Latest Odisha News

BREAKING NEWS

ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍, ୧.୧୦ ଲକ୍ଷ କୋଟିର ମେଗା ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! ଓଡ଼ିଶାରେ ହେବ ଦେଶର ବୃହତ୍ ବିଦେଶୀ ପୁଞ୍ଜି ନିବେଶ। ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଂଜିନିବେଶ ଲାଗି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ନିବେଶ କରିବ ୧ ଲକ୍ଷ ୧ ହଜାର କୋଟି । ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ବିଦେଶ ପୁଞ୍ଜିନିବେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଵାକ୍ଷରିତ ହୋଇଛି ଏମଓୟୁ। ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଏଥିନେଇ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର କରଣ ଆଦାନୀ ପ୍ରମୁଖ ଉପସ୍ଥିତ ଥିଲେ । ୧ ଲକ୍ଷ ୧ ହଜାର କୋଟି ନିବେଶ ଦ୍ୱାରା ୫୩ ହଜାର ୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ଦ୍ଵାରା ବାର୍ଷିକ ୨ ନିୟୁତ ଟନରୁ ଅଧିକ ଆଲୁମିନିୟମ ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ଫଳରେ ଭାରତର ସମଗ୍ର ଆଲୁମିନିୟମ ଉତ୍ପାଦନ କ୍ଷମତା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବ । ଏହି ମେଗା ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାରେ ପ୍ରଚୁର ପରିମାଣରେ ଥିବା ବକ୍ସାଇଟ୍, ଗଚ୍ଛିତ ସମ୍ପଦ ଏବଂ ପରିବହନ ପାଇଁ ଆଦାନୀର ଧାମରା ବନ୍ଦରକୁ ଏହି ପ୍ଲାଣ୍ଟ ବ୍ୟବହାର କରିବ। ଯାହା ବ୍ୟବସାୟକୁ ଅଧିକ ସହଜ କରିବ ।

ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ବିଶ୍ଵ ସ୍ତର ତୁଳନାରେ କମ୍ ରହିଛି । ମାତ୍ର ବୈଦ୍ୟୁତିକ ଯାନ, ଅକ୍ଷୟ ଶକ୍ତି, ଭିତ୍ତିଭୂମି ଏବଂ ମାନୁଫ୍ୟାକଚରିଂ କ୍ଷେତ୍ରର ଦ୍ରୁତ ବିକାଶ ଯୋଗୁଁ ଆଗକୁ ଆଲୁମିନିୟମର ଚାହିଦା ବହୁତ ବଢ଼ିବାକୁ ଯାଉଛି । ତେଣୁ ଏହି ସମୟରେ ଏଭଳି ଏକ ପ୍ରକଳ୍ପ ବେଶ୍ ଲାଭଦାୟକ ପ୍ରମାଣିତ ହେବ । ଆଦାନୀର ଏହି ଏଣ୍ଟ୍ରି ପରେ ଓଡ଼ିଶାରେ ପୂର୍ବରୁ କାର୍ଯ୍ୟ କରୁଥିବା ବେଦାନ୍ତ ଆଲୁମିନିୟମ ଏବଂ ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଭଳି ବଡ଼ କମ୍ପାନୀଗୁଡ଼ିକ ପାଇଁ ପ୍ରତିଯୋଗିତା ବେଶ୍ ଶକ୍ତ ହେବ । ଏହି ଦୁଇ କମ୍ପାନୀ ମଧ୍ୟ ଓଡ଼ିଶାରେ ନିଜର ବ୍ୟବସାୟ ସମ୍ପ୍ରସାରଣ ପାଇଁ ବଡ଼ ଯୋଜନା ରଖିଛନ୍ତି । ଏହି ଚୁକ୍ତିନାମା କେବଳ ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରୁନାହିଁ ବରଂ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଥିବା ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ।

 

Leave A Reply

Your email address will not be published.