Latest Odisha News

ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ (୬୧) । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୁଖ୍ୟତଃ କିଡନୀ ସମସ୍ୟାରେ ମୁଖ୍ୟତଃ ଛନ୍ଦି ହୋଇ ପଡିଥିଲେ ଧାମନଗର ବିଧାୟକ। ମାସେ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ବିଧାୟକ ବିଷ୍ଣୁ ସେଠୀ ଜଣେ ଦକ୍ଷ ନେତା ଏବଂ ଲୋକପ୍ରିୟ ରାଜନେତା ଥିଲେ । ତାଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧାମନଗର ବିଧାୟକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ବିଜେପି ପାଇଁ ଗୋଟିଏ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ନିଜ ଦଳର ପକ୍ଷ ନିର୍ଭିକ ଭାବେ ରଖୁଥିଲେ ବିଷ୍ଣୁ ସେଠୀ। ତାଙ୍କ ମୃତ୍ୟୁରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୋକ ପ୍ରକାଶ କରିଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଦିବଂଗତ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ବିଷ୍ଣୁଚରଣ ସେଠୀ ୫ ଜୁନ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ ସାହିତ୍ୟିକ ଏବଂ ରାଜନୀତିଜ୍ଞ । ୨୦୦୦ ମସିହା ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.