ନୂଆଦିଲ୍ଲୀ: NEET UG ପେପର୍ ଲିକ୍ ମାମଲାରେ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ ଉଚ୍ଚସ୍ତରୀୟ କମିଟିକୁ କଡ଼ା ପ୍ରଶ୍ନ ପଚାରିଛନ୍ତି। କୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ବ୍ୟବସ୍ଥାରେ ପ୍ରକୃତ ଦାୟିତ୍ୱ ନାହିଁ, କେବଳ ସଂସ୍କାର ଯଥେଷ୍ଟ ହେବ ନାହିଁ। କେନ୍ଦ୍ର ସରକାର ଏବଂ ଡକ୍ଟର ରାଧାକୃଷ୍ଣନ କମିଟି କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୦୧ ଟି ସୁପାରିଶ ପ୍ରସ୍ତୁତ କରାଯାଇଛି।
NEET-UG ପରୀକ୍ଷା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ ସଂସ୍କାର ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିକୁ ଦାୟୀ କରି ପଚାରିଛନ୍ତି ଯେ ଏତେ କଠୋର ଯାଞ୍ଚ ବ୍ୟବସ୍ଥା ଥିବା ବେଳେ ଏତେ ବଡ଼ ତ୍ରୁଟି କିପରି ଘଟିଲା? ବିଚାରପତି ଆଲୋକ ଆରାଧେ ଏବଂ ପିଏସ ନରସିଂହାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ ଯେ ସ୍ଥିର ଦାୟିତ୍ୱ ବିନା କେବଳ ସୁରକ୍ଷା ପଦକ୍ଷେପ ଯଥେଷ୍ଟ ନୁହେଁ।
ଶୁଣାଣୀ ସମୟରେ, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ରାଧାକୃଷ୍ଣନଙ୍କ ନେତୃତ୍ୱାଧୀନ କମିଟି ଏବଂ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ଥିଲେ। କୋର୍ଟ ଡକ୍ଟର ରାଧାକୃଷ୍ଣନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ପଚାରିଥିଲେ ଯେ ଗ୍ରାଉଣ୍ଡ ସ୍ତରରେ କେତେ ତଦାରଖ ଥିଲା। ଯାହାକୁ ନେଇ ଖଣ୍ଡପୀଠ କଡ଼ା ଟିପ୍ପଣୀ ଦେଇଥିଲେ, କହିଥିଲେ, “ଯଦି ଏତେ କଠୋର ତଦାରଖ ସତ୍ତ୍ୱେ ଏହି ବିଫଳତା ଘଟିଛି, ତେବେ ଏହା ସ୍ପଷ୍ଟ ଭାବରେ ତଦାରଖ ପ୍ରକ୍ରିୟାରେ ଏକ ଗୁରୁତର ତ୍ରୁଟି କିମ୍ବା ଅବହେଳାକୁ ସୂଚିତ କରୁଛି” ।
ଏଥିସହିତ ଖଣ୍ଡପୀଠ NTAକୁ ଭାଙ୍ଗିବା ପାଇଁ ଆବେଦନଗୁଡ଼ିକର ବିଚାର କରିଥିଲେ। ଆଜି ଶୁଣାଣି ସମୟରେ, ଖଣ୍ଡପୀଠ ମତ ଦେଇଥିଲେ ଯେ NTAକୁ UPSC ଭଳି ଅନ୍ୟ ସଂସ୍ଥାଗୁଡ଼ିକଠାରୁ ଶିଖିବା ଆବଶ୍ୟକ, ଯେଉଁମାନେ କୌଣସି ପେପର୍ ଲିକ୍ ବିନା ବଡ଼ ଧରଣର ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରନ୍ତି। ଜଷ୍ଟିସ୍ ନରସିଂହା କହିଛନ୍ତି, “UPSCରେ କେବେ ଏପରି ପରିସ୍ଥିତି ହୋଇନାହିଁ, ଆପଣଙ୍କୁ ଶିଖିବାକୁ ପଡିବ” । “ପ୍ରକୃତ ଦାୟିତ୍ୱ ସୃଷ୍ଟି ନହେବା ପର୍ଯ୍ୟନ୍ତ ପ୍ରକୃତ ସମସ୍ୟା ବନ୍ଦ ହେବ ନାହିଁ। ଇଏ ଦାୟୀ, ସିଏ ଦାୟୀ ରହିଲେ ହେବ ନାହିଁ, ଏହା ସେତେବେଳେ ପ୍ରଭାବଶାଳୀ ହେବ ଯେତେବେଳେ ଆମେ ଜାଣିପାରିବା ଯେ କେଉଁ ବ୍ୟକ୍ତି ଦାୟିତ୍ୱ ନେଉଛନ୍ତି। ଯଦି ଆପଣ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ବହନକାରୀଙ୍କୁ ଚିହ୍ନଟ ନକରନ୍ତି, ତେବେ ଏହା କଷ୍ଟକର ହେବ”, ବୋଲି ଜଷ୍ଟିସ୍ ନରସିଂହା କହିଛନ୍ତି।

Comments are closed.