ଓଡ଼ିଶା ଉପକୂଳରେ ଭାରତର ସବୁଠାରୁ ବଡ଼ ପ୍ରକଳ୍ପ! ୨୪,୭୦୦ କୋଟିର ମେଗା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବଦଳିଯିବ ଓଡ଼ିଶାର ଭାଗ୍ୟ
ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଏବଂ ସାମୁଦ୍ରିକ ବାଣିଜ୍ୟର ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଇତିହାସର ସବୁଠାରୁ ବଡ଼ ଉପକୂଳ ରୂପାନ୍ତରଣ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଭଦ୍ରକ ଜିଲ୍ଲାର ଧାମରାଠାରେ ପ୍ରାୟ ୨୪,୭୦୦ କୋଟି ଟଙ୍କା ବ୍ୟୟରେ ଭାରତର ପ୍ରଥମ ତଥା ସବୁଠାରୁ ବଡ଼ ‘ମେଗା ଜାହାଜ ନିର୍ମାଣ କ୍ଲଷ୍ଟର’ ପ୍ରତିଷ୍ଠା ପାଇଁ ଆନୁଷ୍ଠାନିକ ଭାବେ କାମ ଆରମ୍ଭ ହୋଇଛି। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ପକ୍ଷରୁ ଚଳିତ ସପ୍ତାହରେ ହିଁ ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଜମି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ।
ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଏହି ମେଗା ପ୍ରକଳ୍ପ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଏହି ସାମୁଦ୍ରିକ କ୍ଲଷ୍ଟର ପାଇଁ ପ୍ରାୟ ୧,୦୦୦ ଏକର ଜମି ଚିହ୍ନଟ କରାଯାଇଛି। ଏହି ଜମି ମଧ୍ୟରୁ ଇଡକୋ ପ୍ରଥମ ପର୍ଯ୍ୟାୟରେ ଧାମରା ବନ୍ଦର ନିକଟରେ ଥିବା ୫୫୦ ଏକର ସରକାରୀ ଏବଂ ବେସରକାରୀ ଜମିର ସର୍ଭେ ଏବଂ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିବ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଇଡକୋର ଯୁଗ୍ମ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି।
ଏହି ପ୍ରକଳ୍ପ ଓଡ଼ିଶା ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ, ତାହାର ସବୁଠାରୁ ବଡ଼ କାରଣ ହେଉଛି ଏହା ଦ୍ୱାରା ସୃଷ୍ଟି ହେବାକୁ ଥିବା ବିପୁଳ ନିଯୁକ୍ତି ସୁଯୋଗ। ପ୍ରାଥମିକ ଆକଳନ ଅନୁଯାୟୀ, ଏହି ମେଗା ଶିପ୍ବିଲ୍ଡିଂ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟର ପ୍ରାୟ ୧ ଲକ୍ଷରୁ ଅଧିକ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ। ଏହି କ୍ଲଷ୍ଟରରେ କେବଳ ବଡ଼ ବଡ଼ ବାଣିଜ୍ୟିକ ଓ ସାମରିକ ଜାହାଜ ନିର୍ମାଣ କରାଯିବ ନାହିଁ, ବରଂ ଜାହାଜ ମରାମତି ଏବଂ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶତାଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟ ଏଠାରେ ଗଢ଼ିଉଠିବ।
ବିଶ୍ୱ ବଜାରରେ ଜାହାଜ ନିର୍ମାଣକାରୀ ଦେଶ ଯେପରିକି ଚୀନ୍ ଏବଂ ଦକ୍ଷିଣ କୋରିଆକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ଏହି କ୍ଲଷ୍ଟରରେ ଅତ୍ୟାଧୁନିକ ଡ୍ରାଏ-ଡକ୍ ଏବଂ ସ୍ୱତନ୍ତ୍ର ମେରିଟାଇମ୍ ଇଞ୍ଜିନିୟରିଂ ଲାବୋରେଟୋରୀ ସ୍ଥାପନ କରାଯିବ। ପ୍ରକଳ୍ପ ସ୍ଥଳକୁ ପରିବହନ ସେବା ସୁଗମ କରିବା ପାଇଁ ୪-ଲେନ୍ ବିଶିଷ୍ଟ ସ୍ୱତନ୍ତ୍ର କରିଡର ଏବଂ ସେକ୍ଟର-ୱାଇଜ୍ ରେଳ ସଂଯୋଗୀକରଣ ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି।
