Latest Odisha News

BREAKING NEWS

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରହିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଏବେ କରୋନା ସଂକ୍ରମଣ ମାମଲା ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନୀ ଓ ଚୀନରେ ବିଗତ ୨ ସପ୍ତାହ ହେଲା ବଢ଼ି ଚାଲିଛି । ଅନ୍ୟପଟେ ଆମ ରାଜ୍ୟରେ ସଂକ୍ରମଣ ମାମଲା ସ୍ଥିର ରହିଥିବା ବେଳେ ଦୈନିକ ୧୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ରାଜ୍ୟରେ କୌଣସି କୋଭିଡ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ନଥିବା ବେଳେ ସକ୍ରିୟ ସଂକ୍ରମଣ ମାମଲା ୫୪ ରହିଛି ।

ଏବେ ଦେଶରେ ଚିହ୍ନଟ ସଂକ୍ରମିତଙ୍କ ଠାରେ ଓମିକ୍ରନର ସବ୍ ଭାରିଆଣ୍ଟ ଦେଖା ଯାଉଛି । ବିଶେଷଜ୍ଞଙ୍କ ଅନୁସାରେ, କୋଭିଡର ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି ବା ଅନ୍ୟକୁ ସଂକ୍ରମିତ କରୁଛି । ସବୁ ଦିଗକୁ ନେଇ ଆଲୋଚନା ପରେ ସରକାର ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁ୍ତ୍ୱ ଦେଇଛନ୍ତି ।

ସ୍ଥିତିକୁ ଦୃଷ୍ଟିରେ ରଖି ଏବେ କଟକ ଏସସିବି, ବ୍ରହ୍ମପୁର ଏମକେସିଜି ଓ ଭୀମସାର ବୁର୍ଲାରେ ୨୦ ବେଡ୍ କାର୍ଯ୍ୟକ୍ଷମ ରହିବ । ଯେଉଁଥିରେ ୧୫ଟି ଅକ୍ସିଜେନ୍ ବେଡ୍ ସହ ୫ଟି ଆଇସିୟୁ ସାମିଲ୍ । ଯାହାକି ୨୦୨୩ ମାର୍ଚ୍ଚ ଶେଷ ଯାଏ କାର୍ଯ୍ୟକ୍ଷମ ହେବ । ପରେ ଆବଶ୍ୟକତା ହେଲେ ଶଯ୍ୟା ବୃଦ୍ଧି କରାଯିବ । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଅକ୍ସିଜେନ୍ ବେଡ୍ ମଧ୍ୟ ପ୍ରସ୍ତୁତ ରଖା ଯାଇଛି ।

ଆଗାମୀ ୨୭ ତାରିଖରେ ସବୁ ଜିଲ୍ଲା ଚିକିତ୍ସାଳୟ, ମେଡିକାଲ୍ କଲେଜ ସହ କ୍ୟାପିଟାଲ୍ ହସ୍ପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନାରେ ମକଡ୍ରିଲ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.