Latest Odisha News

BREAKING NEWS

ଦୁଇ ବିଧବାଙ୍କ କାନ୍ଧରେ ପରିବାରର ବୋଝ, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର

ନବରଙ୍ଗପୁର: ବଖରାଏ ଘର, ୫ ପ୍ରାଣୀର କୁଟୁମ୍ବ । ପାଇଖାନାରେ ଖାଦ୍ୟ ରାନ୍ଧି ଖାଉଛନ୍ତି ପରିବାର । ରାଜ୍ୟରେ ଆବାସକୁ ନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ନେତାଙ୍କ ଇଚ୍ଛାଶକ୍ତି ଓ ପ୍ରଶାସନର ପାରିବା ପଣିଆ ଉପରେ ଏ ଦୃଶ୍ୟ ପ୍ରଶ୍ନ ଉଠାଉଛି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବା ବେଳେ ଏବେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗାଁର ରତ୍ନାବତୀ ଗଣ୍ଡ । ସ୍ୱାମୀ ୮ ବର୍ଷ ତଳୁ ଆଖି ବୁଜିଥିବା ବେଳେ ରୋଜଗାରିଆ ପୁଅ ଚିକିତ୍ସା ନ ପାଇ କିଡନୀ ରୋଗରେ ଜୀବନ ହାରିଛି । ଏବେ ବିଧବା ଶାଶୂ, ବୋହୂ ୫ ପ୍ରାଣୀ କୁଟୁମ୍ବ କେମିତି ପୋଷିବେ ସେ ଚିନ୍ତାରେ ।

ପୂର୍ଣ୍ଣିଙ୍କ ୨ ପୁଅ ଓ ଗୋଟିଏ ଝିଅ ଥିବାବେଳେ ସମସ୍ତେ ନାବାଳକ । କିଡନୀ ରୋଗରେ ଅସୁସ୍ଥ ସମନଙ୍କ ଚିକିତ୍ସାପାଇଁ ପରିବାର ଚାଷ ଜମି ବନ୍ଧକ ରଖି ୨୦ ହଜାର ଟଙ୍କା ଋଣ ଆଣିଥିଲେ । ଏବେ ରୋଜଗାରିଆ ସମନଙ୍କ ମୃତ୍ୟୁ ପରେ ସେ ଋଣ କିଭଳି ଶୁଝିବେ ସେ କଥା ସେମାନେ ଭାବି ପାରୁ ନାହାଁନ୍ତି । ରତ୍ନାବତୀଙ୍କୁ ମିଳୁଥିବା ୫ ଶହ ଟଙ୍କା ବିଧବା ଭତ୍ତା ଓ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳୁଛି । ପରିବାରକୁ ପ୍ରଶାସନ ତୁରନ୍ତ ସହାୟତା ଦେବା ସହ ଘର ଘଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଗରିବଙ୍କ ପାଇଁ ସରକାରଙ୍କ ଆବାସ, ବିଏସକେୱାଇ ଭଳି ଯୋଜନା ରହିଥିବା ବେଳେ ଉପାନ୍ତ ଜିଲ୍ଲାରେ ସଚେତନତା ଅଭାବରୁ ହିତାଧିକାରୀ ସେବା ପାଇ ପାରୁ ନାହାନ୍ତି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଲେ ଦୁଇ ବିଧବାଙ୍କ ସହ ୩ ଛୁଆ ଜୀବନର ଆଶା ଖୋଜି ପାଇ ପାରନ୍ତେ ।

Leave A Reply

Your email address will not be published.