Latest Odisha News

BREAKING NEWS

China’s Teesta Move: ତିସ୍ତା ନଦୀରେ ଚୀନର ଏଣ୍ଟ୍ରି! ବାଂଲାଦେଶ ପ୍ରକଳ୍ପକୁ ନେଇ କାହିଁକି ବଢ଼ିଲା ଭାରତର ଚିନ୍ତା?

ନୂଆଦିଲ୍ଲୀ: ବାଂଲାଦେଶର ତୀସ୍ତା ନଦୀ ଉପରେ ପ୍ରସ୍ତାବିତ ବିକାଶ ପ୍ରକଳ୍ପ ପୁଣିଥରେ ଭାରତ, ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ରଣନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ସ୍ପଷ୍ଟ କରିଛି ଯେ ତୀସ୍ତା ପ୍ରକଳ୍ପରେ ଏହାର ଅଂଶଗ୍ରହଣ କେବଳ ବାଂଲାଦେଶର ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଏବଂ କୌଣସି ତୃତୀୟ ଦେଶ ବିରୁଦ୍ଧରେ ରଣନୈତିକ ପଦକ୍ଷେପ ଭାବରେ ନୁହେଁ। ତଥାପି, ଭାରତ ଏହି ପ୍ରକଳ୍ପକୁ କେବଳ ନଦୀ ବିକାଶ ଦୃଷ୍ଟିକୋଣରୁ ନୁହେଁ, ବରଂ ଏହାର ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ରଣନୀତି ସମ୍ପର୍କରେ ଦେଖେ। କିନ୍ତୁ କାହିଁକି, ଭାରତ ସାଙ୍ଗରେ ଏହାର ସମ୍ପର୍କ କ’ଣ? ଆସନ୍ତୁ ଜାଣିବା…

ତେବେ ସାମ୍ପ୍ରତିକ ରିପୋର୍ଟ ପ୍ରକାଶ ପାଇଛି ଯେ ବାଂଲାଦେଶର ତୀସ୍ତା ନଦୀ ବ୍ୟାପକ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପରେ ଚୀନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଯାହା ଉପରେ ଭାରତ ଚିନ୍ତା ପ୍ରକାଶ କରିଛି । ଜବାବରେ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ସହଯୋଗ କେବଳ ପାରସ୍ପରିକ ଲାଭ ଏବଂ ବିକାଶ ଉପରେ ଆଧାରିତ ଏବଂ ଏହାକୁ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ଦେଖାଯିବା ଉଚିତ୍ ନୁହେଁ। ଚୀନ କହୁଛି ଏହା କେବଳ ଏକ ନଦୀ ବିକାଶ ପ୍ରକଳ୍ପ। ବାଂଲାଦେଶ କହୁଛି ଏହା ଦେଶର କୃଷି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଜରୁରୀ। କିନ୍ତୁ ଭାରତ ଏହାକୁ କେବଳ ନଦୀ ବିକାଶ ଭାବେ ଦେଖୁନାହିଁ। ତିସ୍ତା ନଦୀକୁ କେନ୍ଦ୍ର କରି ଏବେ ଦକ୍ଷିଣ ଏସିଆରେ ଆରମ୍ଭ ହୋଇଛି ନୂଆ ଭୂ-ରାଜନୈତିକ ସମୀକରଣ। ଆଉ ଏହାର କେନ୍ଦ୍ରବିନ୍ଦୁରେ ରହିଛନ୍ତି ଭାରତ, ବାଂଲାଦେଶ ଓ ଚୀନ। ଆଉ ଚୀନର ବୟାନ ପରେ ଭାରତର ଚିନ୍ତା ଆହୁରି ବଢ଼ିଛି। କାରଣ, ତିସ୍ତା ନଦୀ କେବଳ ଜଳ ବଣ୍ଟନର ପ୍ରସଙ୍ଗ ନୁହେଁ, ବରଂ ଏହା ଭାରତର ସୁରକ୍ଷା ଓ ଆଞ୍ଚଳିକ ପ୍ରଭାବ ସହ ଜଡ଼ିତ।

ସିକ୍କିମର ହିମାଳୟ ଅଞ୍ଚଳରୁ ଉତ୍ପନ୍ନ ହୋଇ ତିସ୍ତା ନଦୀ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ପ୍ରବେଶ କରି ବ୍ରହ୍ମପୁତ୍ର ନଦୀରେ ମିଶିଛି। ପ୍ରାୟ ୪୧୪ କିଲୋମିଟର ଲମ୍ବା ଏହି ନଦୀ ଦୁଇ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେଖା। କୃଷି, ଜଳସେଚନ, ପାନୀୟ ଜଳ ଯୋଗାଣ ଓ ବନ୍ୟା ନିୟନ୍ତ୍ରଣରେ ଏହାର ଗୁରୁତ୍ୱ ଅପରିସୀମ। ବିଶେଷ କରି ବାଂଲାଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ଚାଷୀମାନେ ତିସ୍ତା ଜଳ ଉପରେ ନିର୍ଭରଶୀଳ। ଶୁଖିଲା ଋତୁରେ ଜଳ ଅଭାବ ଏବଂ ବର୍ଷା ଋତୁରେ ବନ୍ୟା ସେଠାରେ ବଡ଼ ସମସ୍ୟା ହୋଇଥାଏ।

ତିସ୍ତା ଜଳ ବଣ୍ଟନକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଦଶ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ଚାଲିଛି। ୨୦୧୧ରେ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଢାକା ଗସ୍ତ ସମୟରେ ଏକ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ପଶ୍ଚିମବଙ୍ଗ ସରକାର ବିରୋଧ କରିବାରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତରେ ଜଳ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସମ୍ମତି ଆଣିପାରିନାହାନ୍ତି।

ଏହି ସମୟରେ ବାଂଲାଦେଶରେ ତିସ୍ତା ନଦୀର ସମନ୍ୱିତ ବିକାଶ ପ୍ରକଳ୍ପରେ ଚୀନ ନିବେଶ କରିବାକୁ ଆଗ୍ରହ ଦେଖାଇଛି। ପ୍ରସ୍ତାବିତ ପ୍ରକଳ୍ପରେ ନଦୀ ଖନନ, ବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ବ୍ୟବସ୍ଥାର ବିକାଶ, ନଦୀ କୂଳ ସୁରକ୍ଷା ଏବଂ ନଦୀ ପାର୍ଶ୍ୱରେ ସହରାଞ୍ଚଳର ବିକାଶ ଭଳି କାମ ସାମିଲ ରହିଛି। ଏହି ପ୍ରକଳ୍ପରେ ଚୀନ ଅର୍ଥ, ବୈଷୟିକ ଜ୍ଞାନ ଓ ନିର୍ମାଣ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ରହିଛି।

ତେବେ ଏହାରି ଭିତରେ ଭାରତର ପ୍ରକୃତ ଚିନ୍ତା ହେଉଛି ଅନ୍ୟକିଛି । କାରଣ ବାଂଲାଦେଶର ତିସ୍ତା ଅଞ୍ଚଳ ଭାରତର ଅତ୍ୟନ୍ତ ସମ୍ବେଦନଶୀଳ ସିଲିଗୁଡ଼ି କରିଡର, ଅର୍ଥାତ୍ ‘ଚିକେନ୍ ନେକ୍’ ନିକଟରେ ଅବସ୍ଥିତ। ମାତ୍ର ୨୦ରୁ ୨୨ କିଲୋମିଟର ଚଉଡ଼ା ଏହି କରିଡର ଦେଇ ଭାରତର ଆଠଟି ଉତ୍ତର-ପୂର୍ବ ରାଜ୍ୟ ସହ ମୁଖ୍ୟ ଭୂଖଣ୍ଡର ସଂଯୋଗ ରହିଛି। ଏଭଳି ସମ୍ବେଦନଶୀଳ ଅଞ୍ଚଳ ନିକଟରେ ଚୀନର ଦୀର୍ଘକାଳୀନ ଉପସ୍ଥିତିକୁ ନେଇ ଭାରତର ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି।

ଗତ ଦଶନ୍ଧି ଧରି ଚୀନ ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶରେ ବନ୍ଦର, ରାଜପଥ, ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପରେ ବ୍ୟାପକ ନିବେଶ କରିଛି। ଭାରତର ଆଶଙ୍କା, ଏଭଳି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ କେବଳ ଆର୍ଥିକ ନୁହେଁ, ସାମରିକ ଦୃଷ୍ଟିରୁ ମଧ୍ୟ ଚୀନକୁ ସୁବିଧା ଦେଇପାରେ। ଏପଟେ ବାଂଲାଦେଶର ନୂଆ ସରକାର ଚୀନ ସହ ଆର୍ଥିକ ଓ କୌଶଳଗତ ସମ୍ପର୍କ ବଢ଼ାଇବାର ସଙ୍କେତ ଦେଇଥିବାବେଳେ ଭାରତ ସହ ସମ୍ପର୍କକୁ ମଧ୍ୟ ସନ୍ତୁଳିତ ରଖିବାକୁ ଚେଷ୍ଟା କରୁଛି। ତଥାପି ତିସ୍ତା ପ୍ରକଳ୍ପକୁ ନେଇ ଦିଲ୍ଲୀ ଅତି ନିକଟରୁ ପରିସ୍ଥିତି ଉପରେ ନଜର ରଖିଛି।

ତେଣୁ ତିସ୍ତାକୁ ନେଇ ବିବାଦ କେବଳ ନଦୀ କିମ୍ବା ଜଳ ବଣ୍ଟନରେ ସୀମିତ ନୁହେଁ। ଏହା ଦକ୍ଷିଣ ଏସିଆରେ ବଦଳୁଥିବା କୂଟନୈତିକ ସମୀକରଣ, ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଚୀନର ବଢ଼ୁଥିବା ପ୍ରଭାବକୁ ନେଇ ଭାରତର ବୃଦ୍ଧି ପାଉଥିବା ଚିନ୍ତାର ଏକ ପ୍ରମୁଖ ପ୍ରତୀକ ପାଲଟିଛି।

Leave A Reply

Your email address will not be published.