Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସୋସିଆଲ୍ ମିଡିଆରେ ପ୍ରୟାସ, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ପୋଲିସ

ଭୁବନେଶ୍ୱର: ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପରେ ସୋସିଆଲ୍ ମିଡିଆରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ନେଇ ହେଉଥିବା ପୋଷ୍ଟକୁ ନେଇ ଓଡ଼ିଶା ପୋଲିସ ଆପତ୍ତି ପ୍ରକାଶ କରିଛି । ଦୁର୍ଘଟଣା ସହ କୌଣସି ଧର୍ମ, ସମ୍ପ୍ରଦାୟକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ନ କରିବା ଲାଗି ପୋଲିସ ପକ୍ଷରୁ କୁହାଯାଇଛି ।

ଜୁନ୍ ୨, ଶୁକ୍ରବାର ରାତିରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଜଣ ଆହତ ହୋଇଥିଲେ । ଯାହା ପରେ ବାହାନଗା ଦୁର୍ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସମସ୍ତେ ଲେଖୁଛନ୍ତି ଏଭଳି ଅଘଟଣ ଆଉ କେବେ ନ ଘଟୁ ।

ଏହାରି ଭିତରେ କିଛି ଲୋକ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଯାଇ ପୋଷ୍ଟ କରିଛନ୍ତି । ଏଭଳି ତଥ୍ୟ ମିଥ୍ୟା ବୋଲି କହିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୋଲିସ । ସାମ୍ପ୍ରଦାୟିକ ପୋଷ୍ଟ ଓ ଅନ୍ୟ ଦିଗକୁ ନେଇ ଜିଆରପି ପକ୍ଷରୁ ତଦନ୍ତ କରାଯାଉଥିବା ଓଡ଼ିଶା ପୋଲିସ ଟ୍ୱିଟ୍ କରିଛି ।

ଦ ରାଣ୍ଡମ ଇଣ୍ଡିଆନ୍ ଟ୍ୱିଟର ବ୍ୟବହାରକାରୀ ଦୁର୍ଘଟଣାସ୍ଥଳର ଆକଶ ମାର୍ଗର ଫଟୋକୁ ନେଇ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଏକ ଧଳା ରଙ୍ଗର କୋଠାକୁ ଚିହ୍ନିତ କରି ଲେଖିଛନ୍ତି, ‘ଖାଲି କହୁଛି ଗତକାଲି ଶୁକ୍ରବାର ଥିଲା’ ।

ସେହିଭଳି ଆଉ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଦୁର୍ଗା, ଲକ୍ଷ୍ମୀ ଓ କାଳୀଙ୍କ ପାଇଁ ଶୁକ୍ରବାର ପୂଜାର୍ଚ୍ଚନା ହୁଏ । କିନ୍ତୁ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଶୁଭଙ୍କର ନୁହନ୍ତି ।

ଶୁକ୍ରବାର ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ରେଲୱେ ବୋର୍ଡ ପକ୍ଷରୁ ସିବିଆଇକୁ ଦୁର୍ଘଟଣାର ତଦନ୍ତ କରିବା ପାଇଁ ସୁପାରିସ୍ କରାଯାଇଛି ।

Leave A Reply

Your email address will not be published.