ଗୋଡ଼ରେ ଚାଲିବାକୁ ମଧ୍ୟ କୁଣ୍ଠାବୋଧ କରିଚାଲିଛନ୍ତି । ମାତ୍ର, ଖୋର୍ଦ୍ଧାରେ ଏପରି ଜଣେ ଯୁବକ ଅଛନ୍ତି ସେ ଗୋଡ଼ ନୁହେଁ ବରଂ ଦୁଇହାତ ଦ୍ୱାରା ରାସ୍ତା ପରେ ରାସ୍ତା ଚାଲୁଥିବାର ଏକ ବିରଳ ରେକର୍ଡ଼ କରିଛନ୍ତି । ପିଚୁରାସ୍ତା ଉପରେ ମୁଣ୍ଡ ତଳକୁ ଏବଂ ଦୁଇ ଗୋଡ଼ ସିଧା ଉପରକୁ କରି ମିଟର ପରେ ପରେ ମିଟର୍ ଚାଲିବାରେ ଲାଗିଛନ୍ତି ୨୪ ବର୍ଷୀୟ ସୌଭାଗ୍ୟ ବରାଦ ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଗୁରା ଗ୍ରାମର ଉଦୀୟମାନ ଯୁବକ ସୌଭାଗ୍ୟ ହାତରେ ଚାଲି ଚାଲି ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହିତ ଏବେ ଲିମକା ବୁକ୍ ଅଫ ରେକର୍ଡ଼ ଏବଂ ଗିନିଜ୍ ବୁକ୍ ଅଫ ୱାର୍ଲଡ଼ ରେକର୍ଡ଼ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଏବେ ସୌଭାଗ୍ୟ ଦୀର୍ଘ ୩୦୦ ମିଟର୍ ଖାଲି ହାତରେ ଚାଲି ସର୍ବାଧିକ ରେକର୍ଡ଼ କରିଛନ୍ତି । ଆଗକୁ ଏହି ଦୂରତା ବୃଦ୍ଧି କରି ନୂଆ କୀର୍ତ୍ତିମାନ ସ୍ଥାପନ ଯୋଜନାରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏହି ରେକର୍ଡ଼ଧାରୀ ସୌମ୍ୟ ସୁଠାମ ଯୁବକ ସୌଭାଗ୍ୟ ।

‘ଓଡ଼ିଶା ସମ୍ବାଦ’କୁ ସେ ସୂଚନାଦେଇ କହିଛନ୍ତି ଯେ, ସେ ଗିନିଜ୍ ରେକର୍ଡ଼ କରି ନିଜ ଗାଁ’ ତଥା ଜିଲ୍ଲାକୁ ଗୌରବାନ୍ୱିତ କରିବେ । ତାଙ୍କ ବାପା ଓଡ଼ିଆ ବୀର ପାଇକ ତଥା ଓଡ଼ିଶାର ଦେଶୀୟ ମାର୍ଶାଲ୍ ଆର୍ଟର ଜଣେ ପୂର୍ବତନ ପ୍ରଶିକ୍ଷକ । ପାଇକ ଆଖଡ଼ାରେ ଏହିପରି ହାତରେ ଚାଲିବା ଶିଖିଛନ୍ତି ବୋଲି କହନ୍ତି ସେ ।

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡ଼ିପ୍ଲୋମା ହାସଲ କରିଥିବା ସୌଭାଗ୍ୟ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଅଧୁନା କାର୍ଯ୍ୟରତ । ତାଙ୍କୁ ସମୟ ମିଳେଲେ ସବୁବେଳେ ସେ ଏହି ହାତରେ ଚାଲିବା ଅଭ୍ୟାସ କରିଥାଆନ୍ତି ।

“ଜଣେ ପାଇକ ଭାବେ ତଥା ପାଇକ ଆଖଡ଼ାରୁ ଆହରଣ କରିଥିବା ଏହି ଜ୍ଞାନ ବଳରେ ମୁଁ ଦିନେ ନା ଦିନେ ବଡ଼ ସଫଳତା ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରିପାରିବି,” ବୋଲି କହିଛନ୍ତି ଓଡ଼ିଶାର ଏହି ସାହସୀ ତଥା ଉଚ୍ଚମନା ସମ୍ପନ୍ନ ଯୁବକ ସୌଭାଗ୍ୟ ।

Leave A Reply

Your email address will not be published.