Latest Odisha News

BREAKING NEWS

ଓଡିଶା : ଦାରୁ ଦେବତାଙ୍କ ଭୂଇଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଓଡିଶା ସେଇ ମାଟି, ଯେଉଁଠି ମଣିଷ ଦାରୁକୁ ଦେବତା ମାନେ । ଏହା ଏକ ଆଦିବାସୀ ବିଶ୍ୱାସବୋଧର ଅବଦାନ ଏ ମାଟିର ଐତିହ୍ୟକୁ । କାରଣ ଶବରରାଜା ବିଶ୍ୱାବସୁର ଦିଅଁ ନୀଳମାଧବକୁ ପୁରୀ ଆଣି ଜଗନ୍ନାଥ ନାଆଁ ଦେଇଛେ ଆମେ । ତାଙ୍କୁ କେନ୍ଦ୍ର କରି ଓଡିଶାର ସାମନ୍ତବାଦ ଓ ରାଜତନ୍ତ୍ରଠାରୁ ଆରମ୍ଭ କରି ଆମର ଏ ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି ଧର୍ମ, ରାଜନୀତି, ସଂସ୍କୃତିର ଧାରା ସମୟ ସହିତ ତାଳ ଦେଇଆସିଛି । ଏ ଜଗନ୍ନାଥ ପୁଣି ଯୌଥପାରିବାରିକତାର ପ୍ରତିନିଧି – ଖାଲି ଭାଇ ନୁହେଁ, ଭଉଣୀ ସମେତ ବିରାଟ ପରିବାର ତାଙ୍କର । ଭାଇର ଭୋଗରେ ଭଉଣୀର ଅଧିକାର । ବଡଭାଇ ବଳଭଦ୍ର ହଳଧର କୃଷକସଂସ୍କୃତିର ପ୍ରତୀକ-ପୁରୁଷ ଓ ସାନଭାଇ ଶ୍ରୀଜଗନ୍ନାଥ ଚକ୍ରଧର ଶ୍ରମିକସଂସ୍କୃତିର ପ୍ରତ୍ୟୟ-ପୁରୁଷ ଭଳି ପ୍ରତୀୟମାନ ହେଉଥିବାବେଳେ ଭଉଣୀ ସୁଭଦ୍ରା ହେଉଛନ୍ତି ଶୀଳାଚାରର ସ୍ୱରୂପିଣୀ । ଦାରୁଦେବତା ଏ ତିନିହେଁ ।

ଅଥଚ ଏବେ ଏଇ ଦାରୁଦେବତାଙ୍କ ଭୂଇଁ ଓଡିଶାରେ ଅମଣିଷଙ୍କ ଅମଳ । ଅମଣିଷମାନେ ଆସନରେ ବସିଛନ୍ତି, ଶାସନରେ ବାହାଲ୍ ଅଛନ୍ତି, ଏ ଭୂଇଁରେ ଭୁଆଁ ବୁଲାଉଛନ୍ତି ନିରନ୍ନ ମଣିଷମାନଙ୍କୁ । ଜମି ଜବରଦଖଲ ଚାଲିଛି, ଜଙ୍ଗଲରେ ଚାଲିଛି ଆଖିବୁଜା ଗଛକଟା ସାଙ୍ଗକୁ ଖଣିଖୋଳା ଆଉ ଖଣିଜଦ୍ରବ୍ୟର ଚୋରା ବେପାର ! ଧୂର୍ତ ଧନତନ୍ତ୍ରର ଦଲାଲ୍ ଓ ଠଗୀ ଠିକାଦାରମାନେ ଓଡିଶାର ଗାଆଁ ଗଡଜାତକୁ ନିଜ ମୁନାଫାଖୋରିର ଫସଲକିଆରି କରିସାରିଲେଣି । ଗ୍ରାମାଂଚଳକୁ ଶିଳ୍ପାଚଂଳ କରିଦେଲେ କୁଆଡେ ପ୍ରଗତି ! ଚାଷଜମିକୁ ଚଟକଳର ଚୌହଦି ବନାଇଦେଲେ କୁଆଡେ ବିକାଶ ! ଜଳସଂପଦକୁ କଳକାରଖାନାର ମାଲିକବର୍ଗଙ୍କୁ ସମର୍ପିଦେଲେ କୁଆଡେ ସମୃଦ୍ଧି !

ଓଡିଶାରେ ଆଜି ପାଉଁଶ ତଳୁ ନିଆଁ ବାହାରୁଛି । ହେଲେ ଏ କଥା କ’ଣ ଏବେ ବି ବୁଝୁଛନ୍ତି ସରକାରୀ ସୂତ୍ରଧର କି ଶାସନକଳର ନଟ୍‌ବୋଲ୍‌ଟ୍‌ମାନେ ? ମହାଭାରତର କୋକୁଆ ମାତିବାଠାରୁ ଆଜି ଏ ଉପଭାରତର ମାଓ ମାତିବା ଡରରେ ସମସ୍ତେ ଥରହର । ହେଲେ କେହି ସାହସ କରି କହୁନାହାନ୍ତି କାହିଁକି ଏ ମାଓବାଦ ବ୍ୟାପିଚାଲିଛି ଗଡଜାତରୁ ଗାଆଁ – ଗାଆଁରୁ ସହର । କେହି ବି ମାନୁନାହାନ୍ତି ଯେ ସରକାରଙ୍କ ସଂପ୍ରତି ମାତ୍ରାତିରକ୍ତ ଧନପତି ଓ ଶିଳ୍ପପତିପ୍ରେମ ସହିତ ଗରିବଗୁରୁବାଙ୍କୁ ପୋକମାଛି ମଣିବାର ମନୋବୃତି ପ୍ରତାରକ କମ୍ପାନୀଗୁଡାକୁ ଯୋଗାଇଦେବାକୁ ଯେତିକି ବ୍ୟସ୍ତ, ସେତିକି ଆଗ୍ରହୀ ନୁହନ୍ତି ଦଳିତ, ଦୁର୍ଗତ, ବନବାସୀ କି କୃଷକବର୍ଗକୁ ବଂଚିବାର ସର୍ବନିମ୍ନ ଅଧିକାର ପ୍ରଦାନ କରିବାକୁ । ବରଂ ଖଣିଦୁର୍ନୀତି, ଜମିଦୁର୍ନୀତିଠାରୁ ଆରମ୍ଭକରି ବହୁବିଧ ଦୁର୍ନୀତିଲବ୍ଧ କଳାଟଙ୍କାରୁ କେଂଚାଏ ମାତ୍ର କଙ୍କାଳ କୁଳକୁ ‘ଦାନ’ ଦେଇ ଏବଂ ସରକାରୀ ଚାକିରିଆଙ୍କ ଭତା ଓ ବେତନ ବଢାଇଦେଇ ଭୋଟ୍ ରାଜନୀତିର ଭାଟଗିରିକୁ ବଜାୟ ରଖାଯାଇଛି । ଅବଦମିତ ଜନଅସନ୍ତୋଷର ଏକ ଗୁପ୍ତସ୍ଫୁଲିଙ୍ଗ ଏ ମାଓବାଦୀ ମହାଭିଯାନ ! ଭୁବନେଶ୍ୱରରେ ବସି ସାରା ମୁଲକକୁ ଭୁଆଁ ବୁଲାଉଥିବା ସରକାରୀ ସିରସ୍ତାଦାରମାନେ ରାଜ୍ୟକୁ ଟେକିଦେବାକୁ ପଛାଉନାହାନ୍ତି ସୌଦାଗର-ସାହୁକାର ଶୋଷକବର୍ଗଙ୍କ ଅସରନ୍ତି ଆଁ’ ଆଡେ !

କ୍ଷେତ କାହିଁକି ପ୍ରେତଭୂମି ? ଗଛ କାହିଁକି ହାଣ ହୁକୁମ୍‌ର ହତିଆର ଆଗରେ ଅସହାୟ ? ଜଙ୍ଗଲ ଜୁରି ହେଉଛି କାହିଁକି ? ଜମି ଉପରେ ଜୁଲମ ଚାଲୁଛି କାହିଁକି ? ଖଳାବାଡି ଆଉ ଖତଗଦାର ଗାଁ ଛାଡି ଅରଣା ମଇଁଷିପଲ ପରି କୁଆଡେ ମୁହାଁଉଛନ୍ତି ଏ ମାଟିର ମଣିଷ ? ଇଏ କି ରାଜନୀତି, ଯାହା କବଳରେ ଆମର ଗ୍ରାମୀଣ ଅର୍ଥନୀତିର ଅବସ୍ଥା ବାରଣ୍ଡା ଦି’କଡା ? ଚାଷୀ ଦରମଲା, ପଚିଷ ପାଟକ ସର୍ବସ୍ୱାସ୍ତ, ଆଦିବାସୀ ଆର୍ତତ୍ରସ୍ତ – ଓଡିଶାର ସାଧାରଣ ଅଧିବାସୀ ଅଧିକାରହୀନ । କଳାପଇସାରେ ରାଜ୍ କରୁଥିବା ଗୋଟାଏ ସରକାରକୁ କୋଉଠାରେ ବି କଳାପତାକା ପ୍ରଦର୍ଶନ କରୁନାହାନ୍ତି କେହି । ବିତବଳ, ବନ୍ଧୁକବଳର ବାଦଶାହୀପଣକୁ ଜବାବ୍ ଦେବାକୁ ଜନ୍ମ ନେଉଥିବା ଜନଅସନ୍ତୋଷ କଣ ଚାପିଦେଇପାରିବ କିଏ ସବୁଦିନପାଇଁ ?

ଓଡିଶାର ଗଛସବୁ ଆଜି ମୂର୍ଦ୍ଦାର ପାଲଟୁଛନ୍ତି । ଗଛକୁ ଦେବତା ନୁହେଁ, କେବଳ କାଠ ଦୃଷ୍ଟିଭଙ୍ଗୀରେ ଦେଖିବା କେଉଁ ଦିନଠୁ ଆରମ୍ଭ ହୋଇସାରିଛି । ଗୋଟିଏ ଗଛର ଗୋଟିଏ ଡାଳକୁ ହାରିବାର ଅର୍ଥ ସଂସ୍କୃତି ପ୍ରତି କୁଠାରାଘାତ । ଅରାଏ ମାଟିର ଛନଛନ ଦୂବଘାସଗୁଡିକୁ ଚାଂଛିବା ମାନେ ପ୍ରକୃତି ପ୍ରତି ପଦାଘାତ । ମନେରଖିବାକୁ ପଡିବ ଯେ ଗୋଟିଏ ପତ୍ରକୁ ନଷ୍ଟ କରିବାରେ କି ଗୋଟିଏ ଫୁଲକୁ ଛିଣ୍ଡାଇବାରେ ଅବମାନିତ ହୁଏ ଦିବ୍ୟଜୀବନର ସନ୍ଦେଶ ଓ ସଂକେତ । ଔଷଧୀୟ ବୃକ୍ଷଲତାର ଅରଣ୍ୟ ଓ ବନବୃକ୍ଷଶୋଭିତ ନୀଳପର୍ବତମାଳା ଉପରେ ଆଜି ଶିଳ୍ପସୌଦାଗରବର୍ଗର ଶ୍ୱେନଦୃଷ୍ଟି ଆସନ୍ତାକାଲି ପ୍ରାକୃତିକ ପ୍ରାଚର୍ଯ୍ୟରେ ପରିପୂର୍ଣ୍ଣ ଏ ଓଡିଶାଭୂଇଁକୁ ମଶାଣିଭୂଇଁରେ ପରିଣତ କରିଦେବ ନିଶ୍ଚୟ । ମଶାଣିଭୂଇଁରେ କି ଶିଳ୍ପବିପ୍ଲବ ? ଦାରୁ ଯେଉଁ ଭୂଇଁରେ ଦେବତା, ସେଠି ଦୂବଟିଏ ବି କଅଁଳିବନାହିଁ ଆଉ ! ଅତଏବ ସାଧୁବେଶୀ ସଇତାନମାନେ ସାବଧାନ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.