ଭୁବନେଶ୍ୱର: କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ଯା ମାମଲାରେ ମଙ୍ଗଳବାର ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ଯ ସରକାର।
ସୂଚନା ଅନୁଯାୟୀ ଏହି କମିଟି ୩ ବିଭାଗର ମୁଖ୍ଯଙ୍କୁ ନେଇ ଗଠିତ ହେବ। ଏହି କମିଟିରେ ରହିଛନ୍ତି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ।
ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ଯ ସରକାର ପ୍ରକାଶ କରିଛନ୍ତି।
ଏହି ଘଟଣାରେ ୫ଜଣ ଗିରଫ ହୋଇଛନ୍ତି। ଦୁଇଜଣ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ନିର୍ଦ୍ଦେଶକ ଗିରଫ ହୋଇଥିବା ସୂଚନା ମିଳିଛି।
ଅପରପକ୍ଷରେ ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍ କହିଛନ୍ତି ଯେ, କିଟ୍ ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ କିଟରେ ପାଠ ପଢ଼ାଅ, ଭଲ ସ୍କୋପ୍ ଅଛି କହୁଥିଲେ । ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ ଏପରିକି ସୁରକ୍ଷା ବ୍ୟବସ୍ଥା ଭଲ ଥିବା ନେଇ ମଧ୍ୟ କହୁଥିଲେ । ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଥିଲା।
ଉଲ୍ଲେଖଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହି ବିଟେକ୍ ଦ୍ଵିତୀୟ ବର୍ଷରେ ପଢୁଥିଲେ ମୃତ ଛାତ୍ରୀ । ସେହି ବିଶ୍ଵ ବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ଅଭିଯୁକ୍ତ ଛାତ୍ର ଅଭିକ ତାଙ୍କ ସହିତ ୩ ବର୍ଷ ଧରି ସମ୍ପର୍କ ରଖିଥିଲା। ଛାତ୍ରୀଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡ଼ିଓ ଅଭିକ ପାଖରେ ଥିଲା। ଏହି ଭିଡ଼ିଓ ଓ ଫଟୋକୁ ପ୍ରଘଟ ପାଇଁ ଧମକ ଦେଇ ଅଭିଯୁକ୍ତ ଛାତ୍ର ତାଙ୍କୁ ବ୍ଲାକମେଲିଂ କରୁଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲା। ଅସହ୍ୟ ହେବାରୁ ଛାତ୍ରୀ ଜଣକ ରବିବାର ହଷ୍ଟେଲ ରୁମ୍ରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ମାତ୍ରେ କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଥିଲା।
Comments are closed.