କେନ୍ଦ୍ରାପଡ଼ା: ପଶ୍ଚିମ ବଙ୍ଗର ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାରେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ଏବେ ଦେଶ ଛାଡ଼ିବାକୁ ତୟାର। ଜିନିଷପତ୍ର ସହ ପିଲାଛୁଆଙ୍କୁ ଧରି ସୀମା ପାର କରିବାକୁ ଚାହିଁ ବସିଛନ୍ତି। ହେଲେ ଓଡ଼ିଶାରୁ କେବେ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ? ଉପକୂଳ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡ଼ା। ଅବୈଧ ବାଂଲାଦେଶୀଙ୍କ ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଉପକୂଳ ସୁରକ୍ଷାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି।
ପଶ୍ଚିମବଙ୍ଗ ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାରେ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ଦେଖାଦେଇଛି। ଏଥି ପାଇଁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସତର୍କତା ଜାରି କରିଛନ୍ତି। ବାଲେଶ୍ୱର ମୟୂଭଞ୍ଜ ଭଳି ସୀମାନ୍ତ ଜିଲ୍ଲା ଏବଂ କେନ୍ଦ୍ରାପଡା ସାମୁଦ୍ରିକ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବାର ଆଶଙ୍କ ଦେଖାଦେଇଛି। ଉପକୂଳ ସୁରକ୍ଷା ମୁକୁଳା ପଡ଼ିଥିବାରୁ ଅନୁପ୍ରବେଶକାରୀ ଯେକୌଣସି ପଥରେ ପଶିଆସିବା ଆଶଙ୍କାକୁ ଏଡ଼ାଇଦେଇ ହେବନି। ପଶ୍ଚିମବଙ୍ଗ ସୀମା ଦେଇ ଅନୁପ୍ରବେଶକାରୀ ଓଡ଼ିଶା ମୁହାଁ ହେଉଥିବା ଖବର ପାଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଚ୍ଚ ସତର୍କତାରେ ଅଛନ୍ତି।
ପଶ୍ଚିମବଙ୍ଗ ସୀମା ନିକଟରେ ବର୍ତ୍ତମାନ ଅବୈଧ କାଗଜପତ୍ରରେ ହଜାର ହଜାର ସନ୍ଦିଗ୍ଧ ଅନୁପ୍ରବେଶକାରୀ ଫସି ରହିଥିବା ସୂଚନା ରହିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରୁ କେତେକ ଉପକୂଳ ରାସ୍ତା ଦେଇ ଓଡ଼ିଶାରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି, ଯାହା ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରତିରୋଧମୂଳକ ପଦକ୍ଷେପ ନେବାକୁ ପଡିପାରେ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଥାନାଗୁଡିକ ଡ୍ରୋନ୍ ସାହାଯ୍ୟରେ ନଜର ରଖିବା ଏବଂ ଉପକୂଳରେ ରାତି ପାଟ୍ରୋଲିଂ ସମେତ ଅଭିଯାନକୁ ତୀବ୍ର କରିଛି।
ରାଜ୍ୟରେ ଅବୈଧ ପ୍ରବେଶକୁ ରୋକିବା ପାଇଁ ସମ୍ବେଦନଶୀଳ ସମୁଦ୍ର ପଥରେ କଡ଼ା ଯାଞ୍ଚ କରାଯାଉଛି। ସମୁଦ୍ର ଭିତରକୁ ୩୦-୫୦ ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ରାତି ପାଟ୍ରୋଲିଂ କରାଯାଉଛି। ସମୁଦ୍ର ସୀମା ଦେଇ ଯାଉଥିବା ଲୋକମାନଙ୍କୁ ମାଛ ଧରିବା କାର୍ଡ, ଆଧାର କାର୍ଡ ଏବଂ ଅନ୍ୟାନ୍ୟ ପରିଚୟ ପତ୍ର ଯାଞ୍ଚ କରାଯାଉଛି। ବୈଧ ପରିଚୟ ପତ୍ର ନଥିବା ଲୋକମାନଙ୍କୁ ଥାନାକୁ ହସ୍ତାନ୍ତର କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗୁପ୍ତଚର ସୂଚନା ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏହି ସୂଚନା ସେୟାର କରାଯାଉଛି। ମାଛ ଧରିବା କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି, ମତ୍ସ୍ୟ ବିଭାଗ ଏହି ଅଞ୍ଚଳରେ ୩୨୯ଟି ପଞ୍ଜିକୃତ ଡଙ୍ଗା କାର୍ଯ୍ୟ କରୁଥିବା ରିପୋର୍ଟ କରିଛି। ସୂଚନା ଥାଉକି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଲକ୍ଷାଧିକ ବଙ୍ଗଳା ଭାଷାଭାଷୀ ଲୋକ ରହୁଛନ୍ତି। ଏଠାରେ ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ବାଂଲାଦେଶୀ। କିଛି ଗାଁରେ ତ ପ୍ରାୟ ୯୦ ପ୍ରତିଶତ ବାଂଲାଦେଶୀ ଭର୍ତ୍ତି। ସେଥିରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ ହେଲାଣି ଆକଳନ କରିବା କଷ୍ଟ। ଅନେକଙ୍କ ପାଖରେ ରହିଛି ନାଗରିକ ପ୍ରମାଣ ପତ୍ର, ସରକାରୀ ଯୋଜନାର ଲାଭ ବି ଉଠାଉଛନ୍ତି।
ମାଛଧରା ନାଁରେ ହଜାର ହଜାର ଅଣପଞ୍ଜୀକୃତ ଡଙ୍ଗା ଚାଲୁଥିବା ବେଳେ ରାଜନଗର ଓ ମହାକାଳପଡ଼ାରୁ ସିଧା କୋଲକାତାକୁ ଗଡୁଛି ବସ୍। ଉପକୂଳ ସୁରକ୍ଷା ମୁକୁଳା ପଡ଼ିଥିବାରୁ ଅନୁପ୍ରବେଶକାରୀ ଯେକୌଣସି ପଥରେ ପଶିଆସିବା ଆଶଙ୍କାକୁ ଏଡ଼ାଇଦେଇ ହେବନି। ସେପଟେ ଜଗତସିଂହପୁରରେ ବି ସମାନ ସ୍ଥିତି। ବାଂଲାଦେଶୀଙ୍କ ସଂଖ୍ୟା ଲକ୍ଷାଧିକ, ସେଥିରୁ ହଜାର ହଜାର ଅନୁପ୍ରବେଶକାରୀ କହିଲେ ଭୁଲ ହେବନି। ରାମ ନଗରରୁ ସାତଭାୟା ଦେଇ ଜଟାଧାର ମୁହାଁଣ ଏରସମା ଯାଏଁ। ଛାଇ ଯାଇଛନ୍ତି ବାଂଲାଦେଶୀ। ଜମି କିଣି ସମ୍ପତ୍ତି ବାଡି ବି କରିଛନ୍ତି। ଦିନକୁ ଦିନ ଆହୁରି ଠୁଳ ହେବାରେ ଲାଗିଛନ୍ତି।
ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଇନ ମନ୍ତ୍ରୀ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ରାଜ୍ୟରୁ ବାହାର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି। ଗତବର୍ଷ କିଛି ଜଣଙ୍କୁ ଚିହ୍ନଟ କରି ବାହାର କରାଯାଇଛି, ଆଗକୁ ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।