Latest Odisha News

BREAKING NEWS

ରଣଜୀ ଟ୍ରଫି: ବେଙ୍ଗଲକୁ ହରାଇ ଓଡିଶା ଟିମ ବସନ୍ତ ମହାନ୍ତିଙ୍କୁ ଦେଲା ସ୍ମରଣୀୟ ବିଦାୟ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ତାର ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପର ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି । ଓଡିଶାର ଏହି ବିଜୟ ସହ ପେସ ବୋଲର ବସନ୍ତ ମହାନ୍ତିଙ୍କ କ୍ୟାରିୟରର ଶେଷ ମ୍ୟାଚ ସ୍ମରଣୀୟ ହୋଇପଡିଛି । ଯୁବ ପେସର ସୁନୀଲ ରାଉଳ ଏହି ମ୍ୟାଚରେ ୧୧୫ ରନରେ ୯ଟି ୱିକେଟ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଇନିଂସରେ ୯୬ ରନରେ ୬ଟି ୱିକେଟ ହାସଲ କରି ସେ ବେଙ୍ଗଲ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୧୦୦ ରନରେ ଅଲଆଉଟ ହୋଇ ଫଲୋଅନ ହୋଇଥିଲା । ଦ୍ୱିତୀୟ ଇନିଂସରେ ବେଙ୍ଗଲ ୨୭୬ରନ କରିଥିଲା । ଫଳରେ ଓଡିଶାକୁ ବିଜୟ ପାଇଁ ୧୧୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଓଡିଶା ୩ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଅନୁରାଗ ଷଡଙ୍ଗୀ ୩୭ ଓ ସନ୍ଦୀପ ପଟ୍ଟନାୟକ ୨୮ ରନ କରିଥିଲେ । ଓଡିଶା ୬ ମ୍ୟାଚରୁ ୧୪ ପଂଏଟ ହାସଲ କରି ୫ମ ସ୍ଥାନରେ ରହିଥିଲା ।

ବେଙ୍ଗଲ (୩୨), ଉତରାଖଣ୍ଡ (୨୯), ହିମାଚଳ ପ୍ରଦେଶ (୨୧) ଓ ବରୋଦା ୨୧ ପଂଏଟ ସହ ପ୍ରଥମରୁ ଚତୁର୍ଥ ସ୍ଥାନ ମଧ୍ୟରେ ରହିଥିଲେ । ୩୭ ବର୍ଷୀୟ ବସନ୍ତ ମହାନ୍ତି ତାଙ୍କ କ୍ୟାରିୟରରେ ୧୦୫ ମ୍ୟାଚ ଖେଳି ୪୦୩ ୱିକେଟ ଅକ୍ତିଆର କରିଛନ୍ତି । ୧୫ ବର୍ଷ ତଳେ ସେ ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ମ୍ୟାଚ ଶେଷ ହେବା ପରେ ବସନ୍ତଙ୍କୁ ସାଥର ଖେଳାଳିମାନେ କାନ୍ଧରେ ବସାଇ ପଡିଆରୁ ଆଣିଥିଲେ । ଦ୍ୱିତୀୟ ଇନିଂସରେ ବସନ୍ତ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.