Latest Odisha News

BREAKING NEWS

ସରକାର ଦେଲେ ପ୍ରତିଶୃତି, ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଦୀର୍ଘ ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ସୂଚନା ଦେଇଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ।

ସଂଘ କହିଛି ଯେ, ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ସକାରାତ୍ମକ ଆଲୋଚନା ହୋଇଛି। ପର୍ଯ୍ୟାୟକ୍ରମେ ସମସ୍ତ ଦାବି ଖୁବ ଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦାବି ମଧ୍ୟରେ ମୁଖ୍ୟତଃ ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ, ଏନ. ପି. ଏ. ପ୍ରଦାନ ଓ ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ପ୍ରାଣୀ ଚିକିତ୍ସକଗଣ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ଦାବି ନେଇ ଗତ ୧୮ ତାରିଖରୁ  ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିଆସୁଥିଲେ । ସାରା ରାଜ୍ୟର ୧୩ ଶହ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ । ଫଳରେ ପଶୁମାନଙ୍କ ଚିକିତ୍ସା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ମାସେ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପରେ କାଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ ପ୍ରାଣୀ ଚିକିତ୍ସା ସେବା ସଂଘର ଶହ ଶହ ଚିକିତ୍ସକ । ଏମିତିକି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ମଧ୍ୟ ବସିଥିଲେ।

Leave A Reply

Your email address will not be published.